ଏଜି ଛକରେ ଖୋଲିବ ଆରଟିଓ ସେଣ୍ଟର
ଭୁବନେଶ୍ୱର : ଡ୍ରାଇଭିଂ ଲାଇସେନ୍ସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏଜି ଛକରେ ଖୋଲିବା ଆରଟିଓ ସେଣ୍ଟର । ଏଜି ଛକ ସ୍ଥିତ ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସଆରଟିସି) କ୍ୟାମ୍ପସରେ ଏହି କାଉଣ୍ଟର ଖୁବ୍ଶୀଘ୍ର ଖୋଲିବ । ଏ ନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଜି.ଶ୍ରୀନିବାସ । ତେବେ ଉପଯୁକ୍ତ ଜାଗା ନ ମିଳିବା କାରଣରୁ ଶିରିପୁରରେ ଆରଟିଓର ଅତିରିକ୍ତ କାଉଣ୍ଟର ଖୋଲାଯିବନି । ଚନ୍ଦ୍ରଶେଖରପୁରରେ ଆଜିଠାରୁ ଅସ୍ଥାୟୀ ଆରଟିଓ କାଉଣ୍ଟର ଖୋଲିଛି । ଚନ୍ଦ୍ରଶେଖରପୁରସ୍ଥିତ ବିଏମସିର ଉତ୍ତର ଜୋନ୍ କାର୍ଯ୍ୟାଳୟରେ ଏହି କାଉଣ୍ଟର ଖୋଲାଯାଇଛି । ପ୍ରଥମ ଦିନରେ ୧୦ ଜଣ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି । ସେହିପରି ଆସନ୍ତାକାଲିଠାରୁ କଳ୍ପନା ଛକ ପାଖ ବିଏମସି କାର୍ଯ୍ୟାଳୟରେ ଆରଟିଓ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି । ବୁଧବାର ସହିଦନଗର ୱାର୍ଡ ଅଫିସର ଆଉ ଏକ କେନ୍ଦ୍ର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଏଜି ଛକରେ ଖୁବ୍ଶୀଘ୍ର ଆରଟିଓ ଅଫିସ ଖୋଲିବାକୁ କାମ ଚାଲିଛି ।
ଆଗାମୀ ଦିନରେ ଆବଶ୍ୟକତାକୁ ଆଖି ଆଗରେ ରଖି ଅନ୍ୟ ସହରରେ ମଧ୍ୟ ଅଧିକ ଆରଟିଓ କେନ୍ଦ୍ର ଖୋଲିପାରେ । ପରିବହନ ସଚିବ ଶ୍ରୀନିବାସଙ୍କ କହିବାନୁଯାୟୀ ଦରକାର ପଡ଼ିଲେ ଲାଇସେନ୍ସ ଆବେଦନକାରୀଙ୍କ ସୁବିଧା ପାଇଁ ଭ୍ରାମ୍ୟମାଣ (ମୋବାଇଲ ଭ୍ୟାନ) ଗାଡ଼ି ବ୍ୟବସ୍ଥା କରାଯିବ । ବ୍ରହ୍ମପୁର, ଛତ୍ରପୁର, ରାୟଗଡ଼ାର ଗୁଣପୁରରେ ଏଭଳି ଭ୍ରାମ୍ୟମାଣ ଗାଡ଼ି ବ୍ୟବସ୍ଥା କରିବାକୁ ବିଚାର ବିମର୍ଷ କରାଯାଉଛି ।