ଏବେ ଆତଙ୍କବାଦୀଙ୍କ ବିଚାରଧାରାକୁ ଟାର୍ଗେଟ୍, ପାକିସ୍ତାନ ବିରୋଧରେ ଅଧିକ ପ୍ରମାଣ ଯୋଗାଡ଼ ପାଇଁ କହିଲେ ଡୋଭାଲ୍
ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରୁଥିବା ସମଗ୍ର ବିଶ୍ୱ ଜାଣିଛି । ଏହା ପାକିସ୍ତାନର ନୀତି ପାଲଟିଛି ଏବଂ ଲଗାତାର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନ ପାଣ୍ଠି ଯୋଗାଉଛି । ଏ ପର୍ଯ୍ୟନ୍ତ ଆମେ କେବଳ ଆତଙ୍କବାଦୀଙ୍କୁ ନିପାତ କରୁଛୁ, ଏଥର ସେମାନଙ୍କ ବିଚାରଧାରା ଉପରେ ମଧ୍ୟ ପ୍ରହାର ହେବା ଆବଶ୍ୟକ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି । ଆତଙ୍କବାଦୀ କାର୍ଯ୍ୟଳାପରେ ପାକିସ୍ତାନର ଭୂମିକା ନେଇ ଆହୁରି ଅଧିକ ପ୍ରମାଣ ଯୋଗାଡ଼ କରିବାକୁ ପଡ଼ିବ ବୋଲି ଡୋଭାଲ ଏନ୍ଆଇଏ ଦ୍ୱାରା ପରିଚାଳିତ ଆତଙ୍କବାଦ ନିରୋଧ ଦଳ ଏବଂ ବିଭିନ୍ନ ରାଜ୍ୟ ପୁଲିସର ଏସଟିଏଫ୍ ମୁଖ୍ୟମାନଙ୍କ ସମ୍ମିଳନୀରେ କହିଛନ୍ତି । ଡୋଭାଲ୍ କହିଛନ୍ତି, ପାକିସ୍ତାନ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ନେଇ ବଳିଷ୍ଠ ପ୍ରମାଣ ଥିଲେ ମଧ୍ୟ ଏ ଦିଗରେ ଆହୁରି ବ୍ୟାପକ ତଥ୍ୟ ସଂଗ୍ରହ କରିବାକୁ ହେବ । ଏବେ ଆତଙ୍କବାଦୀଙ୍କ ବିଚାରଧାରା ଉପରେ ମଧ୍ୟ ପ୍ରହାର କରିବା ସମୟ ଆସିଯାଇଛି ବୋଲି ସେ କହିଛନ୍ତି । ଏଫ୍ଏଟିଏଫ୍ର କାର୍ଯ୍ୟାନୁଷ୍ଠାନ ଭୟରେ ପାକିସ୍ତାନ କିଛି ଉପର ଠାଉରିଆ ପଦକ୍ଷେପ ନେଇ ବିଭ୍ରାନ୍ତି ସୃଷ୍ଟି କରିଛି । ତେବେ ଏ ସଂପର୍କରେ ମଧ୍ୟ ବିଶ୍ୱ ସମୁଦାୟ ଅବଗତ ଅଛି ବୋଲି ସେ କହିଛନ୍ତି । ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏନ୍ଆଇଏ ତଦନ୍ତରୁ ମିଳିଥିବା ସଫଳତା ପାଇଁ ଭାରତର ସ୍ଥିତି ସୁଦୃ? ହୋଇଛି ।