ଏନ୍‌ଏସୟୁଆଇର ୫୩ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରବିବାର ଦିନ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଦେଶ କାର୍ଯ୍ୟାଳୟ ପରିସରରେ ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ଶ୍ରୀ ୱାସିର ନୱାଜଙ୍କ ନେତୃତ୍ୱରେ ଏନ୍‌ଏସ୍‌ୟୁଆଇ (ଛାତ୍ରକଂଗ୍ରେସ)ର ୫୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଶ୍ରୀ ନୱାଜ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଛାତ୍ରକଂଗ୍ରେସର ପତାକା ଉତ୍ତୋଳନ କରି କହିଥିଲେ ଯେ, ଛାତ୍ରକଂଗ୍ରେସ ଛାତ୍ରମାନଙ୍କ ସ୍ୱାର୍ଥସାଧନ ପାଇଁ ଅବିରତ ନିଷ୍ଠା, ତ୍ୟାଗ ଓ ସମର୍ପଣ ଭାବ ସହ ଅବିଶ୍ରାନ୍ତ କାର୍ଯ୍ୟ କରୁଛି । ୧୯୭୧ ମସିହାରେ ସ୍ୱର୍ଗତାଃ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବାବେଳେ ଛାତ୍ର କଂଗ୍ରେସ ଜନ୍ମ ନେଇଥିଲା । ସେହିଦିନ ଠାରୁ ଦେଶର ଛାତ୍ରମାନଙ୍କର ସମସ୍ୟା ଏବଂ ବିଶେଷକରି ସାଧାରଣ ଜନତାଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ କରିଆସୁଛି । ଛାତ୍ରକଂଗ୍ରେସର ସଂଗଠନ ଦେଶର ଅନ୍ୟ ଛାତ୍ର ସଂଗଠନ ଠାରୁ ସୁଦୃଢ ଏବଂ ଦେଶର ସ୍ୱାର୍ଥ ପାଇଁ ଅଧିକ ସମର୍ପିତ । ଏବେ ରାହୁଳ ଗାନ୍ଧୀଙ୍କ ଆଦର୍ଶ, ଲକ୍ଷ୍ୟ, ତ୍ୟାଗ, ଆନ୍ଦୋଳନ ଓ ଦିଗ୍‌୍‌ଦର୍ଶନକୁ ପାଥେୟ କରି ଛାତ୍ର କଂଗ୍ରେସ ହୃଦୟତାର ସହିତ କାର୍ଯ୍ୟ କରୁଛି । ଓଡ଼ିଶାରେ ଛାତ୍ରକଂଗ୍ରେସର ଭୂମିକା ସମ୍ପର୍କରେ ରାଜ୍ୟବାସୀ ଜାଣିଛନ୍ତି । ଛାତ୍ରମାନଙ୍କର ସମସ୍ୟା, ଘରୋଇ ଶିକ୍ଷାନୁଷ୍ଠାନର ମନମାନୀ, କ୍ଷମତାସୀନ ସରକାରର ଛାତ୍ରବିରୋଧୀ ନୀତି, ଦରଦାମ ବୃଦ୍ଧି, ନାରୀ ନିର୍ଯ୍ୟାତନା ଓ ଦୁଷ୍କର୍ମ, ନବୀନ ସରକାରର କୁଶାସନ ଏବଂ ବିଶେଷକରି ମୋଦି ସରକାରଙ୍କର ଫମ୍ପା ପ୍ରତିଶ୍ରୁତି, ଉତ୍କଟ ବେକାରୀ ଏବଂ ଉଭୟ ନବୀନ ଓ ମୋଦି ସରକାରଙ୍କର ନିଯୁକ୍ତି ସମ୍ପର୍କରେ ମିଥ୍ୟା ପ୍ରତିଶ୍ରୁତି ପ୍ରସଙ୍ଗରେ ଓଡ଼ିଶାରେ ଦୁର୍ବାର ଆନ୍ଦୋଳନ କରୁଛି । ରାହୁଳ ଗାନ୍ଧୀଙ୍କର ପ୍ରେରଣାରେ ମାଲକାନଗିରିରୁ ମୟୁରଭଞ୍ଜ ପର୍ଯ୍ୟନ୍ତ ଛାତ୍ର କଂଗ୍ରେସର ଏକ ସୁଦୃଢ ସଂଗଠନ ଠିଆ ହୋଇଛି । ତାହାର ପ୍ରଭାବୀ ଭୂମିକା ସାରା ରାଜ୍ୟବାସୀ ଓ ଛାତ୍ର ସମାଜ ଅନୁଭବ କରୁଛି ।ଆଜିର କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ଅଖିଳେଶ ଯାଦବ, ବିଶ୍ୱଭୂଷଣ ମହାପାତ୍ର, ଜଗଦୀଶ ଗଜେନ୍ଦ୍ର, ଶ୍ରୀ ମହାନ୍ତି, ରାମେଶ୍ୱର ଶତପଥୀ, ସମୀର ରାଉତ, ଉଦିତ ପ୍ରଧାନ, ନିଆଜୁଲ ଇସଲାମ, ଅମ୍ଲାନ ଜେନା, ମହମ୍ମଦ ମନୱର, ଓମ୍ ପ୍ରକାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ