ଏପ୍ରିଲ ୨ ରେ ୧୩୫ଟି ସରକାରୀ ବିଦ୍ୟାଳୟରେ ହେବ ପ୍ରବେଶ ଉତ୍ସବ

ଆସିକା, (ୱାଇଏନ୍‍ଏସ୍‍):ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷା ବର୍ଷରୁୁ ଜାତୀୟ ଶିକ୍ଷାନୀତି ୨୦୨୦କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଗୋଟିଏ ଲେଖାଏଁ ପ୍ରାକ୍‍ ପ୍ରାଥମିକ ଶ୍ରେଣୀ ବା ଶିଶୁବାଟିକା ଖୋଲାଯିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇସାରିଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଏବଂ ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଆସନ୍ତା ଏପ୍ରିଲ ମାସ ୨ ତାରିଖରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ହରିଡାପଦର, ନିମିନା, କେନ୍ଦୁପଦର, ବାଲିସିରା, ଆସିକା ଏନ୍‍ଏସି, ଖାରିଆ, ବାବନପୁର, ଗଙ୍ଗାପୁର, କେ.ନୁଆଁପଲ୍ଲୀ, ବଡଖୋଲି, ଭେଟନଇ, ନଳବଣ୍ଟା, କାଳଷଣ୍ଢପୁୁର କ୍ଳଷ୍ଟର ଅଧୀନସ୍ଥ ୧୩୫ଟି ସରକାରୀ ବିଦ୍ୟାଳୟରେ ଶିଶୁବାଟିକା ଶ୍ରେଣୀ ଓ ପ୍ରଥମ ଶ୍ରେଣୀ ପାଇଁ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଦିବସ ପାଳନ କାର୍ଯ୍ୟକ୍ରମ ଯେପରି ଶତପ୍ରତିଶତ ସଫଳତାର ସହ କାର୍ଯ୍ୟକାରୀ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଶିବରାମ ବେହେରା ଏବଂ ଭଂଜ ବେହେରାଙ୍କ ମାର୍ଗଦର୍ଶନ ସାଙ୍ଗକୁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିଶିରକାନ୍ତ ବେହେରା, ହରିବନ୍ଧୁ ବେହେରା, ରଂଜିତା ପାତ୍ର, ଟୁଲୁ ସେଠୀ, ଚନ୍ଦ୍ରଶେଖର ସ୍ୱାଇଁ, ଅର୍ଚ୍ଚନା ବେହେରା, ଚିତ୍ରସେନ ସେଠୀ, ସୌଦାମିନୀ ହୋତାଙ୍କ ସମେତ ସମସ୍ତ ସିଆର୍‍ସିସି, ସରକାରୀ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ଓ ଶିକ୍ଷକମାନଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି । ପ୍ରଥମ ଥର ପାଇଁ ସରକାରୀ ବିଦ୍ୟାଳୟ ଗୁଡିକରେ ଖୋଲିବାକୁ ଥିବା ଶିଶୁବାଟିକାରେ ୫ ବର୍ଷରୁ ଅଧିକ ବୟସର ପିଲାଙ୍କ ନାମଲେଖା ହେବ । ନାମଲେଖା ପୂର୍ବରୁ ଶିକ୍ଷାବିଭାଗ ପୂର୍ବରୁ ଏହି କାର୍ଯ୍ୟକ୍ରମକୁ ପ୍ରଚାର ଓ ପ୍ରସାର ପାଇଁ ଆସିକାରେ ସ୍ୱତନ୍ତ୍ର ଅଭିଯାନ ଜାରି ରହିଥିବା ଜଣାପଡିଛି । ଆସନ୍ତା ଏପ୍ରିଲ ମାସ ୨ ତାରିଖରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩୫ଟି ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଅଭିଭାବକ, ନିର୍ବାଚିତ ପ୍ରତିନିଧି, ବରିଷ୍ଠ ଅଧିକାରୀ ଓ ସିଭିଲ୍‍ ସୋସାଇଟିର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ରହିଛି । ଶିଶୁବାଟିକା ଓ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ପିଲାଙ୍କ ପରିବାରବର୍ଗଙ୍କୁ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ ମଧ୍ୟ କରାଯିବ ଏବଂ ସମସ୍ତ ଅଞ୍ଚଳରେ ଏହି ଅବସରରେ ଶିକ୍ଷା ସଚେତନତା ରଥ ବୁଲିବ ବୋଲି ଜଣାପଡିଛି । ବିଦ୍ୟାଳୟ ବାହାରେ ଥିବା ବା ବିଦ୍ୟାଳୟ ଛାଡିଦେଇଥିବା ଛାତ୍ରଛାତ୍ରୀଙ୍କୁ ଚିହ୍ନଟି କରି ବିଦ୍ୟାଳୟକୁ ଫେରାଇ ଆଣିବା ଲାଗି ଶିକ୍ଷାବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଥିଲା ବେଳେ ଗୁଣାତ୍ମକ ପ୍ରାକ୍‍ ବିଦ୍ୟାଳୟ ଶିକ୍ଷା ପ୍ରଦାନ ପାଇଁ ଟିଇ ଏବଂ ଏସ୍‍ସିଇଆର୍‍ଟି ପକ୍ଷରୁ ଷ୍ଟୁଡେଣ୍ଟ ୱାର୍କବୁକ୍‍ ବିକଶିତ କରାଯାଉଥିବା ଜଣାପଡିଛି । ଶିଶୁବାଟିକାରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀମାନେ ଯେପରି ନିୟମିତ ଭାବେ ବିଦ୍ୟାଳୟକୁ ଆସିବେ ଓ ଶ୍ରେଣୀଗୃହରେ ସକ୍ରିୟ ଅଂଶଗ୍ରହଣ କରି ଉତ୍ସାହିତ ହେବେ ସେଥିପାଇଁ ଆସିକା ଶିକ୍ଷାବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ