ଏମିତି ଚାଲିଛି ମଧ୍ୟାହ୍ନ ଭୋଜନ ଯାଞ୍ଚ

ମାଲକାନଗିରି : ରାଜ୍ୟ ସରକାର ୫-ଟି କାର୍ଯ୍ୟକାରୀ କରିବା ପରେ ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଏବେ ବିଭିନ୍ନ ଆହାର କେନ୍ଦ୍ରରେ ଭୋଜନ କରୁଛନ୍ତି । ସ୍କୁଲକୁ ମଧ୍ୟ ଗସ୍ତ କରି ପିଲାମାନଙ୍କ ସହିତ ମଧ୍ୟାହ୍ନଭୋଜନ ଖାଉଛନ୍ତି । ତେବେ, ମାଲକାନଗିରି ଜିଲ୍ଲାରେ ଏହାର ଏକ ଓଲଟା ଚିତ୍ର ଦେଖିବାକୁ ମିଳିଛି । ମଧ୍ୟାହ୍ନଭୋଜନ ଯାଞ୍ଚ କରିବା ପାଇଁ ଆସିଥିବା ଜିଲ୍ଲାପାଳଙ୍କ ପାଇଁ ସ୍କୁଲ୍ କର୍ତ୍ତୃପକ୍ଷ ମଧ୍ୟାହ୍ନଭୋଜନର ମେନୁ ବଦଳାଇ ଦେଇଛନ୍ତି । ଅବଶ୍ୟ, ଜିଲ୍ଲାପାଳଙ୍କ ପାଇଁ ଆସିଥିବା ଖାଦ୍ୟକୁ ସବୁ ପିଲାଙ୍କୁ ପରଷା ଯାଇଥିଲା । ଗତକାଲି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଏବଂ ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମାସନ ମାଡ଼କାମୀ ବିଭିନ୍ନ ବିଦ୍ୟାଳୟକୁ ଯାଇଥିଲେ । ହଷ୍ଟେଲ ଗୁଡ଼ିକ କିଭଳି ଚାଲିଛି ତାହାର ଅନୁଧ୍ୟାନ କରିଥିଲେ । ତେବେ ଜିଲ୍ଲାପାଳଙ୍କ ଏହି ଯାଞ୍ଚ ପ୍ରକ୍ରିୟାରେ ଦେଖିବାକୁ ମିଳିଥିଲା ବଡ଼ ବ୍ୟତିକ୍ରମ । ସଦର ମହକୁମା ସ୍ଥିତ ୫୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସରେ ଅନ୍ୟ ଅଧିକାରୀଙ୍କୁ ନେଇ ନିଜେ ଜିଲ୍ଲାପାଳ ପହଞ୍ଚିଥିଲେ । ପିଲାଙ୍କ ସହ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରି ମଧ୍ୟାହ୍ନ ଭୋଜନ ଖାଇବାକୁ ପିଲାଙ୍କ ମେଳରେ ବସିଥିଲେ । ଜିଲ୍ଲାପାଳଙ୍କୁ ପାଖରେ ପାଇ ଛାତ୍ରୀମାନେ ବି ବେଶ୍ ଗଦ୍ଗଦ୍ ହୋଇ ଯାଇଥିଲେ । ତେବେ ଜିଲ୍ଲାପାଳ ଆସିଥିବାରୁ ହଷ୍ଟେଲ କର୍ତ୍ତୃପକ୍ଷ ନିୟମିତ ଖାଦ୍ୟ ବଦଳରେ ଥାଳିରେ ସୁସ୍ୱାଦୁ ଖାଦ୍ୟ ପରଶି ଦେଇଥିଲେ । ମେନୁ ଅନୁଯାୟୀ ଆଜି ପିଲାଙ୍କୁ ଭାତ, ଡାଲି, ଚିକେନ କିମ୍ବା ସାଦା ତରକାରୀ ଆଦି ମଧ୍ୟାହ୍ନ ଭୋଜନରେ ଦିଆଯିବା କଥା । ହେଲେ ଦିଆଗଲା ଭାତ, ଡାଲି, ଚିପସ୍, ଖଟା, ତରକାରୀ ସହ ମିଠାରେ ରସଗାଲା ଓ ଗୁଲାବ ଜାମୁନ । ଯେଉଁମାନେ ଚାହିଁଥିଲେ ଚିକେନ ତରକାରୀ ଦିଆଯାଇଥିଲା । ଏତେ ପ୍ରକାର ବ୍ୟଞ୍ଜନ ଦିଆଯିବାକୁ ନେଇ ପ୍ରଥମେ ଛାତ୍ରୀମାନେ ଚକିତ ହୋଇଯାଇଥିଲେ । ତଥାପି ସେମାନେ ସେଥିପ୍ରତି ବିଶେଷ ଧ୍ୟାନ ନଦେଇ ଖାଇବାରେ ମନ ଦେଇଥିଲେ । ପିଏ ଆଇଟିଡିଏ, ଡିଡବ୍ଲୁଓ, ବିଡିଓ ପ୍ରମୁଖ ବି ଏହି ସୁସ୍ୱାଦୁ ବ୍ୟଞ୍ଜନରେ ଆପ୍ୟାୟିତ ହୋଇଥିଲେ । ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସଫେଇ ହେଲା ଗତକାଲି ଦୀପାବଳି ରହିଥିବାରୁ ଏଭଳି ଖାଦ୍ୟ ରୋଷେଇ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ