ଏଚଆଇଭିଙ୍କୁ ରାସନ ମନା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଗଛମୂଳେ ରହୁଥିବା ଲୋକଟିଏ ରାସନ ସାମଗ୍ରୀ ପାଇବାକୁ ବାଧ୍ୟତାମୂଳକ ଥିବାବେଳେ ଏହାର ଅନେକ ବ୍ୟତୀକ୍ରମ ଦେଖିବାକୁ ମିଳୁଛି । ବ୍ୟବସ୍ଥାଗତ ତୃଟି ଯୋଗୁ ଯୋଗ୍ୟ ହିତାଧିକାରୀଟିଏ ଖାଦ୍ୟ ସୁରକ୍ଷା ଆଇନରୁ ବାଦ ପଡୁଛନ୍ତି । ଫଳରେ ନାମମାତ୍ର, ଗରୀବ, ଅସହାୟ ଲୋକମାନେ ରାସନ ସାମଗ୍ରୀ ପାଇପାରୁନାହାଁନ୍ତି । ଏପରିକି ମାରାତ୍ମକ ରୋଗରେ ପୀଡିତ ଥିବା ଲୋକ ମଧ୍ୟ ରାସନ ସାମଗ୍ରୀ ମୁଠେ ନପାଇବା ବ୍ୟବସ୍ଥାଗତ ତୃଟିକୁ ପଦାରେ ପକାଇଛି । ମିଳିଥିବା ଅଭିଯୋଗ ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ଅଞ୍ଚଳର ସ୍ୱାମୀ ସ୍ତ୍ରୀ ଦୁଇଜଣ ଏଚଆଇଭି ପଜେଟିଭ ଥିବାବେଳେ ବିପିଏଲ ପରିବାରର ବ୍ୟକ୍ତି ଅଟନ୍ତି । ଦରିଦ୍ର ସୀମାରେଖାତଳେ ଥାଇ ସେମାନେ ରାସନକାର୍ଡ ଖଣ୍ଡିଏ ପାଇବା ପାଇଁ ଯଥାସାଧ୍ୟ ଚେଷ୍ଟା କରିଥିଲେ ସୁଦ୍ଧା ଯୋଗାଣ ବିଭାଗ ଏହା ଉପରେ ଦୃଷ୍ଟି ଦେଉନାହିଁ । ଯେଉଁଥି ପାଇଁ ଜଣେ ସ୍ୱେଚ୍ଛାସେବୀଙ୍କ ଜରିଆରେ ଆକ୍ରାନ୍ତ ବ୍ୟକ୍ତି ବିଡିଓଙ୍କ ନିକଟକୁ ରାସନକାର୍ଡ ଖଣ୍ଡିଏ ପାଇବା ପାଇଁ ଦରଖାସ୍ତ ପଠାଇଛନ୍ତି । ସୁତରାଂ ଏଭଳି ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ଯଥାଶୀଘ୍ର ସଂଯୋଗ କରି ରାସନ ସାମଗ୍ରୀ ଯୋଗାଇବାକୁ ଦାବି ହୋଇଛି ।