ଏପ୍ରିଲ ୨୦ତାରିଖରୁ ଲକଡାଉନ କୋହଳ ନେଇ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା ପାଇଁ କେନ୍ଦ୍ରର ନିର୍ଦ୍ଦେଶ
ନୂଆଦିଲ୍ଲୀ : ଦେଶରେ କୋଭିଡର ସ୍ଥିତି ନେଇ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । କରୋନା ସଂକ୍ରମଣର ନିୟନ୍ତ୍ରଣ ଓ ଏପ୍ରିଲ ୨୦ ତାରିଖଠାରୁ ଯେଉଁସବୁ ଅଞ୍ଚଳରେ ଲକଡାଉନକୁ କୋହଳ କରାଯିବ ସେ ସଂକ୍ରାନ୍ତରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଵରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ, ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ କରୋନା ବିରୁଦ୍ଧରେ ସଂଗ୍ରାମ କରୁଛି । ଲକଡାଉନ କୋହଳ ସହିତ ଅନ୍ୟାନ୍ୟ ଜାତୀୟ ମାର୍ଗଦର୍ଶିକାର ପାଳନ ଯେପରି କଡାକଡି ହୁଏ ତାହା ଦେଖିବାକୁ ସେ ପରାମର୍ଶ ଦେଇଛନ୍ତି । ପରିସ୍ଥିତିର ସମୀକ୍ଷା କରି ସେ କହିଛନ୍ତି ଯେ, ଯେଉଁ ଅଞ୍ଚଳଗୁଡିକ ହଟ ସ୍ପଟ, କ୍ଲଷ୍ଟର ଓ ଆବଦ୍ଧାଞ୍ଚଳ ପରିସୀମା ମଧ୍ୟରେ ଆସୁନାହିଁ, ସେସବୁ ଅଞ୍ଚଳରେ କେତେକ କାର୍ଯ୍ୟକଳାପ ପାଇଁ ଅନୁମତି ଦିଆଯାଇଛି । ତେବେ ଯେଉଁ କୋହଳ ବ୍ୟବସ୍ଥା ଘୋଷିତ ହୋଇଛି, ସେଗୁଡିକୁ କଡାକଡି ଭାବେ ପାଳନ ପାଇଁ ସେ କହିଛନ୍ତି । ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଗ୍ରାମାଞ୍ଚଳରେ କେତେକ ଆର୍ଥିକ କାର୍ଯ୍ୟକଳାପ ଚାଲୁ ରଖିବା ପାଇଁ ଅନୁମତି ଦିଆଯାଇଛି । ସେ ଦୃଷ୍ଟିରୁ ଜିଲ୍ଲାପାଳମାନେ କଳକାରଖାନାଗୁଡିକ ସହ ଆଲୋଚନା କରି ରାଜ୍ୟ ମଧ୍ୟରେ ଶ୍ରମିକମାନଙ୍କ ପାଇଁ କାମର ବ୍ୟବସ୍ଥା କରିବା ସହିତ ସେମାନଙ୍କୁ ସେଠାକୁ ପଠାଇବେ । ଏହା ଏକ ପକ୍ଷରେ ଆର୍ଥିକ କାର୍ଯ୍ୟକଳାପକୁ ବଳବତ୍ତର ରଖିବା ସହିତ ଅନ୍ୟ ପକ୍ଷରେ ଶ୍ରମିକମାନଙ୍କୁ କର୍ମସଂସ୍ଥାନ ଯୋଗାଇବ ବୋଲି ମୋଦୀ ସରକାର ବିଶ୍ଵାସ କରନ୍ତି । ସେହିଭଳି ରାଜ୍ୟଗୁଡିକ ବଡ ବଡ ଶିଳ୍ପସଂସ୍ଥା ଓ ଶିଳ୍ପ ପରିସରଗୁଡିକୁ ଚାଲୁ କରିବା ପାଇଁ ଧ୍ୟାନଦେବା ଆବଶ୍ୟକ । ଏହାଫଳରେ ଅର୍ଥନୀତିର ପୁନରୁତ୍ଥାନ ସହ ଶ୍ରମିକ ଗୋଷ୍ଠୀ କର୍ମସଂସ୍ଥାନ ପାଇପାରିବେ । ଘଡିସନ୍ଧି ମୁହୂର୍ତ୍ତରେ ସମାଜର ସବୁ ବର୍ଗର ଲୋକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ମୋଦୀ ସରକାର ଅଙ୍ଗୀକାରବଦ୍ଧ । ଜିଲ୍ଲାପାଳମାନେ ମଧ୍ୟ କୃଷି ଓ ମନରେଗା କାର୍ଯ୍ୟକ୍ରମ ଦ୍ଵାରା ଶ୍ରମିକମାନଙ୍କୁ କାମ ଯୋଗାଇବା ଉପରେ ଚିନ୍ତା କରିବାକୁ ସ୍ଵରାଷ୍ଟ୍ର ମନ୍ତ୍ରୀ କହିଛନ୍ତି । ଯେଉଁ ଶ୍ରମିକମାନେ ରିଲିଫ କେନ୍ଦ୍ରଗୁଡ଼ିକରେ ରହିଛନ୍ତି, ସେମାନଙ୍କ ସୁଖସ୍ଵାଛନ୍ଦ୍ୟ ଓ ଖାଇବା ପିଇବା ଉପରେ ଅଧିକ ଧ୍ୟାନଦେବା ଉଚିତ । ପ୍ରତିକୂଳ ପରିସ୍ଥିତି ସତ୍ଵେ ଏହି ସମସ୍ୟାର ମୁକାବିଲା କରାଯାଇପାରିବ । ବର୍ତ୍ତମାନ ଚିକିତ୍ସକ ଗୋଷ୍ଠୀଙ୍କ ଦ୍ଵାରା ଦେଶର ବିଭିନ୍ନ ସ୍ଥାନରେ ଗୋଷ୍ଠୀକୈନ୍ଦ୍ରିକ ପରୀକ୍ଷା ଚାଲୁଅଛି । ଚିକିତ୍ସକ ଦଳର ନିରପତ୍ତା ପ୍ରତି ରାଜ୍ୟଗୁଡିକ ସ୍ଵତନ୍ତ୍ର ଧ୍ୟାନ ଦେବା ଆବାଶ୍ୟକ । ଚିକିତ୍ସକ ଦଳ ସେ ଅଞ୍ଚଳକୁ ଯିବା ପୂର୍ବରୁ ଶାନ୍ତି କମିଟି, ଗାଁ ମୁଖିଆ ବା ସାମାଜିକ କର୍ମୀମାନେ ଲୋକମାନଙ୍କୁ ଏହି ପରୀକ୍ଷାର ଆବଶ୍ୟକତା ଉପରେ ବୁଝାଇ ସୁଝାଇ କୋଭିଡ-୧୯ ସମ୍ପର୍କରେ ସେମାନଙ୍କ ମନରେ ଥିବା ଆଶଙ୍କା ଦୂର କରି ପ୍ରାକ ପରୀକ୍ଷା ପରିସ୍ଥିତି ସୃଷ୍ଟି କରିବେ । ଗ୍ରାମାଞ୍ଚଳଗୁଡିକରେ କୋଭିଡ ସଂକ୍ରାନ୍ତ ଜାତୀୟ ନୀତି ନିୟମର କଡାକଡି ପାଳନ ପାଇଁ ପୁଲିସ ପଇଁତରା କାର୍ଯ୍ୟକୁ ଅଧିକ ବ୍ୟାପକ କରାଯିବା ଉଚିତ । ଏଗୁଡ଼ିକୁ ପାଳନ କରିବା ପାଇଁ ଜିଲ୍ଲାପାଳମାନେ ପୁଲିସ ସମେତ ପଞ୍ଚାୟତ ଓ ରାଜସ୍ୱ ଅଧିକାରୀମାନଙ୍କ ସହାୟତା ମଧ୍ୟ ନେଇପାରିବେ ।


