ଏସଡିସି ମହିଳା ଫୁଟବଲ କପ୍ ମହିଳା ଚୟନ ଶିବିର ଉଦଘାଟିତ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ରବିବାର ଦିନ ବହୁ ପ୍ରତିକ୍ଷିତ ଏସଡିସି ମହିଳା ଫୁଟବଲ କପ୍ ୨୦୨୦ ପାଇଁ ମୟୂରଭଞ୍ଜ ଜିଲ୍ଲା-୨ ମହିଳା ଫୁଟବଲ ଚୟନ ଶିବିର ମୁଖ୍ୟ ଅତିଥି ଏସଡିସି ରାଜ୍ୟ ସଚିବ ସୁଜିତ୍ କୁମାରଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଛି ।ଏହି କାର୍ୟ୍ୟକ୍ରମରେ ରାଇରଙ୍ଗପୁର ପିଏ ଆଇଟିଡିଏ ଅନନ୍ତ ନାରାୟଣ ସିଂ ଲାଗୁରୀ, କରଂଜିଆପିଏ ଆଇଟିଡିଏ ଧର୍ମେନ୍ଦ୍ର ମଲ୍ଲିକ, ମୟୂରଭଞ୍ଜ ପୂର୍ବତନ ଏଡିସି ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ଶିକ୍ଷାବିତ୍ ଡାକ୍ତର ପ୍ରିୟବ୍ରତ ମାଝୀ, ମୟୂରଭଞ୍ଜ-୨ଏସଡିସି ସଂଯୋଜକ ଗଣେଶ୍ୱର ମିଶ୍ର,ସଂଯୋଜିକା ଜେମାମଣି ଷୁଣ୍ଢି, କଥାଶିଳ୍ପୀ ଲଳିତ ମହାନ୍ତ, ଶିକ୍ଷକ ରଂଜନ ନନ୍ଦ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ସୁଜିତ୍ କୁମାର କହିଥିଲେ ଛୋଟ ଛୋଟ ଦେଶ ବ୍ରାଜିଲ,ଆର୍ଜେଣ୍ଟିନା,କେମେରୁନ ଆର୍ଥିକ ପଛରେ ଥାଇ ମଧ୍ୟ ଫୁଟବଲ ଖେଳକୁ ପ୍ରତ୍ସୋହନ ଦେଇ ବିଶ୍ବର ସମସ୍ତ ଧନୀ ରାଷ୍ଟ୍ର,ମାନବ ସମ୍ବଳ ରାଷ୍ଟ୍ରକୁ ହରାଇ ଫୁଟବଲ ଖେଳରେ ଶ୍ରେଷ୍ଠତା ବଜାଇ ରଖିଛି । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାକୁ ଦୁଇଟି କ୍ରୀଡା ଜିଲ୍ଲା ଏବଂ ଅନ୍ୟ ୮ଟି ଆଦିବାସୀ ଜିଲ୍ଲାକୁ ନେଇ ଏସଡିସି ଫୁଟବଲ ପୁରୁଷ ଓ ମହିଳା ଦୁଇଟି ବର୍ଗର ଖେଳ ପାଇଁ ପ୍ରସ୍ତୁତ କରାଯାଇଛି ।ଫାଇନାଲରେ ଉଭୟ ବର୍ଗର ବିଜେତା ଶ୍ରେଷ୍ଠ ଜିଲ୍ଲାକୁ ଦୁଇ ଲକ୍ଷ ଟଙ୍କା ଏବଂ ଅନ୍ୟ ଖେଳାଳିଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଫାଇନାଲ ଖେଳ ମାର୍ଚ୍ଚ ୫ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମରେ ଖେଳ ହେବ ଏବଂ ବିଜେତାଙ୍କୁ ମୁଖ୍ୟ ମନ୍ତ୍ରୀ ପୁରସ୍କୃତ କରିବେ । ଓଡ଼ିଶାର ଖେଳାଳି ମାନଙ୍କୁ ଆନ୍ତର୍ଜାତିକ କୋଚ ପ୍ରଶିକ୍ଷଣ ଦିଆଯିବ ।ଦିନେ ଓଡ଼ିଶା ମୋହନବାଗାନ,ଗୋଆ,କେରଳ ମହମ୍ମଡିଆନ ସ୍ପୋର୍ଟସ ଟିମ୍ ଭଳି ଓଡ଼ିଶା ଫୁଟବଲ ଟିମ୍ ଗଢି ସାରା ଭାରତରେ ଏକ ନିଆରା ପରିଚୟ ସୃଷ୍ଟି କରିବ । ମୁଖ୍ୟ ଅତିଥି ସୁଜିତ୍ କୁମାର ମହିଳା ଶିବିର ଏବଂ ପୁରୁଷ ଶିବିରରେ ଯୋଗଦେଇଥିବା ଖେଳାଳି ମାନଙ୍କୁ ନିଷ୍ଠା, ଶୃଙ୍ଖଳା, କଠିନ ପରିଶ୍ରମ ଏବଂ ବିଜୟ ମନୋଭାବ ରଖି ଖେଳିଲେ ଭବିଷ୍ୟତରେ ନିଶ୍ଚିତଭାବେ ଆଗକୁ ବଢିପାରିବ ବୋଲି ପରାମର୍ଶ ଦେଇଥିଲେ ।ପରେ ଉଭୟ ବର୍ଗର ଖେଳାଳି ମାନଙ୍କୁ ଜର୍ସି, ଫୁଟବଲ ପ୍ରଦାନ କରିଥିଲେ ଏବଂ ନିଜେ ଫୁଟବଲକୁ ଗୋଡ଼ରେ ମାରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ପିଲାମାନେ ୨୦ ତାରିଖ ପର୍ୟ୍ୟନ୍ତ ଖେଳପ୍ରାକ୍ଟିସ କରିବେ । ପୁରୁଷ ବର୍ଗରୁ ସାରା ଓଡ଼ିଶାରେ ରେକର୍ଡ ପରିମାଣ ୧୦୦୦ରୁ ଉର୍ଦ୍ଧ୍ବ ଖେଳାଳି ଏବଂ ମହିଳା ବର୍ଗରୁ ୭୮ରୁ ଉର୍ଦ୍ଧ୍ବ ଖେଳାଳି ନାମ ପଂଜୀକରଣ କରିଛନ୍ତି । ପୁରୁଷ ଏବଂ ମହିଳାମାନଙ୍କ ମଧ୍ୟରୁ ୨୦ ଜଣ ଯୁବକ ଫୁଟବଲ ତାରକା ମୟୂରଭଞ୍ଜ ଜିଲ୍ଲା-୨ ପାଇଁ ଚୟନ କରାଯିବ । ଖେଳ ପରିଚାଳନାରେ ଫାଓର ସଦସ୍ୟମାନେ,କ୍ରୀଡା ଶିକ୍ଷକ ଉମାକାନ୍ତ ମହାନ୍ତ, ଦିଲିପ ମହାନ୍ତି, ଫୁଟବଲ ସଂଗଠକ କିଶୋର ମହାନ୍ତ , ଗୋବିନ୍ଦ ସୋରେନ୍,ଦୁର୍ଗାମହାନ୍ତ,ଠେଙ୍ଗୁ,କମଲେଶ,ବନ୍ଧନ, ସିକନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ପ୍ରଥମ କରି ଏସଡିସି କପ୍ ଆୟୋଜନ କରାଯାଇଥିବାରୁ ଆଦିବାସୀ ଝିଅ ଓ ପୁଅ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି ।