ଏଡ଼ସ ନିୟନ୍ତ୍ରଣ କର୍ମଚାରୀଙ୍କ ପକ୍ଷରୁ ଦାବୀପତ୍ର ପ୍ରଦାନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର ଦେଶରେ ଏଡ଼ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ ରେ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ବୃଦ୍ଧି କରାନଯିବା ଏବଂ ସେମାନଙ୍କୁ ଉପେକ୍ଷା କରାଯାଉଥିବାରୁ ସଙ୍ଘ ଏହାକୁ ତୀବ୍ର ବିରୋଧ କରିଛି । ଏଡ଼ସ ରୋଗରେ ପୀଡିତ ରୋଗୀ ମାନଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ କରି ଏହି ରୋଗର ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କର୍ମଚାରୀ ମାନଙ୍କ ବହୁ ପ୍ରତୀକ୍ଷିତ ନାର୍ଯ୍ୟ ବେତନ ବୃଦ୍ଧି ୨୦୧୭ ମସିହାରୁ ପ୍ରାପ୍ୟ ହୋଇଥିଲେ ମଧ୍ୟ ଏହାକୁ ଜାଣି ଶୁଣି ଅହେତୁକ ବିଳମ୍ବ କରାଯାଉଥିବା ଅଭିଯୋଗ ହେଉଛି । କର୍ମଚାରୀ ମାନଙ୍କ ପକ୍ଷରୁ ବହୁ ବାର ଅନୁରୋଧ ପରେ ମଧ୍ୟ ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂଗଠନ ପକ୍ଷରୁ ଦୀର୍ଘଦିନ ଧରି ନିଷ୍ଠାର ସହ କାର୍ଯ୍ୟ କରୁଥିବା ବରିଷ୍ଠ କର୍ମୀଙ୍କର ପ୍ରାପ୍ୟ ଗୋଟିଏ ଟଙ୍କା ମଧ୍ୟ ବୃଦ୍ଧି କରି ନାହାନ୍ତି। ଅନ୍ୟପକ୍ଷରେ ସେମାନଙ୍କ ମାନସିକ ସାମାଜିକ ଏବଂ ଆର୍ଥିକ ସନ୍ତୁଳନକୁ ଅସ୍ତିର କରିବା ପାଇଁ ଚେଷ୍ଟା କରାଯାଉଥିବା ଅଭିଯୋଗ ହେଉଛି । କାର୍ଯ୍ୟରତ ଡାକ୍ତରମାନଙ୍କ ଦରମା ଦୁଇ ଗୁଣା କଲା ପରେ ମଧ୍ୟ ତୃଣମୂଳ ସ୍ତରରେ ସେବା ପ୍ରଦାନ କରୁଥିବା କର୍ମଚାରୀ ମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ରାଜ୍ୟ ସଙ୍ଘ ମଧ୍ୟ ଏହି ବିରୋଧରେ ପ୍ରଦର୍ଶନରେ ସାମିଲ ହୋଇଛି । କନ୍ଧମାଳ ଜିଲ୍ଲାରେ ଏଡ୍ସ ନିୟନ୍ତ୍ରଣ ବିଭାଗରେ ଛ ଜଣ କର୍ମଚାରୀ ଦେବାଶିଷ ମିଶ୍ର, ଗୋବିନ୍ଦ ଚନ୍ଦ୍ର ଜେନା, ଗୀତାଞ୍ଜଳୀ ପଣ୍ଡା,ନନ୍ଦିକିଶୋର କହଁର, ଉଲ୍ଲାସ ଚରଣ ସ୍ବାଇଁ,ଲକ୍ଷ୍ମୀଧର ମଣ୍ଡଳ କାର୍ଯ୍ୟରତ ଥିବାବେଳେ ଆଜି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କାଉନସିଲର ଗୀତାଞ୍ଜଳୀ ପଣ୍ଡା ଓ ଉଲ୍ଲାସ ଚରଣ ସ୍ବାଇଁ ଏନେଇ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଉପଖଣ୍ଡ ଚିକିତ୍ସାଳୟର ସୁପର ଟେଣ୍ଡେଣ୍ଟଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ପ୍ରକାରେ ଏଡ୍ସ ନିୟନ୍ତ୍ରଣ କାର୍ଯ୍ୟକ୍ରମ,ଏନ୍ଏଚ୍ଏମ୍ କାର୍ଯ୍ୟକ୍ରମ ଠାରୁ ବହୁ ପୁରାତନ କାର୍ଯ୍ୟକ୍ରମ ଭାବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ଏହି କର୍ମଚାରୀ ମାନେ ଏନ୍ଏଚ୍ଏମ୍ କର୍ମଚାରୀ ମାନଙ୍କୁ ପ୍ରାପ୍ତ ହେଉଥିବା ଇପିଏଫ,ପିଆଇ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବରିଷ୍ଠ ଭତ୍ତା ଇତ୍ୟାଦିରୁ ସମସ୍ତେ ବଞ୍ଚିତ ଅଛନ୍ତି । ଏଣୁ ଏମାନଙ୍କ ଦୁରାବସ୍ଥାକୁ ସହୃଦୟର ସହିତ ବିଚାର କରି ବେତନ ବୃଦ୍ଧି କରିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି ହେଉଛି । କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଯଦି ତୁରନ୍ତ ପଦକ୍ଷେପ ନିଅନ୍ତି ତେବେ ଦେଶବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଦିଲ୍ଲୀ ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନେଇ ଥିବାର ରାଜ୍ୟ ସଂଘ ତରଫରୁ ଘୋଷଣା କରାଯାଇଛି। ତେଣୁ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ବିଚାରକୁ ନେବା ପାଇଁ ସଂଘର ରାଜ୍ୟ ସଭାପତି ସତୀଶ ବିଶ୍ବାଳ ଉଭୟ ସରକାରଙ୍କ ଠାରେ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ