ଏପ୍ରିଲ୍ ୯ରେ ୟୁଏନ୍ଏସସି ବୈଠକ: କୋଭିଡ୍-୧୯ ମୁଖ୍ୟ ଏଜେଣ୍ଡା
ୱାଶିଂଟନ୍: ସାମ୍ପ୍ରତିକ ସମୟରେ ବିଶ୍ବର ସିଂହଭାଗ ଦେଶରେ କୋରୋନା ଭୂତାଣୁ ବ୍ୟାପିସାରିଥିବା ବେଳେ ଏଥିରେ ୭୦ ହଜାରୁ ଊର୍ଦ୍ଧ୍ବ ଜୀବନ ଯାଇସାରିଛି। ଏହାଛଡ଼ା ପାଖାପାଖି ୧୩ ଲକ୍ଷ ଲୋକ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ଏହି ଭୂତାଣୁ ଗତବର୍ଷ ଶେଷ ଭାଗରେ ଚୀନର ଉହାନ୍ ସହରରୁ ବ୍ୟାପିଥିବାରୁ ସମଗ୍ର ବିଶ୍ବର ଜରାଜୀର୍ଣ୍ଣ ଅବସ୍ଥା ପାଇଁ ଚୀନକୁ ଦାୟୀ କରାଯାଉଛି। କିନ୍ତୁ ଚୀନ୍ ନିଜର ଦୋଷ ସ୍ବୀକାର ନ କରି ବରଂ ଏଥିପାଇଁ ଆମେରିକା ଆଡ଼କୁ ଦୋଷ ଠେଲିଚାଲିଛି। ଏପରି ସ୍ଥିତିରେ ଆସନ୍ତା ଏପ୍ରିଲ୍ ୯ ତାରିଖରେ ଜାତିସଂଘ ନିରାପତ୍ତା ପରିଷଦ (ୟୁଏନ୍ଏସସି)ର ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ସହ ଚୀନ୍, ଆମେରିକା ଓ ୟୁଏନ୍ଏସସିର ସଦସ୍ୟ ଦେଶର ପ୍ରତିନିଧିମାନେ ଯୋଗଦେବେ। ତେବେ ପୂର୍ବରୁ ଆମେରିକା ନିୟମିତ ଭାବେ ହୁ’ ଚୀନକୁ ସମର୍ଥନ କରିଆସୁଛି ବୋଲି କହିଆସୁଥିବା ବେଳେ ୟୁଏନ୍ଏସସି ବୈଠକ ପରିପ୍ରେକ୍ଷୀରେ ବେଜିଂ ଉପରେ ଚାପ ବଢ଼ିବା ଏକରକମ ନିଶ୍ଚିତ। ବୈଠକ ଶେଷ ହେବା ପରେ ଏହାର ନିଷ୍ପତ୍ତି ସମ୍ପର୍କରେ ୟୁଏନ୍ ସଚିବ ଜେନେରାଲ୍ ଆଣ୍ଟୋନିଓ ଗୁଟେରେସ୍ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିବେ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ଟ୍ବିଟ୍ କରି କହିଥିଲେ ଯେ ହୁ’ ସବୁଠାରୁ ଅଧିକ ଆର୍ଥିକ ସହାୟତା ଆମେରିକାଠାରୁ ପାଉଥିଲେ ମଧ୍ୟ ଏହା ନିୟମିତ ଭାବେ ଚୀନକୁ ସମର୍ଥନ କରିଆସୁଛି। କୋରୋନା ଭୂତାଣୁ ପରିପ୍ରେକ୍ଷୀରେ ଚୀନ ଉପରେ ଆମର ନଜର ରହିଛି। ତା’ଛଡ଼ା ହୁ’ର କାର୍ଯ୍ୟକ୍ରମ ଉପରେ ମଧ୍ୟ ଆମେ ନଜର ରଖିଛୁ। ସୌଭାଗ୍ୟବଶତଃ ଆମେ ଯଥେଷ୍ଟ ସମୟ ପୂର୍ବରୁ ଚୀନ ପାଇଁ ଆମର ସୀମାରେଖାକୁ ବନ୍ଦ କରିଦେଇଥିଲୁ ବୋଲି ଟ୍ରମ୍ପ୍ ଟ୍ବିଟ୍ କରି କହିଥିଲେ। ଗତ ୨୦୧୭ ମେ’ରେ ଟେଡ୍ରୋସ୍ ଆଧାନୋମ୍ ଘେବ୍ରେୟେସୁସ୍ ହୁ’ର ମହାନିର୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କ ନାମ ଚୀନ୍ ସୁପାରିସ୍ କରିଥିବା ବେଳେ ଟେଡ୍ରୋସ୍ ଆମେରିକା ସମର୍ଥିତ ତଥା ଯୁକ୍ତରାଜ୍ୟ ପ୍ରାର୍ଥୀ ଡ. ଡେଭିଡ୍ ନାବାରୋଙ୍କୁ ପରାସ୍ତ କରିଥିଲେ। ଗତ ବର୍ଷ ନଭେମ୍ବରରେ ଉହାନରେ କୋରୋନା ଭୂତାଣୁ ବ୍ୟାପିବା ଆରମ୍ଭ କରିଥିଲେ ହେଁ ଏହାକୁ ମହାମାରୀ ଘୋଷଣା କରିବା ସକାଶେ ହୁ’ ମାର୍ଚ୍ଚ ୧୨ ତାରିଖ ପର୍ଯ୍ୟନ୍ତ ସମୟ ନେଇଥିଲା। କିନ୍ତୁ ସେତେବେଳକୁ ସମଗ୍ର ୟୁରୋପରେ ବ୍ୟାପିବା ସହ କୋରୋନା ହଜାରେରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ନେଇସାରିଥିଲା।