ଏକ ଦିବସୀୟ ସାଧନା ଦିବସ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ବ୍ରହ୍ମପୁର : ଦିବ୍ୟ ଜୀବନ ସଂଘ, ନୂଆଗାଁ ଶ୍ରୀ ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ସଦ୍ଗୁରୁଦେବ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ଏବଂ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହରାଜଙ୍କ ଅପାର କୃପାରୁ ସଭାପତି ଭଗବାନ ନାୟକଙ୍କ ସଭାପତିତ୍ୱରେ ଏକ ଦିବସୀୟ ସାଧନା ଶିବିର ସହ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପାଳିତ ହୋଇଅଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବ୍ରାହ୍ମ ମୁହୁର୍ତ୍ତରେ ଜୟଗଣେଶ କୀର୍ତ୍ତନ, ଗୁରୁ ସ୍ତୋତ୍ର, ଗୁରୁପାଦ ପୂଜା, ଶନିଶ୍ଚର ସ୍ତୋତ୍ରମ୍, ଶ୍ରୀସୂକ୍ତମ୍, ସଦ୍ଗୁରୁ ସ୍ୱାମୀ ଶିବାନନ୍ଦ ଓ ଚିଦାନନ୍ଦଙ୍କ ଅର୍ଚ୍ଚନା କରାଯିବା ସହ ଭଜନ କୀର୍ତ୍ତନ କରାଯାଇଥିଲା । ଶିବିରରେ ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ଥ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ଭୂମାନନ୍ଦ ଗିରି ଯୋଗଦାନ କରି ଆଶୀର୍ବଚନ ପ୍ରଦାନ କରିଥିଲେ । ସାଧନା ଶିବିରରେ ଦକ୍ଷିଣାଞ୍ଚଳ ସମନ୍ୱୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଦକ୍ଷିଣାଞ୍ଚଳ ସମନ୍ୱୟ ସମିତିର ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ଯୋଗଦାନ କରିଥିଲେ । ପ୍ରବଚକ ଟି.ଭି. ଭାସ୍କର ରାଓ, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ଜୀବନ ଓ ଦର୍ଶନ ଉପରେ ସାରଗର୍ଭକ ପ୍ରବଚନ ପ୍ରଦାନ କରିଥିଲେ । ସ୍ୱାମୀଜୀମାନେ କହିଥିଲେ ସ୍ୱାମୀ ଶିବାନନ୍ଦ ଓ ସ୍ୱାମୀ ଚିଦାନନ୍ଦ ଦୁହେଁ ଏକ । ନାମ, ରୂପ ଅଲଗା ହେଲେ ସୁଦ୍ଧା ଗୁରୁ ଶିଷ୍ୟ ଏକ ଅଟନ୍ତି । ସ୍ୱାମୀଜୀଙ୍କ ସାନ୍ନିଧ୍ୟ ପ୍ରାପ୍ତ କରିବା ସକାଶେ ଶ୍ରଦ୍ଧା, ନିଷ୍ଠା ଓ ଭାବର ଆବଶ୍ୟକତା ରହିଛି । ଯେଉଁ ଭକ୍ତମାନେ ପ୍ରକାର ଗୁଣ ସମ୍ପନ୍ନ ସହ ପ୍ରାର୍ଥନା କରିଥାନ୍ତି, ସେମାନେ ସ୍ୱାମୀଜୀଙ୍କ କୃପାରୁ ଈଶ୍ୱର ସାକ୍ଷାତକାର ପାଇଥାନ୍ତି ବୋଲି ଜୟ ଚନ୍ଦ୍ର କହିଥିଲେ । କାର୍ଯ୍ୟକ୍ରମରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ମାର୍ବଲ ପ୍ରସ୍ତରରେ ନିର୍ମିତ ଏକ ମୂର୍ତ୍ତି ଉପସ୍ଥିତ ସ୍ୱାମୀଜୀମାନଙ୍କ ଦ୍ୱାରା ଉନ୍ମୋଚନ କରିବା ସହିତ ଜ୍ଞାନ ଯଜ୍ଞ ପ୍ରସାଦ ବଣ୍ଟନ କରାଯାଇଥିଲା । ଆଖପାଖ ଅଞ୍ଚଳର ୩୦ ଗୋଟି ଦିବ୍ୟ ଜୀବନ ସଂଘର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ପ୍ରାୟ ୪୦୦ରୁ ଉଦ୍ଧ୍ୱର୍ ବ୍ୟକ୍ତି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ