ଏନ୍କାଉଣ୍ଟରରେ ୬ ‘ଏନ୍ଏସ୍ସିଏନ୍’ (ଆଇଏମ୍) କ୍ୟାଡେଟ୍ ମୃତ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଖୋନ୍ସା ଅଞ୍ଚଳରେ ଶନିବାର ପ୍ରତ୍ୟୁଷରେ ନିରାପତ୍ତା ବଳଙ୍କ ସହ ‘ନ୍ୟାସ୍ନାଲ୍ ସୋସିଆଲିଷ୍ଟ୍ କାଉନ୍ସିଲ୍ ଅଫ୍ ନାଗାଲାଣ୍ଡ୍’ର (ଏନ୍ଏସ୍ସିଏନ୍- ଆଇଏମ୍) ଗୁଳି ବିନିମୟ ହୋଇଛି। ଏହି ଗୁଳି ଏନକାଉଣ୍ଟରରେ ଅନ୍ୟୁନ ଛଅ ଜଣ କ୍ୟାଡେଟ୍ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାରେ ଆସାମ ରାଇଫଲ୍ର ଜଣେ ଯବାନ ଆହତ ହୋଇଥିବା କଥା ଜଣାପଡ଼ିଛି। ଆହତ ଯବାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି। ଏକ ସାମରିକ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଛି। ଅରୁଣାଚଳ ପ୍ରଦେଶ ଡିଜିପି କହିଛନ୍ତି ଯେ, ଏହା ଥିଲା ଆସାମ ରାଇଫଲ୍ ଆଣ୍ଡ୍ ଅରୁଣାଚଳ ପ୍ରଦେଶ ପୁଲିସର ମିଳିତ ଅଭିଯାନ। ସେମାନେ ଘଟଣାସ୍ଥଳରୁ ଏକେ-୪୭ ଏବଂ ଦୁଇଟି ଚାଇନିଜ୍ ଏମ୍କ୍ୟୁ, ପ୍ରାୟ ପାଞ୍ଚ କିଲୋ ବିସ୍ଫୋରକ, ଏକ କିଲୋ ପାଇପ୍ ଆଇଇଡି ଉଦ୍ଧାର କରିଛନ୍ତି। ଡିଜିପି ଆର୍ ପି ଉପାଧ୍ୟାୟ କହିଛନ୍ତି, ଆଜି ବଡ଼ି ସକାଳୁ ଅରୁଣାଚଳ ପ୍ରଦେଶର ଲଙ୍ଗଡ଼ିଙ୍ଗ ଜିଲ୍ଲାର ନିଗ୍ନୁ ଗାଁ ନିକଟରେ ୬ ଆସମ ରାଇଫଲ୍ ଏବଂ ଅରୁଣାଚଳ ପ୍ରଦେଶ ପୁଲିସର ମିଳିତ ଦଳ ଚଢ଼ାଉ କରିଥିଲେ। ଏହି ଅଭିଯାନରେ ୬ଜଣ ସଶସ୍ତ୍ର ‘ଏନ୍ଏସ୍ସିଏନ୍’ (ଆଇଏମ୍) କ୍ୟାଡେଟ୍ ନିହତ ହୋଇଛନ୍ତି। ଜଣେ ଆସାମ ରାଇଫଲ୍ କର୍ମଚାରୀ ଆହତ ହୋଇଛନ୍ତି। ଛଅଟି ଅସ୍ତ୍ର ଉଦ୍ଧାର କରାଯାଇଛି। ଭୋର୍ ପ୍ରାୟ ୪:୩୦ରେ ଆରମ୍ଭ ହୋଇଥିବା ଅଭିଯାନ ଏବେ ମଧ୍ୟ ଚାଲୁ ରହିଛି।