ଏମ୍ସିଏଲ୍ ମେଡିକାଲ କଲେଜ ପ୍ରତିଷ୍ଠାରେ ବାଧକ ସାଜୁଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ
ତାଳଚେର (ଜୁଗାବ୍ଦ ନ୍ୟୁଜ୍): ତାଳଚେରଠାରେ ଏମ୍ସିଏଲ୍ ମେଡିକାଲ କଲେଜ ପ୍ରତିଷ୍ଠାରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି । ମେଡିକାଲକଲେଜ କରିବାକୁ ହେଲେ ମେଡିକାଲ କାଉନ୍ସିଲକୁ ଦରଖାସ୍ତ କରିବାକୁ ପଡ଼େ । ଏଥିପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପୁରା ହେବା ଦରକାର । ମାତ୍ର ଆବଶ୍ୟକ ପ୍ରମାଣପତ୍ରରେ ସରକାର ଦସ୍ତଖତ କରିନାହାନ୍ତି । ଏନେଇ କେନ୍ଦ୍ର ସରକାର ରାଜ୍ୟକୁ ଅବଗତ କରିବାପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଳଚେରଠାରେ ଏମ୍ସିଏଲ୍ ସହାୟତାରେ ପ୍ରସ୍ତାବିତ ମହାନଦୀ ମେଡିକାଲ କଲେଜ (ଏମଆଇଏମଏସ୍ଆର) ଏକାଡେମିକ ବ୍ଲ୍କ୍କୁ ରାଜ୍ୟ ଉଦ୍ଦେଶ୍ୟରେ ଲୋକାର୍ପଣକରିବା ସହ ଦୁଇଟି ପ୍ରକଳ୍ପର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ପ୍ରଧାନ ଏହା କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ, ବହୁ ପ୍ରତିକ୍ଷିତ ମେଡିକାଲ କଲେଜ ପ୍ରତିଷ୍ଠା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ତାଳଚେର ପ୍ରତି ବୈମାତୃକ ମନୋଭାବ ହିଁ ଦାୟୀ । ମେଡିକାଲ କଲେଜର ବିଲ୍ଡିଂ ପାଖାପାଖି ୬ମାସ ତଳେ ସରିଛି । ଏମ୍ସିଆଇକୁ ଦରଖାସ୍ତ କରିବା ପାଇଁ ଯେଉଁ ସାର୍ଟିଫିକେଟ ଦରକାର, ଏହାକୁ ସ୍ୱାସ୍ଥ୍ୟ ବିଭାଗ ପଠାଇ ସାରିବା ପରେ ହିଁ ନବୀନ ବାବୁ ତାଙ୍କ ନିଜ ଦପ୍ତରରେ ଅକ୍ଟୋବର ମାସରୁ ଅଟକାଇ ରଖିଥିବା କାରଣୁ ଏହି ମେଡିକାଲ କଲେଜ ଆରମ୍ଭ ହୋବାର କାମ ଆଗକୁ ବଢ଼ିପାରୁନାହିଁ ବୋଲି ପ୍ରଧାନ ଅଭିଯୋଗ କରିଛନ୍ତି । ଭାରତ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ପ୍ରକଳ୍ପକୁ ଅଟକେଇବାର ରାଜ୍ୟ ସରକାର ଅପଚେଷ୍ଟା କରୁଥିବାବେଳେ ସେଥିରେ ତାଳଚେର ମେଡିକାଲ କଲେଜ ଶିକାର ହୋଇଛି । ଏମ୍ସିଏଲ୍ ଅର୍ଥରେ ୫୦୦ କୋଟି ଟଙ୍କାର ସିଏସଆର୍ ଫଣ୍ଡରୁ ମେଡିକାଲ କଲେଜ କାମ ସମ୍ପୂର୍ଣ୍ଣ ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ଏକ ପତ୍ର ଦେବାକୁ ପଡ଼ିବ । ମାତ୍ର ରାଜ୍ୟ ସରକାର କାହିଁକି ତାଳଚେର ଓ ଅନୁଗୁଳ ପ୍ରତି ବୈମାତୃକ ମନୋଭାବ କରୁଛନ୍ତି ଏବଂ ଓଡ଼ିଶାର ଗରିବଙ୍କ ପ୍ରତି କାହିଁକି ଦାଉ ସାଜୁଛନ୍ତି ଏହା ମୂଳପ୍ରସଙ୍ଗ ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ଦିନକାଳ ସରିଆସିଲାଣି । ଲିଭିବା ବେଳେଦୀପଟି ଜୋର୍ରେ ଜଳେ । ଏଥିପାଇଁ ସେମାନେ ଅହଂକାର ଦେଖାଉଛନ୍ତି । ରାଜ୍ୟ ସରକାର ଏହି ମେଡିକାଲକୁ ନଚେଳେଇଲେ ଏମ୍ସିଏଲ ଜାତୀୟ ସ୍ତରର ଅନୁଷ୍ଠାନ ମାଧ୍ୟମରେ ଚଳାଇବ ବୋଲି ସେ କହିଛନ୍ତି ।
୨୦୦୦ ମସିହାରୁ ବିଭିନ୍ନ ସମୟରେ ମେଡିକାଲ କଲେଜ ହେବାପାଇଁ ସ୍ଥାନୀୟ ଲୋକେ ଦାବି କରିଆସୁଥିଲେ । ୨୦୧୪ ମାର୍ଚ୍ଚ ମାସରେ ରାଜ୍ୟ ସରକାର ଓ କୋଲ୍ ଇଣ୍ଡିଆ ଏବଂ ଏମ୍ସିଏଲ ଏଠାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମିଳିତ ବୁଝାମଣା କରିଥିଲେ । ପରବର୍ତ୍ତୀ ସମୟରେ ଏଠାରେ ମେଡିକାଲ କଲେଜ ପାଇଁ ଶୁଭ ଦିଆଯିବା ପରେ ମେଡିକାଲ କଲେଜ କିଏ ଚଳାଇବା ନେଇ ପ୍ରଶ୍ନ ଉଠିଥିଲା । ରାଜ୍ୟରେ ଅଧା ଡାକ୍ତର ପଦବୀ ଖାଲି ପଡ଼ିଛି । କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ମୋଟ୍ ତିନୋଟି ମେଡିକାଲ କଲେଜ ଥିବାବେଳେ ଓଡ଼ିଶାରେ ଆଉ ୫ଟି ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହଯୋଗ କଲେ । କୋରାପୁଟ, ପୁରୀ, ବଲାଙ୍ଗୀର, ବାଲେଶ୍ୱର ଓ ମୟୂରଭଞ୍ଜରେ ମେଡିକାଲ କଲେଜ ଓ ଦୁଇ ତିନୋଟି ମେଡିକାଲ କଲେଜକୁ ପିଏସ୍ୟୁ ମଧ୍ୟ ଦାୟିତ୍ୱ ନେଲେ ବୋଲି ସେ କହିଛନ୍ତି ।
ମେଡିକାଲ କଲେଜ ସହ ଅନ୍ୟ ଦୁଇଟି ପ୍ରକଳ୍ପ ଏହାସହ ମଧ୍ୟ ଆରମ୍ଭ କରାଯାଇଛି । ଏହି ମେଡିକାଲ କଲେଜ ପରିସରରେ ଗୋଟିଏ କ୍ୟାନ୍ସର ହସ୍ପିଟାଲ ତିଆରି କରାଯିବ । ଏହାସହ ଏମ୍ସିଏଲ୍ତାଳଚେର ଷ୍ଟେସନରେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଟଏଲେଟ୍ର କାମ ମଧ୍ୟ ହାତକୁ ନିଆଯାଇଛି । ଏଥିପାଇଁ ଏମ୍ସିଏଲ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ରାଜ୍ୟ ସରକାର ବିନା ଖାତା ଖତିଆନରେ କଳାହାଣ୍ଡିରେ ସର୍ଦ୍ଦାର ରାଜା ମେଡିକାଲ ଖୋଲିଥିଲେ । ସେ ମେଡିକାଲ କଲେଜରେ ବିନା ଅନୁମତିରେ ପିଲାଙ୍କୁ ଆଡମିଶନ କରାଗଲା । ଫଳରେ ପିଲାଙ୍କୁ ହିନସ୍ତା ହେବାକୁ ପଡ଼ିଲା । ଏହାପରେ ରାଜ୍ୟ ସରକାର କଳାହାଣ୍ଡିରେ ମେଡିକାଲ କଲେଜ କରିବାର ନା ଧରୁନାହାଁନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟରେ ଚିକିତ୍ସା ସେବା ପାଇଁ ଅଧିକ ଡାକ୍ତରର ଆବଶ୍ୟକତା ରହିଛି । ଅନେକ ବେସରକାରୀ ଡାକ୍ତରଖାନା ମଧ୍ୟ ରହିଛି । ମାତ୍ର ରାଜ୍ୟରେ ଅଧା ଡାକ୍ତର ପଦବୀ ଖାଲି ପଡ଼ିଛି । ତାଳଚେରରେ ଗୋଟିଏ ଜାତୀୟ ସ୍ତରର ଏଲ୍ଭି ପ୍ରସାଦ ଅନୁଷ୍ଠାନ ୨୫ କୋଟି ଖର୍ଚ୍ଚା କରି ଚକ୍ଷୁ ହସ୍ପିଟାଲ ସିଏସ୍ଆର ପ୍ରକଳ୍ପ ପ୍ରଥମ ଥର ହେଲା । ଗରିବ ଲୋକମାନେ ବାହାର ରାଜ୍ୟକୁ ନଯାଇ ଏଠାରେ ସବୁ ଚିକିତ୍ସା ପାଇବାର ସୁବିଧା ପାଇବେ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଲ୍ଲାର ବିକାଶ ପାଇଁ ଡିଏମ୍ଏଫ୍ ଫଣ୍ଡର ବ୍ୟବସ୍ଥା କରିଛନ୍ତି । ଓଡ଼ିଶାରେ ଡିଏମ୍ଏଫ୍ରେ ୬ ହଜାର କୋଟି ଟଙ୍କା ଥିବାବେଳେ ଅନୁଗୁଳପାଇଁ କେବଳ ୯୦୦ କୋଟି ଟଙ୍କା ରହିଛି । ରାଜ୍ୟ ସରକାର ଏହି ଟଙ୍କାରେ ପିଇବା ପାଣି, ପାଠପଢ଼ା ଓ ରୋଜଗାର ଓ ଅନ୍ୟାନ୍ୟ ମୌଳିକ ବ୍ୟବସ୍ଥାର ସମାଧାନ କଲେନାହିଁ ବୋଲି ସେ କହିଛନ୍ତି ।