ଏକାମ୍ର ଯୋଜନା : ବିସ୍ଥାପିତଙ୍କୁ ଥଇଥାନ ଓ ସହାୟତା ପ୍ୟାକେଜ୍‌କୁ ମିଳିଲା ମଞ୍ଜୁରୀ

ଭୁବନେଶ୍ବର : ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ସହିତ ଯୋଜନା ନିମନ୍ତେ ଆବଶ୍ୟକ ଥିବା ବାସଗୃହ, ମଠ ଏବଂ ଦୋକାନ ପାଇଁ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରାଯାଇଛି । ଏହି ଯୋଜନାରେ ଅଧିଗ୍ରହଣ ହେବାକୁ ଥିବା ସମସ୍ତ ଜମି ଲିଙ୍ଗରାଜ ମହାପ୍ରଭୁଙ୍କ ନାମରେ ରେକର୍ଡ କରାଯିବ ଏବଂ ଜମି ଦାନ କରିଥିବା ବ୍ୟକ୍ତିଙ୍କ ନାମ ଫଳକରେ ଉଲ୍ଲେଖ କରାଯିବ ବୋଲି ମୁଖ୍ୟମନ୍ତ୍ରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଜମି ଅଧିଗ୍ରହଣ ଏବଂ କ୍ଷତିପୂରଣ ଅଧିନିୟମ ୨୦୧୩ ଅନୁଯାୟୀ ଏହି କ୍ଷତିପୂରଣ ପ୍ରଦାନ କରାଯିବ ।
ବିସ୍ଥାପିତ ହେଉଥିବା ପରିବାର ଏବଂଦୋକାନୀଙ୍କୁ ପରିବହନ ଏବଂ ଅନ୍ୟ ବ୍ୟବସ୍ଥା ନିମନ୍ତେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ଜମି ଅଧିଗ୍ରହଣ ଦିନଠାରୁ ୧୨ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରକୁ ମାସିକ ୧୫ ହଜାର ଟଙ୍କା ଘର ଭଡା ବାବଦରେ ପ୍ରଦାନ କରାଯିବ । ୨୦୦ ମିଟରରୁ କମ୍‌ ଅଞ୍ଚଳରେ ପରିବ୍ୟାପ୍ତ ଦୋକାନ ପାଇଁ ମାସିକ ୧୫ ହଜାର ଏବଂ ୨୦୦ ବର୍ଗ ମିଟରରୁ ଅଧିକ ବଡ ଦୋକାନ ପାଇଁ ମାସିକ ୨୦ ହଜାରର ଭଡ଼ା ପ୍ରଦାନ କରାଯିବ । ବାସଗୃହ ହରାଉଥିବା ଘର ମାଲିକଙ୍କୁ ୨୦ ଲକ୍ଷ ଟଙ୍କାର ଥଇଥାନ ଭତ୍ତା ପ୍ରଦାନ କରାଯିବ ବୋଲି ଜଣାପଡିଛି । ସେହିପରି ଜମି ହରାଇଥିବା ମାଲିକଙ୍କୁ ଜମି ବଦଳରେ ଜମି ପ୍ରଦାନ କରାଯିବ । ଯଦି ଜମିର ମୂଲ୍ୟ କମ୍‌ ରୁହେ ତେବେ ଅବଶିଷ୍ଟ ପ୍ରାପ୍ୟ ଅର୍ଥ ଆକାରରେ ପ୍ରଦାନ କରାଯିବ । ସ୍ଥିତିବାନ ସ୍ବତ୍ବରେ ନିର୍ମିତ ବାଣିଜ୍ୟିକ ପ୍ରତିଷ୍ଠାନଗୁଡିକୁ ମଧ୍ୟ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ ବୋଲି ଜଣାପଡିଛି । ସେହିପରି ଦୋକାନ ହରାଇଥିବା ସମସ୍ତ ଦୋକାନୀଙ୍କୁ ମାର୍କେଟ୍‌ କମ୍ପ୍ଲେକ୍ସରେ ୫୦ ପ୍ରତିଶତ ରିହାତିରେ ଘର ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଅନ୍ୟଥା ଦୋକାନୀ ଚାହିଁଲେ ଏକକାଳୀନ ୨୦ ଲକ୍ଷ ଟଙ୍କାର ସହାୟତା ନେଇପାରିବେ ।
ଉଠାଦୋକାନୀମାନଙ୍କ ପାଇଁ ଦୁଇଟି ପର୍ଯ୍ୟାୟରେ ଏକକାଳୀନ ୩୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ସରକାର । ଏହା ସହିତ ନିୟମ ଅନୁଯାୟୀ ଭେଣ୍ଡିଂ ଯୋଜନା କରାଯାଇ ଉଠା ଦୋକାନୀମାନଙ୍କୁ ଆବଶ୍ୟକ ସ୍ଥାନ ଆବଣ୍ଟନ କରାଯିବ । ଯୋଜନାରେ ସ୍ଥାନାନ୍ତରିତ ହେବାକୁ ଥିବା ସରକାରୀ କାର୍ଯ୍ୟାଳୟ ଏବଂ ପ୍ରତିଷ୍ଠାନ ପାଇଁ ବିଏମ୍‌ସି କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ନିଷ୍ପତ୍ତି ନେବ । ସେହିପରି ଉଚ୍ଛେଦ ହୋଇଥିବା ମଠର ପୁନର୍ବିନ୍ୟାସ ବିଏମ୍‌ସି କମିଶନରଙ୍କ ନେତୃତ୍ବରେ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ