ଏକାକୀ ମହିଳାଙ୍କ ଭରସା ରାଜି ଆକ୍କା

ଚେନ୍ନାଇର ପିଭି ରାଜି ଅଶୋକ ଜଣେ ଅଟୋ ଚାଳିକା । ମଧ୍ୟରାତ୍ରି ହେଉ କି ଉଦୁଉଦିଆ ଖରାବେଳ, ସେ କେବେ ବି କୌଣସି ମହିଳାଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ ମନା କରି ନ ଥାଆନ୍ତି । ୮-୯ ଘଣ୍ଟିଆ ଶିଫ୍ଟ ସରିଯାଇଥିଲେ ହେଁ ସେ ନାଇଟ୍ ଡ୍ୟୁଟିକୁ ଯାଉଥିବା ମହିଳା ହୁଅନ୍ତୁ ଅବା ଲେଟ୍ ନାଇଟ୍ ଫ୍ଲାଇଟ୍ ଧରିବାକୁ ଥିବା ମହିଳାଙ୍କୁ ସୁରକ୍ଷିତ ଭାବେ ନେଇଥାଆନ୍ତି । ତେଣୁ ସେ ସମସ୍ତଙ୍କର ପ୍ରିୟ ରାଜି ଆକ୍କା(ଭଉଣୀ) ପାଲଟିଛନ୍ତି । ତେବେ ରାଜିଙ୍କର ସର୍ତ୍ତ ଥାଏ ଯେ, ଅତିକମ୍ରେ ଏକ ଘଣ୍ଟା ଆଗରୁ ବୁକ୍ କରିବାକୁ ହେବ । ଦୀର୍ଘ ୨୦ ବର୍ଷ ହେବ ସେ ଅଟୋ ଚଲାଉଛନ୍ତି । ରାଜି ଛୋଟପିଲା, ବୟସ୍କ ବ୍ୟକ୍ତି ଓ ଭଡା ଦେବା ପାଇଁ ପାଖରେ ଟଙ୍କା ନ ଥିବା ମହିଳାଙ୍କୁ ମାଗଣାରେ ନିଅନ୍ତି । ଦିନକୁ ସେ ୩୦ଟି ଟ୍ରିପ୍ ନେଇଥାଆନ୍ତି । ଆଉ ମାସିକ ୩୦-୪୦ ହଜାର ଟଙ୍କା ରୋଜଗାର କରନ୍ତି । ରାଜି ପ୍ରକୃତରେ କେରଳ, ପଲ୍ଲକଡର ଅଟନ୍ତି । ଗ୍ରାଜୁଏଶନ୍ କରିବା ସମୟରେ ସେ ଅଶୋକ ନାମକ ଅଟୋ ଡ୍ରାଇଭରଙ୍କୁ ଭଲ ପାଇ ବିବାହ କଲେ । ଆଉ ସେମାନେ କୋଏମ୍ବାଟୋର ଚାଲିଗଲେ । ସେଠି ଅଶୋକ ଅଟୋ ଚଳାଇଲେ ଓ ରାଜି ଟ୍ରାଭେଲ୍ ଏଜେନ୍ସିରେ ଆକାଉଣ୍ଟାଣ୍ଟ ଭାବେ କାମ କଲେ । ୧୯୯୮ରେ କୋଏମ୍ବାଟୋରରେ ବିସ୍ଫୋରଣ ଘଟଣା ଘଟିବା ପରେ ସେମାନେ ଚେନ୍ନାଇ ଚାଲିଯାଇଥିଲେ । ସେଠାରେ କିନ୍ତୁ ଚାକିରି ନ ମିଳିବାରୁ ସେ ନିଷ୍ପତ୍ତି ନେଲେ ସ୍ୱାମୀଙ୍କ ପରି ଅଟୋ ଚଳାଇବେ । ପ୍ରାରମ୍ଭିକ ସମୟରେ ଅଟୋ ଚଳାଇବା ତାଙ୍କ ପାଇଁ ଏତେ ସହଜ ନ ଥିଲା । ହେଲେ ଏବେ ସେ ଏହି କାମରେ ବେଶ୍ ପାରଙ୍ଗମ । ଖାସ୍ କରି ମହିଳାଙ୍କ ପାଇଁ ସେ ସ୍ୱତନ୍ତ୍ର ସେବା ପ୍ରଦାନ କରୁଛନ୍ତି । ତେଣୁ ସେ ମହିଳାଙ୍କର ପ୍ରିୟ ପାଲଟିଛନ୍ତି । ତାଙ୍କୁ କଲେଜରେ ମୋଟିଭେଶନାଲ୍ ଟକ୍ ପାଇଁ ବି ନିମନ୍ତ୍ରଣ କରାଯାଉଛି । ଚେନ୍ନାଇର ୧୩ଟି କଲେଜରେ ଟକ୍ ଦେଇସାରିଲେଣି । ଏହାଛଡା ସେ ମହିଳାଙ୍କୁ ମାଗଣାରେ ଅଟୋ ଚଳାଇବା ତାଲିମ ବି ଦେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ