ଏପ୍ରିଲ୍ ୪ରେ ଶୋକ ଦିବସ ପାଳନ କରିବ ଚୀନ୍
ବେଜିଂ: କୋରୋନା ଭୂତାଣୁ ସଂକ୍ରମଣ କାରଣରୁ ଚୀନ୍ରେ ପାଖାପାଖି ସାଢ଼େ ୩ ହଜାର ଲୋକ ମୃତ୍ୟୁବରଣ କରିଥିବା ବେଳେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସକାଶେ ଏପ୍ରିଲ୍ ୪ ତାରିଖରେ ଶୋକ ଦିବସ ପାଳନ କରାଯିବ। ଚୀନ୍ ଷ୍ଟେଟ୍ କାଉନସିଲ୍ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ଏନେଇ ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ କୋରୋନା ପରି ମହାମାରୀର ମୁକାବିଲା କରି ଯେଉଁମାନେ ଜୀବନ ହରାଇଛନ୍ତି, ସେମାନେ ଦେଶବାସୀଙ୍କ ନଜରରେ କୌଣସି ହିରୋଠାରୁ କମ୍ ନୁହନ୍ତି। ସେହିପରି ସେମାନଙ୍କ ସମ୍ପର୍କୀୟମାନଙ୍କ ବଳିଦାନକୁ ମଧ୍ୟ ଦେଶ ସବୁଦିନ ପାଇଁ ମନେ ରଖିବ ବୋଲି ଏହି ବିବୃତିରେ କୁହାଯାଇଛି। ଶୁକ୍ରବାର ଦେଶରେ ୨୯ଟି ନୂଆ ଇମ୍ପୋର୍ଟେଡ୍ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣଙ୍କର କୋରୋନା ଭୂତାଣୁ ସଂକ୍ରମଣ କାରଣରୁ ମୃତ୍ୟୁ ହୋଇଛି। ତେଣୁ ଇମ୍ପୋର୍ଟେଡ୍ କୋରୋନା ଭୂତାଣୁ ସଂକ୍ରମଣ କାରଣରୁ ଅଦ୍ୟାବଧି ୮୭୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।
ଚୀନର ନ୍ୟାସନାଲ୍ ହେଲ୍ଥ କମିଶନ୍ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଦେଶରେ ୮୧ ହଜାର ୬୨୦ ଜଣ ଲୋକ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବେଳେ ୩୧ଟି ପ୍ରଦେଶରେ ଏହା ବ୍ୟାପିସାରିଛି। ବର୍ତ୍ତମାନ ସମୟରେ ୧୭୨୭ ଜଣ ଅସୁସ୍ଥ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହିପରି ୩ ହଜାର ୩୨୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୭୬ ହଜାର ୫୭୧ ଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇ ସାରିଛି। ତେବେ ଚୀନରେ କୋରୋନା ଭୂତାଣୁ ସଂକ୍ରମଣର କେନ୍ଦ୍ରସ୍ଥଳ ହୁବେଇ ପ୍ରଦେଶରେ କୌଣସି ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇନାହିଁ। ସମଗ୍ର ବିଶ୍ବରେ ଏହି ଭୂତାଣୁ ପାଖାପାଖି ୨ ଶହ ଦେଶକୁ ବ୍ୟାପିସାରିଥିବାରୁ ଏହାକୁ ଗତ ମାର୍ଚ୍ଚ ୧୧ ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ବିଶ୍ବ ମହାମାରୀ ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ ଯେ ଗୁରୁବାର ରାତି ସୁଦ୍ଧା ସମଗ୍ର ବିଶ୍ବରେ କୋରୋନା ଭୂତାଣୁଜନିତ ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୪୫ ହଜାରକୁ ଟପିଯାଇଛି।