ଏତଲା ପରେ ପ୍ରାଇଭେଟ ସ୍କୁଲ୍ରେ ବହି ବିକ୍ରି ବନ୍ଦ
ଭୁବନେଶ୍ୱର, : କରୋନାର କରାଳ ପ୍ରଭାବକୁ ଲକ୍ଷ୍ୟ କରି ରାଜ୍ୟ ସରକାର ସବୁ ସ୍କୁଲ୍ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସଦାସର୍ବଦା ଅଭ୍ୟାସଗତ ଆଇନ୍ ଉଲଂଘନକାରୀ ପ୍ରାଇଭେଟ ସ୍କୁଲ୍ମାନେ ଏହି ସମୟକୁ ସୁବର୍ଣ୍ଣସୁଯୋଗ ଭାବି ସ୍କୁଲ୍ ପରିସରରେ ବିହ ବିକ୍ରି କରୁଛନ୍ତି । ଗତକାଲି ମହାସଂଘ ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଫେରାଦ ହୋଇଥିଲ । ଜିଲ୍ଲାପାଳ ମଧ୍ୟ ଡ଼ି.ଇ.ଓ. ଏବଂ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସ୍କୁଲ୍ ବନ୍ଦ କରିବା ସହିତ ବହି ବିକ୍ରିକୁ ବନ୍ଦ କରିବାକୁ ତଦାରଖ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ଏହି କ୍ରମରେ ଓଡ଼ିଶା ଅଭିଭାବକ ମହାସଂଘର ଏକ ପ୍ରତିନିଧି ଦଳ ଭୁବନେଶ୍ୱରର ସମସ୍ତ ଏ.ସି.ପି. ଓ ଆଇ.ଆଇ.ସି.ମାନଙ୍କୁ ଭେଟି ଆଇନ୍ ଉଲଂଘନକାରୀ ପ୍ରାଇଭେଟ ସ୍କୁଲ୍ମାନଙ୍କ ବିରୋଧରେ, ଏତଲା ଦେଲା ପରେ ସ୍କୁଲ୍ମାନଙ୍କୁ ଥାନା ଅଧିକାରୀ ତାଗିଦ କରିବା ପରେ ପୁସ୍ତକ ବିକ୍ରି ବନ୍ଦ କରାଯାଇଥିଲା । ଯଦି କାଲିଠାରୁ ଏପରି କରନ୍ତି ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଥାନା ଅଧିକାରୀମାନେ ମଧ୍ୟ କହିଛନ୍ତି । ପ୍ରକାଶଥାଉକି ପ୍ରାଇଭେଟ ସ୍କୁଲ୍ମାନେ ବିଭିନ୍ନ ପ୍ରାଇଭେଟ ପବ୍ଲିକେଶନର ବହି ଗୁଡ଼ିକ ଏନ୍ସିଇଆରଟି ମୂଲ୍ୟଠାରୁ ବହୁଗୁଣା ଚଢା ଦରରେ ବିକ୍ରି କରିବା ସହିତ ଅଭିଭାବକମାନଙ୍କୁ ଆର୍ଥିକ ଶୋଷଣ ଓ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟଧିକ ବସ୍ତାନୀ ବୋଝ ପାଇଁ ବାଧ୍ୟ କରିବାରୁ ମହାସଂଘ ବହୁଦିନ ଧରି ଏ ସଂକ୍ରାନ୍ତରେ ସ୍ୱର ଉତ୍ତୋଳନ କରିଆସୁଛି । ପ୍ରାଇଭେଟ ସ୍କୁଲ୍ମାନେ ମଧ୍ୟ ଅଯଥାରେ ଅଭିଭାବକମାନଙ୍କୁ ଚଢା ଦରରେ ଖାତା, କଲମ, ଡ୍ରେସ୍ ଓ ଅନ୍ୟାନ୍ୟ ପଠନ ସାମଗ୍ରୀ କିଣିବାକୁ ଅଭିଭାବକମାନଙ୍କୁ ଏକ ପ୍ରକାର ବାଧ୍ୟ କରୁଛନ୍ତି ଏବଂ ଧମକ ଦେଇଛନ୍ତି । ଏହି କ୍ରମରେ ମହାସଂଘ ସେମାନଙ୍କଠାରୁ ପୁସ୍ତକ ଓ ଅନ୍ୟାନ୍ୟ ସାମଗ୍ରୀ ନ କଣିବାକୁ ଅଭିଭାବକମାନଙ୍କୁ ଅନେକବାର ନିବେଦନ କରିଆସୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ସରକାରଙ୍କ କଡ଼ା ନିର୍ଦ୍ଦେଶକୁ ବେଖାତିର କରି ସ୍କୁଲ୍ମାନେ ଅଭିଭାବକମାନଙ୍କୁ ବହି କିଣିବାକୁ କହିବା ଓ ଅଭିଭାବକମାନେ ସ୍କୁଲ୍ରେ ଏକତ୍ରିତ ହେବା କ’ଣ କରୋନା ଆଡ଼ଭାଇଜରିର ଉଲଂଘନ କରୁନାହିଁ କି? ତେଣୁ ଅଭିଭାବକମାନେ ମଧ୍ୟ ସଚେତନ ହେବାର ଯଥେଷ୍ଟ ଆବଶ୍ୟକତା ରହିଛି । ପ୍ରାଇଭେଟ ସ୍କୁଲ୍ମାନେ ଆରଟିଇ ନିୟମ ୨୦୦୯, ୭୫ ଜେ.ଜେ. ଆକ୍ଟ ଓ ସମ୍ବିଧାନରେ ଧାରା ୨୧(ଏ)କୁ ସମ୍ପୂର୍ଣ୍ଣ ଉଲଂଘନ କରୁଛନ୍ତି । ଅଭିଭାବକମାନେ ମହାସଂଘ ମଧ୍ୟ ଏତଲାରେ ଏହି ସବୁକୁ ଅଭିଯୋଗ କରୁଛି । ଆଜିର ଏହି ପ୍ରତିନିଧି ଦଳରେ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ-ଅଧ୍ୟକ୍ଷ ଭୂମୋହନ ପଟ୍ଟନାୟକ, ଶଙ୍କର ସାମନ୍ତରାୟ, ଦେବାଶିଷ ବସନ୍ତିଆ, ନନ୍ଦକିଶୋର ମଲ୍ଲିକ, ଶିଶିର ସାହୁ, ରମେଶ ଭାରତୀ ପ୍ରମୁଖ ଉପସ୍ଥିତ ଥିଲେ ।