ଏଥର ଦଶହରାରେ ରାଜ୍ୟର ଅଧିକାଂଶ ସ୍ଥାନରେ ହେବ ବର୍ଷା
ଭୁବନେଶ୍ୱର : ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କାଁ ଭାଁ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଉତ୍ତର ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ । ତେବେ ୬ ତାରିଖଠାରୁ ପାଗରେ ପରିବର୍ତନ ଆସିବ । ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ । ନବମୀ ଓ ଦଶମୀ ତଥା ଦଶହରାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ବିହାର ଓ ପୂର୍ବ ଉତ୍ତର ପ୍ରଦେଶରେ ଥିବା ଲଘୁଚାପ ବଳୟର ପ୍ରକୋପ ଶୁକ୍ରବାରଠାରୁ କମିବ । ୬ ତାରିଖ ବେଳକୁ ପଶ୍ଚିମବଙ୍ଗ, ଓଡ଼ିଶା ଉପରେ ଏକ ବିସ୍ତୃତ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ତେଣୁ ବର୍ତମାନ ରାଜ୍ୟକୁ ବହୁଥିବା ପଶ୍ଚିମା ପବନ ପରିବର୍ତ୍ତେ ସାମୁଦ୍ରିକ ପୂର୍ବା ପବନ ବହିବ । ଫଳରେ ରାଜ୍ୟରେ ବର୍ଷା ହେବ । ଅନୁମାନ କରାଯାଉଛି ଯେ ୪ରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କାଁ ଭାଁ ବର୍ଷା ହୋଇପାରେ । ୭ ତାରିଖରେ ବର୍ଷା ବଢ଼ିବ । ଅନେକ ସ୍ଥାନରେ ସ୍ୱଳ୍ପ ବର୍ଷା(୧୫ ମିମିରୁ କମ୍) ଓ ଅଳ୍ପ କେତେକ ସ୍ଥାନରେ ମଧ୍ୟମ ଧରଣ ବର୍ଷା(୧୫ରୁ ୨୫ ମିମି) ହୋଇପାରେ । ୮ ଓ ୯ ତାରିଖରେ ସମସ୍ତ ସ୍ଥାନରେ ମଧ୍ୟମଧରଣର ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ(୩୫ ମିମିରୁ ଅଧିକ) ବର୍ଷା ହେବାର ସମ୍ଭାବନା ରହିଛି । ୧୦ରୁ ୧୨ ତାରିଖ ଯାଏ ମଧ୍ୟ ବର୍ଷା ହେବ । ତେବେ ପରିମାଣ କମିବ । ୫ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପାଗ ଶୁଖିଲା ରହିବ । ୬ ତାରିଖରେ କେତେକ ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେବ । ୭ ଓ ୮ରେ ବର୍ଷା ବଢ଼ିବ ଓ ସମସ୍ତ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବ । ୯ରୁ ୧୨ ତାରିଖ ମଧ୍ୟରେ ବର୍ଷାର ପରିମାଣ କମିଲେ ମଧ୍ୟ ପ୍ରତ୍ୟେକ ଦିନ ବର୍ଷା ଲାଗିରହିବ । ପଶ୍ଚିମବଙ୍ଗ, ଓଡ଼ିଶା ଓ ଛତିଶଗଡ଼ରେ କୁମାରପୂର୍ଣ୍ଣିମା ପରେ ଅର୍ଥାତ୍ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି । ରାଜ୍ୟରେ ମୌସୁମୀ ବର୍ଷା ୨୨ ତାରିଖରେ ପ୍ରତ୍ୟାବର୍ତନ କରିବାର ସମ୍ଭାବନା ରହିଛି ।


