ଏକାଥରକେ ବାହାଘର ଛୁଟି ମାଗିଲେ ୨୦୦ ପୋଲିସ କର୍ମଚାରୀ
ବର୍ତ୍ତମାନ ଶୀତଋତୁ ସାଙ୍ଗକୁ ଆରମ୍ଭ ହୋଇଯାଇଛି ବିବାହ ଋତୁ । ଉତ୍ତର ଭାରତରେ ଏହି ଋତୁରେ ଅଧିକ ବାହାଘର ତିଥି ପଡ଼େ । ତେବେ ଏହି ବାହାଘର ଋତୁ ଉତ୍ତର ପ୍ରଦେଶର ଗୃହ ବିଭାଗକୁ ଅଧିକ ଚିନ୍ତାରେ ପକାଇଛି । ବିବାହ ପାଇଁ କେବଳ ଲକ୍ଷ୍ନୌର ୨୦୦ ପୋଲିସ କର୍ମଚାରୀ ଏକାସଙ୍ଗରେ ଛୁଟି ଆବେଦନ କରିଛନ୍ତି । ଏଥିରେ ପୋଲିସ ବିଭାଗର ୨୪ ଯୋଡ଼ି ବିବାହ କରିବାକୁ ଯାଉଛନ୍ତି । ୧୦୦ ପୋଲିସ କର୍ମଚାରୀଙ୍କ ବିବାହ ଥିବାବେଳେ ସେମାନଙ୍କ ସମ୍ପର୍କୀୟଙ୍କର ମଧ୍ୟ ବିବାହ ହେଉଛି । ଏହି ଛୁଟିକୁ ନେଇ ୟୁପି ପୋଲିସ ଚିନ୍ତାରେ ପଡ଼ିଯାଇଛି ।
ଲକ୍ଷ୍ନୌର ବରିଷ୍ଠ ପୋଲିସ ଅଧୀକ୍ଷକ (ଏସ୍ଏସ୍ପି) କାର୍ଯ୍ୟାଳୟରେ ଛୁଟି ପାଇଁ ଆବେଦନ କରାଯାଇଛି । ଛୁଟି ଦରଖାସ୍ତ ସହ ନିମନ୍ତ୍ରଣ କାର୍ଡ ମଧ୍ୟ ଲଗାଯାଇଛି । ୟୁପି ପୋଲିସ ପ୍ରବକ୍ତା କୁହନ୍ତି, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଥିବା ପୋଲିସ ଷ୍ଟେଶନରେ ବିବାହ ପାଇଁ ୨ /୩ ଜଣ ଛୁଟି ଆବେଦନ ପତ୍ର ଦେଇଛନ୍ତି । ଲକ୍ଷ୍ନୌର ଏସ୍ଏସ୍ପି କଳାନିଧି ନୈଥାନୀ ବିବାହ ପାଇଁ ଉଦାରପୂର୍ଣ୍ଣ ଭାବେ ଛୁଟି ମଞ୍ଜୁର କରିଛନ୍ତି । ବିବାହ ଉତ୍ସବରେ ବରିଷ୍ଠ ପୋଲିସ ଅଧିକାରୀ ବ୍ୟକ୍ତିଗତ ଭାବେ ଯୋଗଦେବେ । ନୈଥାନୀ କୁହନ୍ତି, ସୁରକ୍ଷା ଚିନ୍ତା ଯେତିକି ତା’ଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଜଣକ ବିବାହ । ତେଣୁ ଏଥିପାଇଁ ୩୦ ଦିନ ଛୁଟି ଦିଆଯାଇପାରିବ । ଖାସ୍ କରି ଏସ୍ଏସ୍ପି ଏହି ବିବାହ ଉତ୍ସବ ନିମନ୍ତେ ଅଧିକ ପୋଲିସ ଫୋର୍ସ ମଗାଇଛନ୍ତି ।


