ଏବିଡିଓଙ୍କୁ ସାଢେ ୭ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ

ଛତ୍ରପୁର, ଗତ ସାଧାରଣ ନିର୍ବାଚନ ସମୟରେ ଛତ୍ରପୁର ସ୍ଥିତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ କର୍ତ୍ତବ୍ୟରତ କର୍ମଚାରୀଙ୍କ ଦୁର୍ଘଟଣା ଜନିତ ଅକର୍ମଣ୍ଣ୍ୟତା ପାଇଁ କ୍ଷତିପୂରଣ ପ୍ରଦାନ କରାଯାଇଛି । ତତ୍‌କାଳୀନ ଗଞ୍ଜାମ ବ୍ଲକର ଅତିରିକ୍ତ ବିଡିଓ ସାହେବ ପାଣିଗ୍ରାହୀଙ୍କୁ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ୭ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି । ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟରୁ ପ୍ରଦତ୍ତ ଏହି ଅର୍ଥକୁ ବ୍ୟାଙ୍କ ଡ୍ରାଫ୍ଟ କରି ଉକ୍ତ କର୍ମଚାରୀଙ୍କୁ ଦିଆଯାଇଛି । ସାଧାରଣ ନିର୍ବାଚନ ସମୟରେ କୌଣସି କାର୍ଯ୍ୟରତ କର୍ମଚାରୀଙ୍କ କିଛି କ୍ଷତି ହେଲେ ତାକୁ କ୍ଷତିପୂରଣ ଦେବାର ନିୟମ ରହିଛି । ଆତଙ୍କବାଦା କାର୍ଯ୍ୟକଳାପ ଦ୍ୱାରା ମୃତ୍ୟୁବରଣ କଲେ ୩୦ ଲକ୍ଷ ଟଙ୍କା ଏବଂ ସଂପୂର୍ଣ୍ଣ ଅକର୍ମଣ୍ଣ୍ୟ ହେଲେ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଅନ୍ୟ କୌଣସି ଦୁର୍ଘଟଣାରେ ମୃତ୍ୟୁବରଣ କଲେ ୧୫ ଲକ୍ଷ ଟଙ୍କା ସଂପୂର୍ଣ୍ଣ ଅକର୍ମଣ୍ଣ୍ୟ ହେଲେ ୭ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ଅଛି । ଅତିରିକ୍ତ ବିଡିଓ ଶ୍ରୀ ପାଣିଗ୍ରାହୀ ୨୦୧୯ ମସିହା ମାର୍ଚ୍ଚ ୩୧ ତାରିଖରେ ଛତ୍ରପୁର ଠାରୁ ନିର୍ବାଚନ କାର୍ଯ୍ୟ ସାରି ଗଞ୍ଜାମ ଯିବା ସମୟରେ ରାସ୍ତାରେ ତାଙ୍କୁ ଟ୍ରକ ଧକ୍କା ଦେଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇ ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ଏମ୍‌କେସିଜି ବଡ ଡାକ୍ତରଖାନା ଏବଂ ଶେଷରେ ବିଶାଖପାଟଣା ସ୍ଥିତ କେୟେରା ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ଏହି ଦୁର୍ଘଟଣାରେ ସେ ବାମ ଗୋଡଟିକୁ ହରାଇଛନ୍ତି । ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ କ୍ଷତିପୂରଣ ପ୍ରଦାନ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସୁପାରିଶ କରିଥିଲେ । ଜିଲ୍ଲାପାଳଙ୍କ ସୁପାରିଶକୁ ଭିତ୍ତି କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଉକ୍ତ ଅର୍ଥ ମଞ୍ଜୁର କରିଥିଲେ । ଡ୍ରାପ୍ଟ ପ୍ରଦାନ ସମୟରେ ଜିଲ୍ଲା ନର୍ବାଚନ ଅଧିକାରୀ ଡ.ବିଜୟାନନ୍ଦ ସେଠୀ, ଉପ ବିଭାଗୀୟ ଅଫିସର ସୁରେନ୍ଦ୍ର ନାଥ ପଣ୍ଡା, ବରିଷ୍ଠ ରାଜସ୍ୱ ସହାୟକ ବଚନ କୁମାର ମହାପାତ୍ର ଓ କେ.ସୁରେଶ କୁମାର ରେଡ୍ଡୀ ଏବଂ କନିଷ୍ଠ ରାଜସ୍ୱ ସହାୟକ ଶିବାନନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଯେ, ୨୦୧୯ ସାଧାରଣ ନିର୍ବାଚନ ସମୟରେ ଛତ୍ରପୁର ଠାରେ ଆୟୋଜିତ ଇଭିଏମ୍ ମେସିନ୍ ରେଣ୍ଡୋମିଜେସନ୍ ପ୍ରକ୍ରିୟା ଚାଲିଥିବା ବେଳେ ସୁପରଭାଇଜିଂ ଟିମ୍‌ରେ ଶ୍ରୀ ପାଣିଗ୍ରାହୀଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଥିଲା । ବର୍ତ୍ତମାନ ଶ୍ରୀ ପାଣିଗ୍ରାହୀ କୁକୁଡାଖଣ୍ଡି ବ୍ଲକ ଏବିଡିଓ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ