ଏପାରି ସେପାରି ସବୁଠି ବେପାରୀ
ଏବେ ଖବରକାଗଜର ଗୋଟିଏ ଶିରୋନାମା ଅତି ହାସାସ୍ପଦ । ହ୍ୱାଇଟ୍ ହାଉସ୍ରୁ ହାୱା ଏବେ ଭାରତମୁହାଁ । ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଧମକାଇଛନ୍ତି – ଭାରତକୁ ବ୍ୟବସାୟିକ ରିହାତି ମାନ୍ୟତାର ମାନଚିତ୍ରରୁ ବିସ୍ଥାପିତ କରିଦେବେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଏ ବାବଦରେ କେଉଁଠି କ’ଣ କିଛି କହିଲେଣି କି? ବହୁତ ହସ ଲାଗୁଛି – ମନେ ହେଉଛି ଯେ ଏପାରି ସେପାରି ସବୁଠି ଖାଲି ବେପାରୀ । ଆମେ ଏ ବେପାରୀମାନଙ୍କ ବୃତ୍ତିବିବୃତିକୁ ନେଇ କିଛି ବି କହିବାକୁ ·ହୁଁନାହୁଁ । କାରଣ ଯେତେବେଳେ ବେପାରୀମାନେ ରାଜନୀତିର ରାଜଗାଦି ଉପରେ ବସିପଡ଼ନ୍ତି ସେମାନେ ଭାବିନିଅନ୍ତି ଯେ – ସେଇମାନେ ହିଁ କେବଳ ମଞ୍ଚସ୍ଥ ମାନ୍ୟଗଣ୍ୟ ଜଣେଜଣେ ନିରଙ୍କୁଶ ନାୟକ ଏବଂ ବିଚରା ଜନଗଣ ହେଉଛନ୍ତି – ଗୋଟିଏ ଗୋଟିଏ ନିରୁପାୟ ନିରବ ଦର୍ଶକ – ସେମାନଙ୍କ ସମସ୍ତପ୍ରକାର ବୟାନ ଭାଷଣ ସ୍ରୋତର ବାଧ୍ୟତାମୂଳକ ଶ୍ରୋତା । ଭୁଲି ଯାଆନ୍ତିି – ଯେଉଁ ଭୂଗୋଳ ଏହି ମଞ୍ଚସ୍ଥ ବେପାରୀମାନେ ଆଜି ଦଖଲ କରିଛନ୍ତି ସେହି ଭୂଗୋଳ ପଛରେ ଅସଲ ଇତିହାସର ମୂଳଦୁଆ ହେଉଛି ଦେଶର ଜନଶକ୍ତି ।
ଆମେରିକା ମହାଦେଶ ହୋଇପାରେ – ମାତ୍ର ଭାରତ ହେଉଛି ବିଶ୍ୱବିଦିତ ଏକ ମହାନ୍ ଦେଶ । ଏପରି ଏକ ମହାନ୍ ଦେଶ କୌଣସି ନବାବିଷ୍କୃତ ମହାଦେଶର ଅନୁଦାନୀ ମାନ୍ୟତାପ୍ରାପ୍ତିର ଦୟାରେ କେବେହେଲେ ଗଢିଉଠିନି – ଯାହା ଇତିହାସର ଇସ୍ତାହାର । ଏ କଥା କ’ଣ ହ୍ୱାଇଟ୍ ହାଉସ୍ର ସାମରିକ ସୁରକ୍ଷା-ବଳୟରେ ବିଳାସ ବିଭୋର ଟ୍ରମ୍ପ ମହାଶୟଙ୍କୁ ଅଜଣା ନା ଅଛପା? ଆମେରିକା ବାଣିଜ୍ୟ କାରବାରରେ ଭାରତକୁ ସ୍ୱତନ୍ତ୍ର ରିହାତି ବା ବିଶେଷ ମାନ୍ୟତା ପ୍ରଦାନ କରିିଆସୁଥିବାରୁ ଭାରତ ପାଖାପାଖି ୧୪୨୫ କୋଟି ଟଙ୍କାର ଆମଦାନୀ ଶୁଳ୍କ ଛାଡ଼ ପାଇଥାଏ । ଆମେ ଆମେରିକାରୁ ଆମଦାନୀ କରୁଥିବା ୪୦ ହଜାର କୋଟି ଟଙ୍କାର ଇଞ୍ଜିନିୟରିଂ ମେସିନ୍, ଅର୍ଗାନିକ କେମିକାଲ ଓ ବୟନ ସାମଗ୍ରୀ ରପ୍ତାନୀ କରୁଛେ । ଆସନ୍ତା ମେ ମାସରୁ ଆମେରିକା ଆମଦାନୀ ଶୁଳ୍କ ଲାଗୁ କରିବ ଯାହାଫଳରେ ରପ୍ତାନୀ କ୍ଷେତ୍ରରେ ବଜାୟ ରହିଆସିଥିବା ଆର୍ଥନୀତିକ ପ୍ରକ୍ରିୟାର ଉଦାର ବିଧି ବ୍ୟବସ୍ଥାଦି ପ୍ରଭାବିତ ହେବ, ଛୋଟ କମ୍ପାନୀଗୁଡ଼ିକ ଉପରେ ମାଡ଼ ବସିବ, ବିଭିନ୍ନ ସାମଗ୍ରୀର ଆଶଙ୍କାଜମିବ ମୂଲ୍ୟବୃଦ୍ଧି ଘଟିବ । ସବୁଯାକ ବୋଝ ଖାଉଟିମାନଙ୍କ ଉପରେ ପଡ଼ିବ । ସମ୍ଭବତଃ ଟ୍ରମ୍ପଙ୍କ ଧମକରେ ଏକ ଅଦୃଶ୍ୟ ବାର୍ତ୍ତା ହେଉଛି ଭାରତ ଆମେରିକାରୁ ଯୁଦ୍ଧ ସରଞ୍ଜାମ କିଣୁ । ଟ୍ରମ୍ଫଶାସିତ ଆମେରିକା ଇଆଡ଼େ ବିଶ୍ୱ·ପ ଯୋଗୁ ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀମାନଙ୍କ ପ୍ରତି କୋହଳ ମନୋଭାବ ବିରୁଦ୍ଧରେ ସମାଲୋଚନା କରୁଛି, ମାତ୍ର ଏବେ ପୁଣି ଭାରତକୁ ଧମକାଉଛି! ଭାରତ ସରକାର ନିରବ କାହିଁକି?
ଏହି ଆମେରିକା ଏକଦା ଏସିଆ ମହାଦେଶର ଏକ ଶିଶୁରାଷ୍ଟ୍ର ଭିଏତ୍ନାମ ଠାରୁ ପ୍ରଚଣ୍ଡ ପରାଭବ ଭୋଗିସାରି ମଧ୍ୟ ଇତିହାସ ଠାରୁ ଗୋଟିଏ ଅକ୍ଷର ସୁଦ୍ଧା ଏଯାବତ୍ ଶିଖିପାରି ନାହିଁ ବୋଲି ମନେହୁଏ । ଏପରିକି ଆଜି ଯଦି ଏସିଆର ଆଉ ଦୁଇଟି ଭ୍ରାତୃରାଷ୍ଟ୍ର ଉତ୍ତର ଓ ଦକ୍ଷିଣ କୋରିଆ ଏକଜୁଟ ହୋଇ ଟ୍ରମ୍ପଙ୍କ ଟାୱାର ଆଡ଼କୁ ବଦ୍ଧମୁଷ୍ଟି ପ୍ରଦର୍ଶନ କରିବେ – ତାହାହେଲେ ଆଜି ଟ୍ରମ୍ପଙ୍କର ମନ୍ତବ୍ୟ କି ରୂପ ନେବ? ମୋର ଅନୁରୋଧ – ଏପ୍ରକାର ଔଦ୍ଧତ୍ୟପୂର୍ଣ୍ଣ ଆସ୍ଫାଳନ ଯେତେବେଳେ ଆମେରିକା ଆକାଶରୁ ଆସି ଭାରତଭୂମିରେ ଗୁଞ୍ଜନ ସୃଷ୍ଟି କଲାଣି – ସେତେବେଳେ ମୁଁ ଆଉଥରେ ମୋର ସେହି ବିଗତ ଦିନର ଉଦ୍ବୋଧନକୁ ଦୋହରାଇବାକୁ ·ହେଁ – ଏକ୍ ହୁଅ ଏସିଆ!
ଧନଦର୍ପରେ ଦୃପ୍ତ ଆମେରିକା ଆଜି ଦୁନିଆକୁ ନିଜର ବଜାରବନ୍ଦୀ ଗୋଦାମରେ ପରିଣତ କରିଦେବାକୁ ଚାହୁଛି । ଏଥିରେ ଗୋଟିଏ କଥା ଜଳଜଳ ହୋଇ ଦିଶୁଛି ଯେ ଏ ଯୁକ୍ତରାଷ୍ଟ୍ରୀୟ ରାଜନୀତି ଏକ ଦୋକାନଦାରୀ ଅର୍ଥନୀତିର ହାତବାରିସୀ ହୋଇପଡିଛି କାହିଁ କେଉଁକାଳୁ । ଏପରିକି ଶାନ୍ତି ନୁହେଁ, ଯୁଦ୍ଧ ହିଁ ହେଉଛି ମହାବେପାରୀ ମାର୍କିନ ମାନସିକତାର ମୂଳସୂତ୍ର । ସାରାଦୁନିଆକୁ ଗୋଦାମଭର୍ତ୍ତି ସାମରିକ ସରଞ୍ଜାମ ବିକ୍ରି କରିବା ମତଲବରେ ଆମେରିକାର ଶାସନସୂତ୍ରୀମାନେ କଣ କେଭେଁହେଲେ ମଣିଷସମାଜ ପାଇଁ ଚିରସ୍ଥାୟୀ ଶାନ୍ତି ଚାହିବେ? ଚାହିବେ କି ଏ ପୃଥିବୀରେ ଫୁଟୁଥାଉ ଶାନ୍ତିର ସୁନାଫୁଲ, ମୈତ୍ରୀର ମହୁଲଫୁଲ? ଚାହିବେ ତ ଯୁଦ୍ଧ, ମହାଯୁଦ୍ଧ, ମହାତଙ୍କ! ଫସଲ କିଆରିର କବର ଉପରେ ଆମେରିକାର ଈଗଲ୍-ଆଖି ଦେଖିବାକୁ ଚାହେ ଗୋଟିଏ ଗୋଟିଏ ଜଘନ୍ୟ ଯୁଦ୍ଧଭୂମି । ଯୁଦ୍ଧ ହେଉ, ଛଞ୍ଛାଣ ଛାଉଣୀରୁ ଛୁଟିଆସୁ ଗୁଳିଗୋଳା … ବନ୍ଧୁକର ସଙ୍ଗିନ୍ମୁନରେ ଲଟକିଯାଉ ସାରାଦୁନିଆର ଆକାଶରେ ଉଡ଼ି ବୁଲିବାକୁ ଚାହୁଥିବା ଶାନ୍ତିର କପୋତ … ବୋମାବର୍ଷଣରେ ବାରମ୍ବାର ଧର୍ଷଣପୀଡ଼ିତ ଦୁନିଆର ଆର୍ତ୍ତନାଦ ଭିତରେ ହଜିଯାଉ ବାକି ସବୁ ରାଷ୍ଟ୍ରର ଜାତୀୟ ସଂଗୀତ! ଫୁଲର ମହକ ନୁହେଁ, ଫସଲର ବାସ୍ନା ନୁହେଁ – ବାରୁଦଗନ୍ଧରେ ଭରିଉଠୁ ଦେଶେଦେଶେ ଗଳିକନ୍ଦି … ବସ୍ତିବିପଣି । ଶସ୍ୟ ନୁହେଁ, ଶସ୍ତ୍ର ହିଁ ବୋଧହୁଏ ଏହି ମାର୍କିନ୍ ରାଜନୀତିର ମାନସିକ ସଂକେତ!
ଦ୍ୱିତୀୟ ମହାଯୁଦ୍ଧର ପୃଷ୍ଠଭୂମିରେ ଅଭ୍ୟୁତ୍ଥିତ ଏକ ଏସୀୟ ରାଷ୍ଟ୍ର ଜାପାନ୍ର ଜ୍ୱାଳା କ’ଣ ଇତିହାସ କେବେ ପାସୋରିପାରିବ? ଆମେରିକାର ପରମାଣୁବୋମା ପଡ଼ି ଜାପାନ୍ ସେଦିନ ପ୍ରଶାନ୍ତମହାସାଗର ଗର୍ଭରେ ମିଶିଯିବାର ଗଣିତ କଷିଥିଲା ମାର୍କିନ୍ ରାଜନୀତି । ବୋମାନିକ୍ଷେପକ ବିମାନର ପାଇଲଟ୍ ତ ପାଗଳ ହୋଇଯାଇଥିଲେ! ମାତ୍ର ଭସ୍ମସ୍ତୂପ ଭିତରୁ ପୁନରାୟ ଫେନିକ୍ସ୍ ପକ୍ଷୀ ପରି ଜାପାନ ଜୀବନ୍ୟାସ ପାଇଗଲା – ନିଜ ଦୃଢ଼ ଆତ୍ମବିଶ୍ୱାସର ଦୁଇ ଦୁର୍ବାର ଡେଣା ମେଲାଇ । ଜାପାନ୍ର ଏହି ଜାଗରଣକୁ ଏସୀୟ ରାଷ୍ଟ୍ରଶକ୍ତି ଆଜି ଆଉଥରେ ସୁମରଣା କରିବାର ସମୟ ଆସି ପହଞ୍ଚିଛି । ଏସିଆ ମହାଦେଶୀୟ ରାଷ୍ଟ୍ରପୁଞ୍ଜ ଏବେ ଗୋଟିଏ ମଞ୍ଚରେ ମିଳିତ ହୋଇ ସାରାଦୁନିଆକୁ ନାରା ଶୁଣାନ୍ତୁ : ଏକ୍ ଆମେ ଏସୀୟ!
ଆମେରିକା … ଅଶାନ୍ତ ଏକ ଅତୃପ୍ତ ମରୀଚିକା! ଏଠୁ ଜଳବୁନ୍ଦେ ନାହିଁ ଜୀବନ ପାଇଁ । ଯାହା ଅଛି, ତାହା କେବଳ ଯୁଦ୍ଧ ପାଇଁ ।
ଟ୍ରମ୍ଫ … ଏହି ଅମାନୁଷିକତାର ଉତ୍ପାଦନଶାଳାରେ ଯେଉଁ ଚିମିନୀ ଦିଶୁଛି, ସେଇ ଚିମିନୀର ଧାରେ ଧଳାଧୂଆଁ ମାତ୍ର! ଇତିହାସର ଲାଲ୍ନିଆଁ ଆଗରେ ଏ ଧଳାଧୂଆଁର ବା କି ମୂଲ୍ୟ? ଟ୍ରମ୍ଫ ଯେ ବିଶ୍ୱମାନବିକତାର ମହାମଂଚରେ ଟ୍ରମ୍ଫକାର୍ଡ ନୁହନ୍ତି, ବରଂ ଶାନ୍ତିକାମୀ ଦୁନିଆର ସରଳ ନିରୀହ ମଣିଷ ସମାଜକୁ ଗୋଟାଏ ଜଳାପୋଡ଼ା କଳାପତାକା – ଏ ସତ୍ୟ ଦିନେ ଦୁନିଆ ଜାଣିବ ହିଁ ଜାଣିବ । ଏବେ ଏସୀୟ-ଐକ୍ୟର ଜାଗରଣମଞ୍ଚରେ ଯୋଗଦାନ କରିବା ପୂର୍ବରୁ ଭାରତ ଏ କଥା ଏବେ ନ ବୁଝିଲେ କେବେ ବୁଝିବ?
ମୁଁ ଏବେ ଏହି ପ୍ରସଙ୍ଗରେ ଭାରତମାଟିର ରାଜନୈତିକ ମୁରବି ପାଲଟିଥିବା ମୋଦିଙ୍କୁ କିଛି କହିବାକୁ ·ହୁଁନାହିଁ । କୌଣସି ରାଜନୈତିକ ଦଳର ମୁଖପାତ୍ରମାନଙ୍କୁ ବି କିଛିହେଲେ କହିବାକୁ ·ହୁଁନାହିଁ । କାରଣ ସେମାନଙ୍କର ମୁକୁଟ/ମସ୍ନଦ୍/ମିଲିଟାରୀଠୁ ମୋ ପାଇଁ ମହାର୍ଘତର ହେଉଛି ଏ ମାଟି, ଏ ମଣିଷ, ଏ ମୂଲ୍ୟବୋଧ । ବର୍ତ୍ତମାନ ଭାରତ ଏସୀୟ ସଂସ୍କୃତିର ନାଭିକେନ୍ଦ୍ର ଭାବରେ ଏକ । ମହାଏସୀୟ ମୈତ୍ରୀର ମନ୍ତ୍ରପାଠ ଆରମ୍ଭ କରୁ । ଯଦି ଏସିଆ-ଐକ୍ୟର ପ୍ରକୃତରେ ଏକ ଐତିହାସିକ ବିଜୟ ଘଟିପାରନ୍ତା, ତାହେଲେ ଅହମିକାଗ୍ରସ୍ତ କୌଣସି ଅଜଗରୀ ମହାଦେଶ ଠାରୁ ଏ ପ୍ରକାର ଲାଞ୍ଛନାଦାୟକ ସର୍ତ୍ତମୂଳକ ଅନୁଦାନୀ ମାନ୍ୟତାଦାନର ହୁକୁମ୍ନାମାକୁ ଏ ମହାନ୍ ମହାଦେଶୀୟ ରାଷ୍ଟ୍ରମାନଙ୍କୁ ମାନିନେବାକୁ ପଡ଼ନ୍ତା ନାହିଁ । ଆଜି ଯଦି ଭାରତ ସରକାର ଗୋଟାଏ ମୁନାଫାଖୋର୍ ମହାବେପାରୀ ହୁକୁମ୍ର ହୁଙ୍କାରକୁ ଶୁଣି ମଥାନତ କରେ – ତାହେଲେ ବ୍ୟଥାହତ ହେବ ଆମର ଆସନ୍ତାକାଲିର ସକାଳ । ଏବେ ସାରା ଏସିଆ ପାଇଁ ଗୋଟିଏ ପୂର୍ଣ୍ଣଜାଗରଣର ପର୍ଯ୍ୟାୟ ଅଦୂର ଭବିଷ୍ୟତରେ ଆସନ୍ନ । ଆଜି ଯଦି ଆମେ ୟାକୁ ସ୍ୱାଗତ ନ କରୁ, ତେବେ ତାହା ହେବ ମାଟି-ମଣିଷ-ମୂଲ୍ୟବୋଧ ପ୍ରତି ଆମ୍ଭମାନଙ୍କର ଅକ୍ଷମଣୀୟ ଅପରାଧ ।
ଟ୍ରମ୍ପ ନିଜେ ମଧ୍ୟ ଜାଣିରଖିବା ଉଚିତ୍ ଯେ ତାଙ୍କ ମାଟି ବା ମଇଦାନରେ ମଧ୍ୟ ତାଙ୍କୁ ଶତ ପ୍ରତିଶତ ସମର୍ଥନ ମିଳୁନାହିଁ । ତାଙ୍କର ଏହି ପାଗଳ ପ୍ରଳାପକୁ କେହି ଆମେରିକାର ଅନ୍ତଃସ୍ୱର ବୋଲି ଯେ ବି·ରିବେ ନାହିଁ – ଏଥିରେ ଅଣୁମାତ୍ରେ ସନ୍ଦେହ ନାହିଁ । ଆଜି ଟ୍ରମ୍ପ ପାଇଁ ଆସନ୍ତା କାଲିର ଆମେରିକା ଲଜ୍ଜିତ ହେବାକୁ ବାଧ୍ୟ । ଏହିଦୃଷ୍ଟିରୁ ଆମେରିକାରେ ବି ଆତ୍ମସମୀକ୍ଷାର ଆବହାୱା ଅବିଳମ୍ବେ ଉପୁଜିବା ଆବଶ୍ୟକ । ଏହା ପ୍ରତ୍ୟେକ ଆମେରିକାବାସୀ ମର୍ମେମର୍ମେ ଉପଲବ୍ଧି କରିବା ସର୍ବାଦୌ ବାଞ୍ଛନୀୟ ।
ମାୟାଧର ନାୟକ
ଯାଜପୁର ରୋଡ଼, ଯାଜପୁର
ମୋ : ୯୮୬୧୦୩୪୧୬୩