ଏପଟେ କରୋନା ସେପଟେ ଲଗାଣ ବର୍ଷା; ଲଗାମଛଡା ପନିପରିବା ଦର, ଚିନ୍ତାରେ ଖାଉଟି

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳ ଜିଲ୍ଲା ରେ ଦିନକୁ ଦିନ ପରିବା ଦର ଆକାଶ ଛୁଆଁ ହେବାରେ ଲାଗିଛି ।ଏପଟେ କରୋନା ସେପଟେ ଲଗାଣ ବର୍ଷା ଯୋଗୁ ଲୋକେ ନାହିଁନଥିବା ସମସ୍ୟା ଭୋଗୁଥିବା ବେଳେ ପରିବା ଦର ଏବେ ଖାଉଟିକୁ ଚିନ୍ତାରେ ପକାଇଛି। ଆଳୁ ଠାରୁ ଆରମ୍ଭ କରି ଟମାଟୋ ଦର ଏବେ ବେଶୀ ରହିଥିବା ବେଳେ କରୋନା ସମୟରେ ଆମିଷ ଦର ମଧ୍ୟ ବଢିଛି। ଏମିତିରେ ସାଧାରଣ, ମଧ୍ୟବିତ୍ତ ପରିବାର ଚଳିବା କଷ୍ଟକର ହୋଇପଡିଛି। ଅନ୍ୟପକ୍ଷରେ ଜିଲା ପ୍ରଶାସନ ମଧ୍ୟ ଏହି ଦରକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କରୋନା ମହାମାରୀ ଯୋଗୁ ଗରୀବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। ଗତ କିଛି ମାସ ହେଲା ଲକଡାଉନ, ସଟଡାଉନ ଯୋଗୁ ବ୍ୟବସାୟ ଠିକ ଭାବେ ଚାଲୁନଥିବା ବେଳେ ଗତ କିଛି ଦିନ ହେଲା ସମଗ୍ର କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଏଭଳି ଏକ ସଙ୍କଟ ସମୟରେ ଖାଇବା ସାମଗ୍ରୀ ଦର ବୃଦ୍ଧି ପ୍ରଭାବିତଙ୍କ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରିଛି । କନ୍ଧମାଳ ଜିଲାରେ ଥିବା ବିଭିନ୍ନ ବଜାରରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟତଃ ପନିପରିବା ଦର ଏବେ ଲଗାମଛଡା ହୋଇଛି । ଆଳୁ କିଲୋ ପ୍ରତି ୩୫ ରୁ ୪୦ ଟଙ୍କା ରହିଥିବା ବେଳେ ଟମାଟୋ ଦର ୫୦ ରୁ ୬୦ ଥିବା ଜଣାପଡିଛି । ସେହିପରି ପିଆଜ ଦର ୩୦ ରୁ ୪୦ ରହିଥିବା ବେଳେ ଅନ୍ୟପନିପରିବା ଦର ମଧ୍ୟ ବେଶ ଅଧିକ ରହିଛି । ଭେଣ୍ଡି, କାଙ୍କଡ, ବାଇଗଣ ଦର ଖାଉଟି ଛୁଇଁପାରୁନଥିବା ବେଳେ ସକାଳ ହେଲେ ପରିବାରେ କ’ଣ ଖାଇବେ ସେ ନେଇ ଏବେ ଚିନ୍ତା ବଢିଚାଲିଛି। କେବଳ ପନିପରିବା ଦର କାହିଁକି ଆମିଷ  ଦରର ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ଛେଳି ମାଂସ ୫ଶହ ରୁ ୬ଶହଟଙ୍କା ହୋଇଥିବା ବେଳେ କୁକୁଡା ମାଂସ ଓ ମାଛ ଦର ୧୨୦ ରୁ ୧୫୦ ମଧ୍ୟରେରହିଥିବା ବେଳେ ସାଧାରଣତଃ ବର୍ଷା ସମୟରେ ମିଳୁଥିବା ପାଳଛତୁ ଦର ୨ଶହରୁ ୩ଶହ ଟଙ୍କା ରହିଛି ।ପନିପରିବା ଓ ଖାଇବା ଦ୍ରବ୍ୟ ଉପରେ ଜିଲା ପ୍ରଶାସନର ଲଗାମ କାମ କରୁନଥିବାରୁ ଜିଲାରେ ଏହିଭଳି ସ୍ଥିତି ଦେଖିବାକୁ ମିଳିଛି । ମନଇଚ୍ଛା ବ୍ୟବସାୟୀମାନେ କଳାବଜାରୀରେ ମାତିଥିବା ବେଳେ ବଜାର ଦର ଉପରେ ନିୟନ୍ତ୍ରଣ ରହୁନାହିଁ । କରୋନା ଭୟ ଓ ଲଗାଣ ବର୍ଷା ଯୋଗୁ ଚାଷୀ ମାନଙ୍କ ପରିବା ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଚାଷୀଙ୍କ ପରିବା ବଜାରକୁ ପହଞ୍ଚୁନଥିବା ବେଳେ ବାହାରୁ ଆସୁଥିବା ସାମଗ୍ରୀ ଦରକୁ ବଢାଇ ବେପାରୀ ମାନେ ବିକ୍ରୟ କରୁଛନ୍ତି। ପରିଣାମ ସ୍ୱରୂପ ଜିଲାରେ ଚଢାଦରରେ ଖାଇବା ସାମଗ୍ରୀ ବିକ୍ରୀ ହେଉଥିବା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ