ଏବେ ବି ଜଳକା-ସୁବର୍ଣ୍ଣରେଖା ବିପଦ ସଙ୍କେତ ଉପରେ
ବାଲେଶ୍ୱର, (ସରୋଜ ପଣ୍ଡା) : ଲଘୁଚାପ ଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡ ପାଣିରେ ଜିଲା ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ସାଙ୍ଗକୁ ୬ଟି ବ୍ଲକ ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ଗତକାଲି ରାତିଠାରୁ ସୋମବାର ସକାଳ ପର୍ଯ୍ୟନ୍ତ ଅତି ତୀବ୍ର ହୋଇଥିଲା । ବିଶେଷ କରି ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତର ବହୁ ଉପରେ ରହିବା ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ସତର୍କ ସୂଚନାଙ୍କ ଅତିକ୍ରମ କରିଥିଲା । ଫଳରେ ଭୋଗରାଇ, ଜଳେଶ୍ୱର, ବସ୍ତା, ବାଲିଆପାଳ, ରେମୁଣା ଓ ସଦର ବ୍ଳକର ଶହ ଶହ ଗାଁ ପାଣିଘେରକୁ ଚାଲି ଯାଇଥିଲା । ଅଗ୍ନିଶମ, ଏନଡିଆରଏଫ ଏବଂ ଓଡ୍ରାଫର ୨୫ ଗୋଟି ଟିମ ୩ଦିନ ଧରି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ୬ ବ୍ଲକରେ ବନ୍ୟା ପ୍ଳାବିତ ୮୫ ପଞ୍ଚାୟତର ୨୨୪ ଗାଁରୁ ମୋଟ ୩୯,୬୬୩ ଜଣଙ୍କୁ ଉଦ୍ଧାର ସହ ୨୧୩ ଗୋଟି ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବାଲିଆପାଳ ବ୍ଲକର ସର୍ବାଧିକ ୧୦୩ ଟି ତଳିଆ ଗ୍ରାମରୁ ୧୮,୮୪୩ ଜଣଙ୍କୁ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି । ଆଶ୍ରୟ ସ୍ଥଳରେ ସମସ୍ତଙ୍କୁ ଶୁଖିଲା ଖାଦ୍ୟ ଓ ଆନୁସଙ୍ଗିକ ସାମଗ୍ରୀ ପ୍ରଦାନ କରାଯାଇଥିବା ବେଳେ ୧୭୫ଟି କେନ୍ଦ୍ରରେ ୨ଦିନ ଧରି ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି । ସୋମବାର ସକାଳଠାରୁ ଜଳକା ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିଲେ ବି ବନ୍ୟା ଅଞ୍ଚଳରସ୍ଥିତି ପୂର୍ବଭଳି ରହିଛି । ରାତି ୧୦ ସୁଦ୍ଧା ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ (୧୦.୩୬ମି)ର ବହୁ ଉପରେ ଅର୍ଥାତ ୧୧.୧୦ ଓ ଜଳକା ବିପଦ ସଙ୍କେତ (୫.୫୦ ମି) ଉପରେ ୬.୪୪ ମିଟର ଉପରେ ପ୍ରବାହିତ ହେଉଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି । ଭୋଗରାଇ, ଜଳେଶ୍ୱର, ବାଲିଆପା ଓ ବସ୍ତା ବ୍ଲକର ଶହଶହ ଗାଁ ଏବେ ବି ପାଣିଘେରରେ ରହିଛି । ଜଳକା ଓ ସୁବଣ୍ଣଁରେଖାର ଜଳସ୍ତର ଆସନ୍ତାକାଲି ଅପରାହ୍ଣ ସୁଦ୍ଧା ବିପଦ ସଙ୍କେତ ନିମ୍ନକୁ ଖସିବ ବୋଲି ଅନୁମାନ କରାଯାଇଛି । ପୁଣି ଆସନ୍ତାକାଲି ଯଦି ଲଘୁଚାପ ଜନିତ ବର୍ଷା ହୁଏ, ତାହାଲେ ୨୨୪ ଗାଁର ସ୍ଥିତି ଦୁର୍ବିସହ ହୋଇପଡ଼ିବ ବୋଲି ଆଶଙ୍କା ଦେଖାଯାଇଛି । ଅନ୍ୟପକ୍ଷରେ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।


