ଏକାମ୍ର କଲେଜ ଓ ପ୍ରେରଣା ପକ୍ଷରୁ ବନ ମହୋତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବର୍ତ୍ତମାନ ଭୁବନେଶ୍ୱର ସହରର ଜନସଂଖ୍ୟା, ଗାଡ଼ି ମୋଟର, କଳ କାରଖାନା ଆଦି ଦିନକୁ ଦିନ ବଢିଚାଲିଛି । ଏ ଦୃଷ୍ଟିକୋଣରୁ ସହରକୁ ସବୁଜ ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ପାଇଁ ଆମ ସମସ୍ତଙ୍କ କର୍ତ୍ତବ୍ୟ ରହିଛି ବୋଲି ସ୍ଥାନୀୟ ଏକାମ୍ର କଲେଜ ଓ ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ଏକାମ୍ର କଲେଜ ପରିସରରେ ବନ ମହୋତ୍ସବ ଓ ସୁବଜିମା ପାଇଁ ଯୁବାକ୍ତି ଅଭିଯାନରେ ମୁଖ୍ୟ ଅତିଥି ରୂପେ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସେ କହିଲେ ଯେ, ବିଶେଷକରି ଶିକ୍ଷା ଅନୁଷ୍ଠାନ ପରିସରଗୁଡ଼ିକୁ ସବୁଜିମା କରିବା ପାଇଁ ଛାତ୍ର ଓ ଯୁବକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବା ଆବଶ୍ୟକ । କାରଣ ସବୁଜିମା ପରିବେଶ ଭିତରେ ଶିକ୍ଷାଦାନ କରାଗଲେ ସ୍ମରଣ ଶକ୍ତି ବୃଦ୍ଧି ପାଏ ଓ ନିମ୍ବ ଗଛ ଅଧିକ ଥିଲେ ଏହା ବାୟୁ ପ୍ରଦୂଷଣକୁ ରୋକିବା ସହିତ ଚର୍ମରୋଗ ନିବାରଣ କରିବାରେ ସାହାଯ୍ୟ କରିଥାଏ । ଏହି ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଯୋଗଦେଇ ବୃକ୍ଷରୋପଣ କରିବା ସହିତ କହିଲେ ଯେ, ଆଗାମୀ ଦିନରେ ଭୁବନେଶ୍ୱରକୁ ସବୁଜ ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବ୍ୟାପକ ବୃକ୍ଷ ରୋପଣ କରାଯିବ । ଏଥିପାଇଁ ଜନସାଧାରଣ ବିଶେଷ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ଏଥିରେ ଏକାମ୍ର କଲେଜର ଅଧ୍ୟକ୍ଷା ପ୍ରଫେସର କ୍ରିଷ୍ଣା ମହାନ୍ତି ବକ୍ତବ୍ୟ ପ୍ରଦାନ କରି କହିଲେ ଯେ, ଆମ ମହାବିଦ୍ୟାଳୟ ପରିସରକୁ ସବୁଜ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଆମେ କେବଳ ବୃକ୍ଷ ରୋପଣ କରୁନାହୁଁ, ଏହାକୁ ବଞ୍ଚାଇ ରଖିବା ପାଇଁ ଉବଯୁକ୍ତ ଯତ୍ନ ନେବୁ । ସେହିପରି ପ୍ରେରଣାର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ଅତିଥି ରୂପେ ଯୋଗ ଦେଇ କହିଲେ ଯେ, ସମଗ୍ର ବିଶ୍ୱର ଶିକ୍ଷାନୁଷ୍ଠାନ ପରିସରକୁ ସବୁଜିମା କରିବା ପାଇଁ ମିଳିତ ଜାତିସଂଘ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । କାରଣ ବିଗତ ଦିନର ସବୁଜିମା ପରିବେଷ୍ଟିତ ଶିକ୍ଷାନୁଷ୍ଠାନ ଯଥା ଶାନ୍ତିନିକେତନ, ନାଳନ୍ଦା ଏପରିକି ଓଡ଼ିଶାରେ ଥିବା ସତ୍ୟବାଦୀ ବନବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ତମ ଶିକ୍ଷାଦାନ ପାଇଁ ଏକ ପ୍ରକୃଷ୍ଠ କ୍ଷେତ୍ର ଥିଲା । ସେହି ଦୃଷ୍ଟିକୋଣରୁ ପ୍ରେରଣା ପକ୍ଷରୁ ଭୁବନେଶ୍ୱର ତଥା ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନ ପରିସରରେ ଆମେ ସବୁଜିମା ପାଇଁ ଯୁବଶକ୍ତି ଅଭିଯାନ ଜାରି ରଖିଛୁ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମର ସଂଯୋଜକ ଡଃ ମାନସ ନନ୍ଦ, ମୋ କଲେଜ ଅଭିଯାନ ଦାୟିତ୍ୱରେ ଥିବା ପ୍ରାଧ୍ୟାପକ ଡଃ ଦେବେନ୍ଦ୍ର ବିଶ୍ୱାଳ, ସନ୍ଦୀପ ମହାନ୍ତି ଏବଂ ଏନ୍‌ସିସି ଅଫିସର ଡଃ ଅଜୟ ସିଂ, ଏନ୍‌ଏସ୍‌ଏସ୍ ଅଧ୍ୟାପକ ବ୍ରହ୍ମାନନ୍ଦ ବିଶ୍ୱାଳ ତଥା ଅଧ୍ୟାପକ ଅକ୍ଷୟ ତ୍ରିପାଠୀ, ଅଧ୍ୟାପିକା ରାଜଶ୍ରୀ ମହାନ୍ତି, ନିବେଦିତା ମହାନ୍ତି, ମମତା ମହାନ୍ତି, ସ୍ୱେଚ୍ଛାସେବୀ ସଚିନ ବଳିୟାରସିଂ ଓ କଲେଜର ଏନ୍‌ସିସି, ଏନ୍‌ଏସ୍‌ଏସ୍‌ର ସ୍ୱେଚ୍ଛାସେବୀ ତଥା ସମସ୍ତ କର୍ମଚାରୀ ସମୂହ ବୃକ୍ଷରୋପଣରେ ଯୋଗଦାନ କରି ଗୋଟିଏ ଗୋଟିଏ ବଉଳ ଚାରା ରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ