ଏନଏଚଆଇ କତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବ, ୬ଥାକିଆ ପରିବର୍ତ୍ତେ ଏକଥାକିଆ ରାସ୍ତାରେ ଯାତାୟତ କରୁଛି ଯାନବାହନ
ବାରିକପୁର, (ୱାଇଏନଏସ) ; ଭଣ୍ଡାରିପୋଖରୀ ବ୍ଲକ ଦେଇଯାଇଥିବା ୧୬ନଂ ଜାତୀୟ ରାଜପଥର ଏବେ ସଂପ୍ରସାରଣ କାର୍ଯ୍ୟ ଚାଲିଥିବାବେଳେ ଏନଏଚଆଇ କତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବରୁ ଲୋକେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଅନୁସାରେ ଭଣ୍ଡାରିପୋଖରୀ ପାଳଦାବାଙ୍କ ଠାରେ ରାସ୍ତା ପ୍ରଶସ୍ତିକରଣ ବେଳେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପୋଲ ନିର୍ମାଣ ହେଉଛି । କାମ କରୁଥିବା ଠିକା ସଂସ୍ଥା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ନିତ କରୁନଥିବାବେଳେ ଯାନବାହନ ଚଳାଚଳ ପାଇଁ ଏକ ସଙ୍କୀର୍ଣ୍ଣ ବିକଳ୍ପ ରାସ୍ତା ନିର୍ମାଣ କରିଛି । ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ଜାଣତରେ ଏଭଳି ଅନେକ ଭୁଲ କାର୍ଯ୍ୟ ହେଉଥିଲେ ସୁଦ୍ଧା ଠିକାସଂସ୍ଥା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଉଦାହରଣ ସ୍ୱରୂପ ଯାନବାହନ ବୃଦ୍ଧି ପାଉଥିବା କାରଣରୁ ପୂର୍ବରୁ ଚାରି ଥାକିଆ ରାସ୍ତାକୁ ଏବେ ପ୍ରଶସ୍ତିକରଣ କରାଯାଇ ଛଅ ଥାକିଆ କରାଯାଉଛି । ରାସ୍ତା କାମବେଳେ ଯେଉଁଠି ପୋଲ ନିର୍ମାଣ ହେଉଛି ସେଠି ପ୍ରାୟ ୩ଶହ ମିଟର ପର୍ଯ୍ୟନ୍ତ ଗାଡିଚଳାଚଳ ପାଇଁ ଅସ୍ଥାୟୀ ରାସ୍ତା ଖୋଲାଯାଉଛି । ଯେପରିକି ପାଳଦା ବାଙ୍କଠାରେ ପୋଲ ନିର୍ମାଣ ଯୋଗୁ ଯେଉଁ ଅସ୍ଥାୟୀ ରାସ୍ତାଟି ତିଆରି ହୋଇଛି ତାହା ଅତି ସଂଙ୍କୀର୍ଣ୍ଣ ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି । ଛଅ ଥାକିଆ ରାସ୍ତାରେ ଯାନବାହନ ଚଳାଚଳ କରୁଥିବାସତ୍ତ୍ୱେ ଏକ ଥାକିଆ ରାସ୍ତାରେ କେଉଁଭଳି ଗାଡିଘୋଡା ସହଜରେ ଯାତାୟତ କରିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରକୃତପକ୍ଷେ ଅସ୍ଥାୟୀ ରାସ୍ତାରେ ଯାନଗୁଡିକ ଯିବାବେଳେ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ମଧ୍ୟ ଯାଉଥିବା ନଜିର ରହିଛି । ଏପରିକି ୧୦୮ ଓ ଅନ୍ୟାନ୍ୟ ଜରୁରୀକାଳୀନ ଗାଡି ମଧ୍ୟ ଏହି ରାସ୍ତାରେ ଯିବା କଷ୍ଟକର ହୋଇପଡୁଛି । ସମୟସମୟ ଗାଡି ଗୁଡିକ ୧୫ରୁ୨୦ମି. ଯାଏଁ ଠିଆ ହେଉଥିବା ଦେଖିôବାକୁ ମିଳୁଛି । ଅସ୍ଥାୟୀ ରାସ୍ତାର ଦୈର୍ଘ୍ୟ ବୃଦ୍ଧି ପାଇଁ ପାଶ୍ୱର୍ରେ ଅନେକ ରାସ୍ତା ଫାଙ୍କା ଥିଲେ ସୁଦ୍ଧା ଏହାକୁ ଜାତୀୟ ରାଜପଥ କତ୍ତୃପକ୍ଷ କିମ୍ବା ଠିକା ସଂସ୍ଥା ଦୃଷ୍ଟି ଦେଇନାହାଁନ୍ତି । କେବଳ କାମଚଳା ଭାବେ ରାସ୍ତାଟେ ନିର୍ମାଣ କରିଦେଇ ଲୋକମାନଙ୍କୁ ଦୁର୍ଘଟଣା ମୁହଁକୁ ଠେଲିଦେଇଛନ୍ତି । ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

 
            
