ଏନସେଫାଲାଇଟିସ୍ ସଂକ୍ରମିତ ଅଂଚଳରେ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ମୁତୟନ
ବିହାର ମୁଜାଫରପୁର ଏବଂ ପାଶ୍ୱର୍ବର୍ତୀ ଜିଲ୍ଲାଗୁଡ଼ିକରେ ଏନସେଫାଲାଇଟିସ ରୋଗ ବ୍ୟାପିବା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ସଂକ୍ରମିତ ଅଂଚଳରେ ୮ଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ମୁତୟନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଗୁରୁତର ରୋଗୀଙ୍କୁ ପରିବହନ କରିବା ଲାଗି ୮ଟି ଅତିରିକ୍ତ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି । ୧୦ ଜଣ ଶିଶୁ ରୋଗ ବିଶେଷଜ୍ଞ ଏବଂ ୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଗଠିତ କେନ୍ଦ୍ରୀୟ ଦଳ ଘଟଣାସ୍ଥଳରେ ପହଁଚି ରାଜ୍ୟ ସରକାରଙ୍କ ସହଯୋଗରେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି । ଆହୁରି ଡ. ହର୍ଷ ବର୍ଦ୍ଧନ କହିଛନ୍ତି ଯେ ମାମଲାର ଅନୁଧ୍ୟାନ ଏବଂ ଆଗୁଆ ରୋଗ ଚିହ୍ନଟ କରିବା ସହିତ ଦୈନିକ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ୧୬ଜଣ ବରିଷ୍ଠ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରୋଗପ୍ରବଣ ବ୍ଲକଗୁଡ଼ିକୁ ପଠାଯାଇଛି । ସେମାନଙ୍କ କାର୍ଯ୍ୟାଳୟ ମଧ୍ୟ ସମ୍ପୃକ୍ତ ବ୍ଲକଗୁଡ଼ିକୁ ସ୍ଥାନାନ୍ତର କରାଯାଇଥିବା ସେ କହିଛନ୍ତି । ଡ. ହର୍ଷ ବର୍ଦ୍ଧନ ମଧ୍ୟ କହିଛନ୍ତି ଯେ ଜିଲ୍ଲାପାଳମାନେ ଏବେ ବ୍ୟକ୍ତିଗତ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି । ସେ ମଧ୍ୟ ବରିଷ୍ଠ ଉପ ଜିଲ୍ଲାପାଳ/ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ବ୍ଲକସ୍ତରୀୟ ଦଳର ନେତୃତ୍ୱ ନେବା ଲାଗି ନିୟୋଜିତ କରିଛନ୍ତି । ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ଅଧିକାରୀମାନେ ଏହି ଦଳକୁ ସହାୟତା କରିବେ । ଆଗୁଆ ରୋଗ ନିରୂପଣ ଲାଗି ଦୈନିକ ନିରୀକ୍ଷଣ ଏବଂ ଅନୁଧ୍ୟାନ ବ୍ୟବସ୍ଥା କରିବା ଲାଗି ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସାମାଜିକ ସର୍ବେକ୍ଷଣ ଆରମ୍ଭ କରାଯାଇଛି । ଘରକୁ ଘର ବୁଲି ସମ୍ଭାବ୍ୟ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଆଗୁଆ ଚିକିତ୍ସା ଲାଗି ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଉଛି । ବରିଷ୍ଠ ଉପଜିଲ୍ଲାପାଳଙ୍କ ଦ୍ୱାରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଚାନକ ନିରୀକ୍ଷଣ ମଧ୍ୟ କରାଯାଉଛି । ଏହାବ୍ୟତୀତ, ବରିଷ୍ଠ ଉପଜିଲ୍ଲାପାଳ ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ସକାଳୁଆ ଅନୁଧ୍ୟାନ ଆରମ୍ଭ କରିଛନ୍ତି । ସଂକ୍ରମିତ ଗ୍ରାମର ପ୍ରତ୍ୟେକ ଘରେ ଓଆରଏସ ବଂଟାଯାଉଛି । ଏନସେଫାଲାଇଟିସ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଏଏନଏମ ଏବଂ ଆଶାକର୍ମୀମାନଙ୍କୁ ଘରକୁ ଘର ବୁଲି ପ୍ରଚାରପତ୍ର ବାଂଟିବା ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଲାଗି କୁହାଯାଇଛି । ମାଇକ ଯୋଗେ ଏବଂ ବ୍ୟକ୍ତିଗତ ଭାବେ ମଧ୍ୟ ଲୋକମାନଙ୍କୁ ସଚେତନ କରାଯାଉଛି । ଯଥାଶୀଘ୍ର ସମ୍ଭବ ଭୂତାଣୁ ପରୀକ୍ଷାଗାରକୁ କାର୍ଯ୍ୟକ୍ଷମ କରିବା ଲାଗି ଆଇସିଏମଆରର ଏକ ବିଶେଷଜ୍ଞ ଦଳକୁ ଶ୍ରୀକ୍ରିଷ୍ଣା ମେଡ଼ିକାଲ କଲେଜ ଓ ହସପିଟାଲରେ ନିୟୋଜିତ କରାଯାଇଥିବା ଡ. ହର୍ଷ ବର୍ଦ୍ଧନ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ୨୦୧୯ରେ ଭର୍ତି ହୋଇଥିବା ଏବଂ ଚିକିତ୍ସିତ ହୋଇଥିବା ସମସ୍ତ ଏଇଏସ ଆକ୍ରାନ୍ତ ରୋଗୀଙ୍କ ରେକର୍ଡ ଅନୁଧ୍ୟାନ କରିବା ଲାଗି ବିଶେଷଜ୍ଞମାନଙ୍କ ଏକ ଦଳକୁ ନିର୍ଦ୍ଦେଶ ଦିଆଯାଇଛି । ଶିଶୁ ମୃତ୍ୟୁହାରର କାରଣ ଖୋଜିବା ଲାଗି ଏହି ଦଳ ଶ୍ରୀକ୍ରିଷ୍ଣା ମେଡ଼ିକାଲ କଲେଜ ଓ ହସପିଟାଲରେ ଏଇଏସ ଆକ୍ରାନ୍ତ ଏବଂ ମୃତକଙ୍କ ରେକର୍ଡ ଯାଂଚ କରୁଛନ୍ତି । ଆସନ୍ତା ୨ରୁ ତିନି ଦିନ ମଧ୍ୟରେ ଏହି କାର୍ଯ୍ୟ ସମାପ୍ତ କରିବା ଲାଗି ଆମେ ଆଶା କରୁଛୁ । କେଜ୍ରିୱାଲ ହସପିଟାଲରେ ମଧ୍ୟ ଏପରି ଏକ ପଦକ୍ଷେପ ନିଆଯାଉଛି ବୋଲି ଡ. ହର୍ଷ ବର୍ଦ୍ଧନ କହିଛନ୍ତି ।
ବିଶେଷଜ୍ଞମାନଙ୍କ ଦଳ ବ୍ୟବସ୍ଥିତ ଭାବେ ୧୮ ମେ ୨୦୧୯ ପରଠାରୁ ହସପିଟାଲରେ ଭର୍ତି ହୋଇଥିବା ଏନସେଫାଲାଇଟିସ ରୋଗୀଙ୍କ ଚିକିତ୍ସା, ପୋଷଣ ଏବଂ ମହାମାରୀ ଜନିତ ସୂଚନା ସଂଗ୍ରହ କରୁଛନ୍ତି । ରୋଗ ବ୍ୟାପିବାରେ ଖାଲି ପେଟରେ ରହିବା ଏବଂ ଲିଚୁ ଖାଇବା (ପରିମାଣ ସମେତ)ର ଭୂମିକା ରହିଛି କି ନାହିଁ ତାହା ଅନୁଧ୍ୟାନ କରିବା ଲାଗି ଏହି ଦଳ ପ୍ରତ୍ୟେକ ପରିବାର ଓ ଗ୍ରାମରୁ ତଥ୍ୟ ସଂଗ୍ରହ କରୁଛନ୍ତି । ପର୍ଯ୍ୟାୟକ୍ରମେ ଏନସେଫାଲାଇଟିସ ଚିକିତ୍ସା ଲାଗି ଶ୍ରୀକ୍ରିଷ୍ଣା ମେଡ଼ିକାଲ କଲେଜ ଓ ହସପିଟାଲର ଶିଶୁ ରୋଗ ବିଶେଷଜ୍ଞମାନଙ୍କୁ ତାଲିମ ଦିଆଯିବ । ଆସନ୍ତାକାଲି ଏନଏଚଏମର ଏଏସ ଏବଂ ଏମଡି ମନୋଜ ଝାଲାନି ମୁଜାଫରପୁର ଗସ୍ତ କରି ସ୍ଥିତିର ସମୀକ୍ଷା କରିବେ ।