ଏଚ.ଆର.ପି.ସି.ଏ.ଡି.ଜିଙ୍କୁ ଭେଟିଲେ ପିଡିତା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟର ସଭାପତିଙ୍କ ନାମରେ ସେହି ସୋସାଇଟର ଜନୈକ ମହିଳା କର୍ମଚାରୀଙ୍କୁ ଯୈାନ ଶୋଷଣ କରିଥିବା ନେଇ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ପଞ୍ଜିକୃତ ହେବା ପରେବି ପୋଲିସର ନିଷ୍କ୍ରିୟତା ବିରୋଧରେ ବୁଧବାର ପିଡିତା ଯୁବତୀ ଜଣକ ସ୍ଥାନୀୟ ସର୍କିଟ ହାଉସରେ ମାନବୀକ ଅଧିକାର କମିଶନ ସେଲର(ଏଚ.ଆର.ପି.ସି.) ଅତିରିକ୍ତ ପୋଲିସ ମହାନିର୍ଦେଶକ (ଏ.ଡି.ଜି.) ଏସ.ଏମ. ନରଭାନେଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ଗତ ଅପ୍ରେଲମାସ ୨୭ତାରିଖରେ ପିଡିତା ଯୁବତୀ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିବା ପରେବି ଥାନା ପକ୍ଷରୁ ବହୁ ବିଳମ୍ବରେ ଅର୍ଥାତ ୨ମାସ ପରେ ଜୁଲାଇମାସ ୨୩ତାରିଖରେ କେଶନମ୍ବର ୧୩୮/୨୦୧୯ରେ ଭାରତୀୟ ପିଙ୍ଗଳ କୋର୍ଡର ଧାରା ୫୦୯,୩୫୪(ଖ)(୧),୫୦୬ ଓ ୨୯୪ ଦଫାରେ ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ନଛିପଡା ଗ୍ରାମର ଜନୈକା ଯୁବତୀ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଥିଲେ ଯେ ସେ କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟର ବୀମା ପରାମର୍ଶଦାତା କମଳାକାନ୍ତ ସୁଆରଙ୍କ ମାଧ୍ୟମରେ ଏକଲକ୍ଷ ଟଙ୍କା ଲାଂଚ ଦେଇ କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟରେ କ୍ଲରିକାଲ ପଦରେ ପ୍ରାୟ ଏକବର୍ଷ ହେବ କାମ କରିଆସୁଥିବା ବେଳେ ଗତ କିଛିମାସ ହେବ ସୋସାଇଟିର ସଭାପତି ମୋବାଇଲ ଶିଖିବା ନାଁରେ ସଂପୃକ୍ତ ଅଭିଯୋଗକାରିଣି ଯୁବତୀଙ୍କୁ ବାରମ୍ବାର ଫୋନ କରିବା,ଭିଡିଓକଲ କରି ତାଙ୍କ ଚାମ୍ବରକୁ ଯିବାକୁ ବାଧ୍ୟ କରୁଥିଲେ । ଏତଦବ୍ୟତିତ ସଂପୃକ୍ତ ଯୁବତୀ ସୋସାଇଟିର ସଭାପତିଙ୍କ ଚାମ୍ବରକୁ ଗଲେ ତାଙ୍କୁ ସଭାପତି ନାନା ପ୍ରକାର ଅଶ୍ଳୀଳ ଇଙ୍ଗିତ କରୁଥିବା ଏବଂ ଦିନେ ସଭାପତି ୁ ତାଙ୍କ ଚାମ୍ବରକୁ ଡାକି ଜୋରଜବରଦସ୍ତ ସଂପୃକ୍ତ ଯୁବତୀଙ୍କ ବେକରେ ଏକ ସୂତା ପିନ୍ଧାଇବା ବାହାନାରେ ଯୁବତୀଙ୍କ ଶରୀରର ବିଭିନ୍ନ ବ୍ୟକ୍ତିଗତ ଅଂଶକୁ ଜାଣିଶୁଣି ଛୁଇଁ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏତଦଭିନ୍ନ ଅଭିଯୋଗକାରିଣୀଙ୍କୁ ସଭାପତି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଆକୃଷ୍ଟ କରିବାକୁ ପ୍ରୟାସ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏହାଛଡା ସଭାପତି ଶ୍ରୀ ସାହୁଙ୍କର ଗୋପଠାରେ ଥିବା ଫାରମରର୍ସ ସୋସାଇଟିକୁ ସନ୍ଧ୍ୟାରେ ଏକୁଟିଆ ଯିବାକୁ ଅଭିଯୋଗକାରିଣୀଙ୍କୁ ଶ୍ରୀ ସାହୁ ବାଧ୍ୟ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏସବୁକୁ ସଂପୃକ୍ତ ଯୁବତୀ ଜଣକ ପ୍ରତିବାଦ କରିବାରୁ ତାଙ୍କୁ ଦୂର ସ୍ଥାନକୁ ବଦଳି କରିଦେବାକୁ ଧମକ ଦେଉଥିଲେ ସୋସାଇଟି ସଭାପତି ଶ୍ରୀ ସାହୁ ଏବଂ ଶେଷରେ ତାଙ୍କ କଥାରେ ରାଜି ନହେବାରୁ ଯୁବତୀଙ୍କୁ ମାର୍ଶାଘାଇକୁ ବଦଳି କରିଦିଆଗଲା ବୋଲି ସେ ଅଭିଯୋଗ କରିଛନ୍ତି । ଏ ସମସ୍ତ ଘଟଣା ଘରେ କହିବା ପରେ ଯୁବତୀଙ୍କ ବୋଉ ସୋସାଇଟିକୁ ଆସି ସଭାପତିଙ୍କୁ ପଚାରିବାରେ ସଭାପତି ସଂପୃକ୍ତ ଯୁବତୀ ଏବଂ ତାଙ୍କ ବୋଉଙ୍କୁ ର୍ଦୂୂବ୍ୟବହାର କରିବା ସହିତ ଖରାପଭାଷାରେ ଗାଳିଗୁଲଜ କରିଥିଲେ ବୋଲି ସେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ଶ୍ରୀ ସାହୁ ଜଣେ ପ୍ରଭାବ ଶାଳି ବ୍ୟକ୍ତି ହୋଇଥିବାରୁ ଅଭିଯୋଗକାରିଣୀଙ୍କ ଜୀବନପ୍ରତି ବିପଦ ରହିଛି ଓ ତାଙ୍କୁ ପୋଲିସ ସୁରକ୍ଷା ପ୍ରଦାନ କରାଯିବାକୁ ସେ ଟାଉନ ଥାନା ଅଧିକାରୀଙ୍କୁ ଲିଖିତ ନିବେଦନ କରିଥିଲେ । କିନ୍ତୁ ତାଙ୍କର ଅଭିଯୋଗକୁ ପଞ୍ଜିକୃତ ନକରାଯିବା ସହିତ ତାଙ୍କୁ ପୋଲିସ ସୁରକ୍ଷା ମଧ୍ୟ ପ୍ରଦାନ କରାଯାଇନଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ନିର୍ଯ୍ୟାତନା ଓ ଶୋଷଣର ଶୀକାର ହୋଇ ଶେଷରେ ପିଡିତା ଜଣକ ଚାକିରୀରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ସେହି ଇସ୍ତଫାକୁ ଗ୍ରହଣ କରାନଯାଇ ସୋସାଇଟି ପକ୍ଷରୁ ପିଡିତାଙ୍କୁ ଟରମିନେଟ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଉଭୟ ଟାଉନ ଥାନାରେ ଲିଖିତ ଭାବେ ଓ ଅନ ଲାଇନରେ ପିଡିତା ଜଣଙ୍କ ଗତ ଅପ୍ରେଲମାସ ୨୭ତାରିଖରେ ପୋଲିସକୁ ଅଭିଯୋଗ କରିଥିଲେ । ପରେ ଥାନାରୁ ନ୍ୟାୟ ନପାଇ କୋର୍ଟରେ ମାମଲା ଦାୟର କରି କୋର୍ଟଙ୍କ ନିର୍ଦେଶ ପରେ ଥାନା ଅଧିକାରୀ ଅଭିଯୋଗର ପ୍ରାୟ ତିନିମାସ ପରେ ଜୁଲାଇମାସ ୨୩ତାରିଖରେ ପିଡିତା ଯୁବତୀଙ୍କ ଅଭିଯୋଗକୁ ପଞ୍ଜିକୃତ କରିଦେଇଥିଲେ ମଧ୍ୟ ଅଦ୍ୟାବଧି ସେହି ଅଭିଯୋଗ ଉପରେ କୈାଣସି ପଦକ୍ଷେପ ନିଆଯାଇନଥିବା ପିଡିତା ଜଣଙ୍କ କାନ୍ଦି କାନ୍ଦି ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଏସପିଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ନିଆନଯିବାରୁ ପିଡିତା ଯୁବତୀ ଜଣଙ୍କ ଆଜି କେନ୍ଦ୍ରାପଡା ଗସ୍ତରେ ଆସିଥିବା ଏଚ.ଆର.ପି.ସି. ଏ.ଡି.ଜି. ଶ୍ରୀ ନରଭାନେଙ୍କୁ ସର୍କିଟହାଉସରେ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ଏ.ଡି.ଜି. ଶ୍ରୀ ନରଭାନେ ସେହି ଅଭିଯୋଗ ଉପରେ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପି ନୀତି ଶେଖରଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଅନ୍ୟପକ୍ଷରେ କେନ୍ଦ୍ରାପଡା କ୍ରେଡିଟ କୋପରେଟିଭ ସୋସାଇଟିର ସମ୍ପାଦକ ପ୍ରହଲ୍ଲାଦ ସାହୁ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୋସାଇଟକୁ ବଦନାମନି କରିବା ପାଇଁ ସୋସାଇଟି ନାମରେ ମିଥ୍ୟା ପ୍ରଚାର କରାଯାଉଥିବା ଅଭିଯୋଗ କରିଛନ୍ତି । ଏଥିସହିତ ଆଜି ସନ୍ଧ୍ୟାରେ ସୋସାଇଟିକୁ ବଦନାମ କରାଯିବା ବିରୋଧରେ ପଦକ୍ଷେପ ନେବାକୁ କେନ୍ଦ୍ରାପଡା ଏସପିଙ୍କ ଉଦେଶ୍ୟରେ ସୋସାଇଟି ପକ୍ଷରୁ ସମ୍ପାଦକ ପ୍ରହଲ୍ଲାଦ ସାହୁ,ଅତିରିକ୍ତ ସମ୍ପାଦକ ଅରବିନ୍ଦ ସାହୁ,ମନୋଜ କୁମାର ସାହୁ ପ୍ରମୁଖ ଏକଦାବିପତ୍ର ପ୍ରଦାନ କରିଥିବା ସୋସାଇଟି ସମ୍ପାଦକ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ