ଏଡସ୍ ଭୟାବହତା
ଗଲା ୧ ତାରିଖ ଦିନ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଛି । ଏଡସ୍ ମହାମାରୀର ଭୟାବହତା ବୋଧ ହୁଏ କାହାରିକୁ ଅଛପା ନାହିଁ । ସାଂପ୍ରତିକ ସମୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱର ଧମକ ଭାବେ ଉଭା ହୋଇଥିବା ଆସନ୍ତା ୨୦୩୦ ସୁଦ୍ଧା ବିଶ୍ୱରୁ ଏଡସ୍ ମହାମାରୀର ମୂଳୋତ୍ପାଟନ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି, ସେଥିରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅବଦାନ ଆବଶ୍ୟକ କରେ । କହିବା ବାହୁଲ୍ୟ ଯେ, ଆଫ୍ରିକୀୟ ରାଷ୍ଟ୍ରଗୁଡିକ ବାହାରେ ଏଡସ୍ ପ୍ରଭାବିତ ରାଷ୍ଟ୍ରଗୁଡିକ ମଧ୍ୟରେ ଭାରତ ହେଉଛି ଅନ୍ୟତମ । ଉଲ୍ଲେଖଯୋଗ୍ୟ ଯେ, ୨୦୨୩-୨୪ ସୁଦ୍ଧା ଦେଶରେ ମୋଟ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬ଲକ୍ଷ ୮୯ ହଜାରରେ ପହଁଚିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଯାହାକି ପୂର୍ବବର୍ଷ ତୁଳନାରେ ୭.୩ ପ୍ରତିଶତ ଅଧିକ । ଯାହା ଏବେ ଉଦ୍ବେଗର କାରଣ । ଦେଶରେ ହରିଆନା, ପଞ୍ଜାବ, ହିମାଚଳ ପ୍ରଦେଶ, ଗୁଜରାଟ, ଆଦି ରାଜ୍ୟରେ ପୂର୍ବବର୍ଷ ତୁଳନାରେ ଏଡସ୍ ବା ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ହରିଆନାରେ ଗତ ପାଂଚ ବର୍ଷ ମଧ୍ୟରେ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିଗୁଣ ହୋଇଥିବାବେଳେ ପଞ୍ଜାବ ଓ ହିମାଚଳ ପ୍ରଦେଶରେ ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ଉଲ୍ଳେଖନୀୟ ଭାବେ ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କୁହାଯାଏ । ଆମ ରାଜ୍ୟରେ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦୦ ବୃଦ୍ଧି ପାଇଥିବାବେଳେ ଚାରୋଟି ଜିଲ୍ଲା ତଥା ଗଞ୍ଜାମ, କଟକ, ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାର ସ୍ଥିତି ଗମ୍ଭୀର ରହିଥିବା ସରକାରୀ ତଥ୍ୟ କହେ । ରାଜ୍ୟରେ ବର୍ଷକ ମଧ୍ୟରେ ୨୫୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩,୪୩୭ରେ ପହଁଚିଛି । ସେହିପରି ରାଜ୍ୟରେ ଲୋକସଂଖ୍ୟା ଦୃଷ୍ଟିରୁ ପ୍ରତି ୭୦୦ ଜଣରେ ଜଣେ ଆକ୍ରାନ୍ତ ହେଉଥିବା ପରିସଂଖ୍ୟାନରୁ ଜଣାପଡିଥିବାବେଳେ ବର୍ଷକୁ ପ୍ରାୟ ୪୦୦ରୁ ୫୦୦ ଜଣଙ୍କର ମୃତ୍ୟୁ ଘଟୁଥିବା ଓ ସାକ୍ସ ସୂତ୍ରରୁ ଜଣାଯାଇଛି । ଗତ ୨୦୨୩ ନଭେମ୍ବର ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦,୮୮୬ ଥିବାବେଳେ ଚଳିତ ବର୍ଷ ଏହି ଅବଧି ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୬୩,୪୩୭ରେ ପହଁଚିଥିବା ରିପୋର୍ଟ କହେ । ସେହିପରି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୯,୧୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରେ ୭୯୯୪, ଖୋର୍ଦ୍ଧାରେ ୪୨୧୦ ଏବଂ ସମ୍ବଲପୁରରେ ୩୮୦୭ ଜଣ ଚିହ୍ନଟ ହୋଇଅଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ୪୨,୫୦୨ ପୁରୁଷ, ୨୦,୯୪୫ ଜଣ ମହିଳା ଓ ୨୩,୪୭୧ ଜଣ ଯୁବବର୍ଗ ରହିଛନ୍ତି । ଏହା ନିସନ୍ଦେହ ଯେ, ଦେଶରେ ଗତ ଚାରି ଦଶନ୍ଧି ଧରି ବ୍ୟାପକ ସଚେତତନତା ଓ ବିଭିନ୍ନ କାର୍ଯ୍ୟକ୍ରମ ସତ୍ୱେ ଏଡସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନିଶ୍ଚିତ ଭାବେ ଚିନ୍ତାଜନକ । ଜାତୀୟ ଏଡସ୍ କଂଟ୍ରୋଲର ସଂଗଠନ ପକ୍ଷରୁ ଟେଷ୍ଟ ଆଣ୍ଡ ଟ୍ରିଟ୍ (ପରୀକ୍ଷା ଏବଂ ଚିକତ୍ସା) ଜାରି ରହିଥିବାବେଳେ ଜୀବନସାରା ଆକ୍ରାନ୍ତଙ୍କୁ ମାଗଣା ଚିକିତ୍ସା ପ୍ରଦାନ ହେଉଛି ସବୁଠାରୁ ବଡ ଉପଲବ୍ଧ । ପୂର୍ବରୁ ଲୋକଲଜ୍ୟା ଭୟରେ ଚିକିତ୍ସା ପାଇଁ କେହି ଆକ୍ରାନ୍ତ ଆଗେଇ ଆସୁନଥିବାବେଳେ ଏବେ କିନ୍ତୁ ତାହା ଅତୀତ ହୋଇଯାଇଛି । ଯାହାର ପରିଣତି ସ୍ୱରୁପ ୨୦୧୦ ମସିହା ପରଠାରୁ ଏଡସ୍ ମୃତ୍ୟୁ ୮୦ ପ୍ରତିଶତ ହ୍ରାସ ପାଇଛି । ସେହିପରି ମାଗଣା ଚିକିତ୍ସା ଦ୍ୱାରା ଗତ ଦଶନ୍ଧି ମଧ୍ୟ ବାର୍ଷିକ ହାରାହାରୀ ୪୪ପ୍ରତିଶତ ମାମଲା ହ୍ରାସ ପାଇଥିବା କୁହାଯାଏ । ଏହା ସତ୍ୱେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ଏଚଆଇଭି/ଏଡସ୍ ନିରାକଷ୍ଣ କ୍ଷେତ୍ରରେ ବ୍ୟାପକ ସଚେତନତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି । ଏହା ନିସନ୍ଦେହରେ କୁହାଯାଇପାରେ କିନ୍ତୁ ଏହା ସତ୍ୱେ ଯୌନ କର୍ମୀ, ଯାଯାବର, ନିଶାସକ୍ତଙ୍କୁ ବ୍ୟାପକ ସଚେତନତା କରିବାର ଆବଶ୍ୟକ ରହିଛି । କ୍ଷଣିକ ସୁଖ ପାଇଁ ଏଡସ୍ ମହାମାରୀ ଜୀବନ ନେଉଛି । ଅସୁରକ୍ଷିତ ଯୌନ ସମ୍ଭୋଗ, ବ୍ୟବହୃତ ସିରିଞ୍ଜରେ ନିଶା ସେବନ, ଆଦି ଏଡସ୍ ସଂକ୍ରମଣର ମୂଳକାରଣ ହୋଇଥିବାବେଳେ ଏଥିପ୍ରତି ସଚେତନ ରହିବା ଜରୁରୀ । ଏହି ସଚେତନତା କେବଳ ଅପବାଦ, ଲୋକଲଜ୍ୟା, ଘୃଣାରୁ ସୁରକ୍ଷିତ ରଖିବ ନାହିଁ, ଅମୂଲ୍ୟ ଜୀବନକୁ ସୁରକ୍ଷିତ ରଖିପାରିବ । ଯଥାର୍ଥ ସ୍ୱାସ୍ଥ୍ୟ ସଚେତନତା ଶୃଙ୍ଖଳିତ ଜୀବନଶୈଳୀ ଏହି ମାରାତ୍ମକ ମହାମାରୀକୁ ମୂଳୋପାଟନ କରିବା ଏକ ସୁସ୍ଥ ଓ ସୁଖୀ ସମାଜ ଗଠନରେ ସହାୟକ ହୋଇପାରିବ । ଏଡସ୍ର ଶୂନ୍ୟ ସମାଜ ଗଠନ ପାଇଁ ଯୁବବର୍ଗ ସଂକଳ୍ପବଦ୍ଧ ହେବା ଜରୁରୀ । ଅନ୍ୟଥା ବିଶୃଙ୍ଖଳା ଜୀବନ ଶୈଳୀ ଜୀବନ ନେବା ସାର ହେବ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ


