ଏଲଓସିରେ ୧୫ ପାକ ସୈନ୍ୟ ଓ ୮ ଆତଙ୍କବାଦୀଙ୍କୁ ମାରିଲେ ଭାରତୀୟ ସେନା
ନୂଆଦିଲ୍ଲୀ: ଗତ ୧୦ ତାରିଖରେ ଜାମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖାରେ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୧୫ ସୈନିକ ଓ ୮ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଭାରତୀୟ ଗୁଇନ୍ଦା ବିଭାଗ ଏହି ତଥ୍ୟ ପ୍ରଦାନ କିରଛି । କୁପୱାଡା ଜିଲ୍ଲାର କେରନ ସେକ୍ଟର ଅନ୍ତର୍ଗତ ଏଲଓସି ଆରପଟେ ଥିବା ପାକିସ୍ତାନର କେତେକ ଆତଙ୍କୀ ଲଞ୍ଚ ପ୍ୟାଡ ଓ ଗୋଳାବାରୁଦ ତଥା ଅସ୍ତ୍ରଭଣ୍ଡାରକୁ ଟାର୍ଗେଟ କରି ଭାରତୀୟ ସେନା ୧୦୫ ମି.ମି ଆର୍ଟିଲେରି ଗନ ଓ ୧୫୫ ମି.ମି ବୋଫର୍ସ ତୋପ ସହାୟତାରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ । ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ସେହି ଅଞ୍ଚଳରେ ଥିବା ଜନବସତି ଓ ସେନାଘାଟିକୁ ଟାର୍ଗେଟ କରୁଥିବାରୁ ଭାରତୀୟ ଯବାନ ମାନେ ତାର ମୁହଁତୋଡ଼ ଜବାବ ଦେଇଥିଲେ । ଏଥିରେ ପାକିସ୍ତାନର ବିପୁଳ କ୍ଷୟକ୍ଷତି ଘଟିଥିବା କୁହାଯାଉଥିଲେ ମଧ୍ୟ ତାହାର ସ୍ପଷ୍ଟ ଚିତ୍ର ମିଳିପାରିନଥିଲା । ତେବେ ଗୁଇନ୍ଦା ବିଭାଗର ତଥ୍ୟକୁ ଉଦ୍ଧାର କରି ଭାରତୀୟ ଯବାନମାନେ ସାରଦା, ଦୁଧନିଆଳ ଓ ସାହକୋଟ ସେକ୍ଟରରେ ଥିବାର ତାର କେତେକ ସେନାଘାଟିକୁ ଟାର୍ଗେଟ କରିଥିଲେ । ଅନ୍ୟ ପକ୍ଷରେ ରାଜୌରୀ ଓ ଜମ୍ମୁ ସେକ୍ଟର ଅନ୍ତର୍ଗତ ପିର ପାଞ୍ଜାଲରେ ଥିବା କେତେକ ଲଞ୍ଚ ପ୍ୟାଡରେ ଭାରତର ଅନୁପ୍ରବେଶ ପାଇଁ ୬୦ ରୁ ଅଧିକ ଆତଙ୍କୀ ରହିଥିବା ଜଣାପଡ଼ିଛି । ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ସେନାଘାଟି ଓ ଜନବସତି ଉପରକୁ ଗୁଳିମାଡ଼ କରିବା ସହ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଉଦ୍ୟମ ଚଳାଇଛି ।


