ଏଲଆଇସି ବିକ୍ରି ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ : ବୀମା କର୍ମଚାରୀ ସଂଘ ଓ ସିପିଏମ ପକ୍ଷରୁ ମିଳିତ ପ୍ରତିବାଦ
ବାଲେଶ୍ୱର, (ସରୋଜ ପଣ୍ଡା) :-ରାଷ୍ଟ୍ର ପ୍ରଗତିରେ ତଥା ଦେଶବାସୀଙ୍କ ସାମାଜିକ ସୁରକ୍ଷାରେ ସହାୟକ ହୋଇଥିବା ଜୀବନ ବୀମା ନିଗମ (ଏଲଆଇସି)କୁ ବିକ୍ରି ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଏବେ ସବୁଠି ବିରୋଧ କରାଯାଉଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଏଲଆଇସି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବୀମା କର୍ମଚାରୀ ସଂଘ (ଏଆଇଆଇଇଏ) ଓ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମଆଇ) ମିଳିତ ବିକ୍ଷୋଭ ତଥା ଗଣଧାରଣା ବୁଧବାର ଅନୁଷ୍ଠିତ ହୋଇଯାଇଛି । ‘ଏଆଇଆଇଇଏ’ର ଜିଲା ସଭାପତି ଅଶୋକ କୁମାର ବେରା, ସମ୍ପାଦକ ବସନ୍ତ କୁମାର ମହାନ୍ତି ଓ ସିପିଏମ ନେତା ଶିଶିର ହୁଇ ତଥା ନିର୍ମଳ ନାୟକଙ୍କ ନେତୃତ୍ୱରେ ଆୟୋଜିତ ମିଳିତ ପ୍ରତିବାଦ କାର୍ଯ୍ୟକ୍ରମରେ ବହୁ ଶ୍ରମିକ ନେତା ଏବଂ ଜୀବନ ବୀମା କର୍ମଚାରୀ ଯୋଗଦେଇ କେନ୍ଦ୍ର ସରକାରଙ୍କ ମନମୁଖୀ ନୀତି ଓ କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଥିଲେ । କେନ୍ଦ୍ର ସରକାର ୧୪୦ କୋଟି ଦେଶବାସୀଙ୍କ ସହ ବିଶ୍ୱାସଘାତ କରିବାକୁ ଯାଉଥିବା ଧାରଣାକାରୀ କହିଥିଲେ । ବିଜେପିର ପାଣ୍ଠି ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁରାଷ୍ଟ୍ରୀୟ ଉଦ୍ୟୋଗୀ ଓ ଶିଳ୍ପପତିଙ୍କ ହାତକୁ ଏହି ନିଗମକୁ ଟେକି ଦେବାକୁ ତିଳେମାତ୍ର ଦ୍ୱିଧା ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଛନ୍ତି । ଏହି ଜୀବନ ବୀମା ନିଗମରେ ୨୯ କୋଟି ପଲିସିଧାରୀ, ଏକ ଲକ୍ଷ କର୍ମଚାରୀ ଓ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଏଜେଣ୍ଟଙ୍କ ଭାଗ୍ୟ ସହ ଖେଳିବାର ଅଧିକାର କେନ୍ଦ୍ର ସରକାରଙ୍କ ନାହିଁ । ଏହାକୁ ବିକ୍ରି ପାଇଁ ନିଷ୍ପତ୍ତି ନେବା ପୂର୍ବରୁ ସରକାର ଜନମତ ବି ନେଇ ନାହାନ୍ତି । ଅତଏବେ ଏହି ନିଷ୍ପତ୍ତିରୁ ତୁରନ୍ତ ଓହରିବାକୁ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବକ୍ତମାନେ ଦୃଢ଼ ଦାବି କରିଥିଲେ । ନତୁବା ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ତୀବ୍ରତର ହେବା ସହ ଦେଶବାସୀ ଉଚିତ ଜବାବ ଦେବେ ବୋଲି ସେମାନେ ଚେତାବନୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପିଏମ ନେତା ପ୍ରେମରଞ୍ଜନ ପାତ୍ର, ବିଜୟ ପାତ୍ର, ଷ୍ଟାଲିନ ମିଶ୍ର, ଅକ୍ଷୟ ରଣା, ଶ୍ୟାମସୁନ୍ଦର ଜେନାଙ୍କ ସମେତ ବୀମା କର୍ମଚାରୀ ସଂଘର ବାଇଧର ସିଂହ, ନିରଞ୍ଜନ ବେହେରା, କ୍ରିଷ୍ଣାମଣି ସେନାପତି, ମଞ୍ଜୁଲତା ସେଠୀ, ଭାଗୀରଥିଦାସ, ଗୌତମ ଚରଣ ଦାସ, ନରେନ୍ଦ୍ର ସେଠୀ, ନିଖିଲ କୁମାର ବେହେରା, ଦେବକୀନନ୍ଦନ ସେଠୀ ପ୍ରମୁଖ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ ।


