ଏଲଆଣ୍ଡଟି କମ୍ପାନୀର ନିମ୍ନମାନର କାର୍ଯ୍ୟ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ବସୁଧା ଯୋଜନା ଅନ୍ତର୍ଗତ ଭଣ୍ଡାରିପୋଖରୀ ଆଖୁଆପଦା ଠାରେ ଏକ ବୃହତ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାୟ ୧୦୦କୋଟି ଟଙ୍କାର ପ୍ରକଳ୍ପକୁ ରାଜ୍ୟ ସରକାର ଏଲ ଆଣ୍ଡ ଟି କମ୍ପାନୀ ହାତରେ ଟେକିଦେଇଥିବା ବେଳେ ଧୀରେ ଧୀରେ କମ୍ପାନୀର ନିମ୍ନମାନର କାର୍ଯ୍ୟ ଦୃଷ୍ଟି ଗୋଚର ହେଉଛି। ବ୍ଲକ ଅଧିନ ସମସ୍ତ ଅଞ୍ଚଳକୁ ଜଳ ଯୋଗାଣ ପାଇଁ ଆଖୁଆପଦା ଠାରେ ମୁଖ୍ୟ ପାଣି ଟାଙ୍କି ନିର୍ମାଣ ହୋଇଥିବା ବେଳେ ଥଇଳା, ବୟାବନାପୁର ଓ ବାଲିପୋଖରୀ ନିକଟରେ ଶାଖା ପାଣି ଟାଙ୍କି ନିର୍ମାଣ ହୋଇଛି। ଏବେ କମ୍ପାନୀ ପକ୍ଷରୁ ବିଭିନ୍ନ ଗାଁକୁ ପାଇପ ବିଛାଣ କାର୍ଯ୍ୟ ଚାଲୁଥିଲେ ସୁଦ୍ଧା ଅନେକ ସ୍ଥାନରେ ଅତି ନିକୃଷ୍ଟ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ ବୟାବନାପୁର ଓ ଦକ୍ଷିଣବାଡ଼ ପଞ୍ଚାୟତରେ ଏବେ ପାଇପ ବିଛାଣ କାର୍ଯ୍ୟ ଚାଲିଥିବା ବେଳେ ଯେଉଁଠି କଂକ୍ରିଟ ନିର୍ମାଣ ହେବା କଥା ତାହା ହେଉ ନାହିଁ। ଯଦିବା କେଉଁଠି କେମିତି କଂକ୍ରିଟ ନିର୍ମାଣ ହେଉଛି ସେଥିରେ ସିମେଣ୍ଟ, ବାଲି, ଓ ଚିପ୍ସର ଭାଗମାପରେ ଅତ୍ୟଧିକ ତାରତମ୍ୟ ରହୁଥିବା ନିକଟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏପରିକି ନିର୍ମାଣଧୀନ କଂକ୍ରିଟ ମଧ୍ୟ ଝଡି ପଡୁଥିବା ଜଣାଯାଇଛି। ପାଇପ ପକାଇବା ପାଇଁ ଆବଶ୍ୟକ ଠାରୁ ଅତି କମ ପରିମାଣରେ ଗର୍ତ୍ତ ଖୋଳା ଯାଉଥିବା ଦେଖା ଯାଉଛି। ବିଭିନ୍ନ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ ରାସ୍ତା ସହିତ ପଂଚାୟତ ରାସ୍ତା ପାର୍ଶ୍ୱରେ ପାଇପ ପଡୁଥିବା ବେଳେ ତା ଉପରେ ଆବଶ୍ୟକ ମାଟି ପଡୁନଥିବାରୁ କାମର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୟାବନାପୁର ଓ ଦକ୍ଷିଣବାଡ଼କୁ ଛାଡିଦେଲେ ରାମଚନ୍ଦ୍ରପୁର, ବାଲିପୋଖରୀ, ନେରଡ଼ା, ସରସଦା, ପ୍ରମୁଖ ପଂଚାୟତ ଅଂଚଳରେ ମଧ୍ୟ ପାଇପ ବିଛାଣ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ କୁ କମ୍ପାନୀ ଅତି ନିକୃଷ୍ଟ ମାନର କରୁଥିବା ଜଣାପଡିଛି। କାମ ତଦାରଖ ଦାୟିତ୍ୱ ନେଇଥିବା ଜଳ ଓ ପରିମଳ ବିଭାଗ ଅଧିକାରୀ ମାନେ ଏହା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ