ଏନଏସି ର ଶତ ପ୍ରତିଶତ ଗୃହକୁ ପାନୀୟ ଜଳ ଯୋଗାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରା ଏନଏସି ର ସମସ୍ତ ପରିବାରକୁ ପାନୀୟ ଜଳ ଯୋଗାଣ ନିମନ୍ତେ ଜନ ସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ଏକ ଓଭର ହେଡ଼ ଟ୍ୟାଙ୍କର ଭିତ୍ତିପ୍ରସ୍ତର ସ୍ଥାପନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ସହରର ପାନୀୟ ଜଳ ସମସ୍ୟା ସୁଧାରିବା ନିମନ୍ତେ ଏହା ସହାୟକ ହେବ । ଜନସାଧାରଣ ଦୀର୍ଘଦିନ ଧରି ଜଳକଷ୍ଟ ଭୋଗି ଆସୁଥିଲେ । ଜନ ସ୍ଵାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ୪ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ଓଭର ହେଡ ଟ୍ୟାଙ୍କ ଓ ଦୁଇ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଭୂତଳ ଟ୍ୟାଙ୍କ ନିର୍ମାଣ ହେବ । ଏହାସହିତ ପୋଲସରା ବନବିଭାଗ କାର୍ଯ୍ୟାଳୟ ନିକଟରୁ ଲଙ୍ଗଳେଶ୍ୱର ପାଇପ୍ ଲାଇନ ସଂଯୋଗୀକରଣ କରାଯିବା ପାଇଁ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ଇଂ ସହଦେବ ପ୍ରଧାନ, ପୋଲସରା ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ମୋତିରାମ ସାହୁ, ଜିଲ୍ଲା ଶ୍ରମିକ ସାମୁଖ୍ୟ ସଂପାଦକ ସନ୍ତୋଷ କୁମାର ବେହେରା, ନଗର ବିଜେଡି ସଭାପତି ରଞ୍ଜିତ ସାହୁଙ୍କ, ସଂପାଦକ ବାବୁଲା ପଟ୍ଟନାୟକ, ପୂର୍ବତନ ନଗର ସଭାପତି ଭଗବାନ ସାହୁ, ବିଶୁ ବୈଠାରୁ ସମେତ ବିଭାଗୀୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।