ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ୧୦ ପ୍ରତିଶତ ସଂରକ୍ଷଣ ସ୍ଥାନ ପାଇବାରୁ ଛାତ୍ରଛାତ୍ରୀ ବଞ୍ଚିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଚନ୍ଦ୍ରଗିରି ଠାରେ ଥିବା ଜିଲ୍ଲାର ଏକମାତ୍ର ଆବାସିକ ବିଦ୍ୟାଳୟରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ସରକାର ୧୦ ପ୍ରତିଶତ ସ୍ଥାନ ସଂରକ୍ଷିତ ପୂର୍ବରୁ କରିଥିଲେ. ସ୍କୁଲ ଆରମ୍ଭ ହେବା ଠାରୁ ଆଜି ପର୍ଯ୍ୟନ୍ତ ଏହି ସୁବିଧା ପାଇ ଆସୁଥିଲେ ସାଧାରଣ ବର୍ଗର ସ୍ଥାନୀୟ ଛାତ୍ରଛାତ୍ରୀ. କିନ୍ତୁ ଚଳିତ ବର୍ଷ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ. ପ୍ରତେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଆବେଦନ କରିବା ଲାଗି ସ୍କୁଲକୁ ଯାଇ ନିରାଶ ହୋଇ ଫେରିଛନ୍ତି ଅଭିଭାବକମାନେ. କେଉଁ କାରଣରୁ, କିଭଳି କାହା ନିର୍ଦେଶରେ ଏହି ନିଷ୍ପତ୍ତି ସରକାର ଓ ସ୍କୁଲ କର୍ତ୍ତୃପକ୍ଷ ନେଲେ ତାହା ସ୍ଥାନୀୟ ଅଭିଭାବକଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି. ଏନେଇ ପ୍ରଥମେ ସ୍କୁଲ କର୍ତ୍ତୃପକ୍ଷ ଓ ପରେ ଜିଲ୍ଲା ମଙ୍ଗଳ ଅଧିକାରୀ, ପ୍ରକଳ୍ପ ଅଧିକାରୀ. ଜିଲ୍ଲାପାଳ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ସମ୍ପର୍କରେ ଅବଗତ ଓ ଅଭିଯୋଗ ମଧ୍ୟ କରିଥିଲେ. କିନ୍ତୁ ତାହା ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର କାର୍ଯ୍ୟକାରୀ ହୋଇନଥିବାରୁ ସ୍କୁଲ ସମ୍ମୁଖରେ ଚନ୍ଦ୍ରଗିରି ଅଞ୍ଚଳର ଜନ ପ୍ରତିନିଧି ଓ ବୁଦ୍ଧିଜୀବୀମାନେ ଏକଲବ୍ୟ ଆବାସିକ ବିଦ୍ୟାଳୟ ଫାଟକ ସମ୍ମୁଖରେ ଏକ ସାମ୍ବାଦିକ ସମିଳନୀ କରିଥିଲେ. ଆଗାମୀଦିନରେ ଏହା ଏକ ବଡ଼ ଧରଣର ଆନ୍ଦୋଳନ ହେବା ସହ ପ୍ରବେଶିକା ପରୀକ୍ଷାକୁ ହେବାକୁ ଦେବେ ନାହିଁ ଓ ରାଜରାସ୍ତା ଅବରୋଧ କରି ଶାନ୍ତିପୂର୍ଣ ଭାବେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି. ଏପଟେ ସ୍କୁଲ ପ୍ରବେଶିକା ଫର୍ମ ଦେୟମୁକ୍ତ ଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକମାନଙ୍କୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରୁ କିଣି ଆଣିବା ଲାଗି ବାଧ୍ୟ କରୁଥିବା ଅଭିଯୋଗ ହୋଇଛି. ଅଭିଭାବକମାନେ ଗୋଟିଏ ଫର୍ମକୁ ୧୫ ରୁ ୨୦ ଟଙ୍କା ପର୍ଯ୍ୟନ୍ତ ଦେଇ କିଣି ଥିବାବେଳେ ଏଥିରେ ସ୍କୁଲ କର୍ତ୍ତୃପକ୍ଷଙ୍କ ହାତ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି.