ଏସପିଙ୍କ ଆବାସିକ କାର୍ଯ୍ୟାଳୟର ନିକଟସ୍ଥ ବରିଷ୍ଠାଗରିକଙ୍କ ଘରୁ ଚୋରୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କପାଳେସ୍ୱର ଗ୍ରାମର ଆରକ୍ଷୀ ଅଧିକ୍ଷକଙ୍କ ଆବାସିକ କାର୍ଯ୍ୟାଳୟ ସନ୍ନିକଟରେ ରହୁଥିବା ବରିଷ୍ଠ ନାଗରିକ ନରୋତ୍ତମ ଜେନାଙ୍କ ଘରୁ ଗ୍ରୀଲ ତାଲା ଭାଙ୍ଗାଯାଇ ଚୋରି ହୋଇଥରବା ଥାନାରେ ଅଭିଯୋଗ ହୋଇଛି । କିନ୍ତୁ ୫ ଦିନ ପରେବି ସଦର ଥାନା ପୋଲିସ ସଂପୃକ୍ତ ଚୋରଙ୍କୁ ଧରିବା ସମ୍ଭବ ହୋଇପାରିନି । ଅଭିଯୋଗରୁ ପ୍ରକାଶ ଯେ କଟକ-ଚାନ୍ଦବାଲି ରାସ୍ତାର କପାଳେଶ୍ୱରସ୍ଥିତ ଆରକ୍ଷୀ ଅଧିକ୍ଷକଙ୍କ ଆବାସିକ କାର୍ଯ୍ୟାଳୟ ନିକଟସ୍ଥ ରାସ୍ତାର ଅପରପାଶ୍ୱର୍ରେ ରହୁଥିବା ନରୋତ୍ତମ ଜେନାଙ୍କ ଘରେ କେହିନଥିବାର ସୁଯୋଗ ନେଇ କେହି ଦୁର୍ବୁତ୍ତ ଗତ ୧୭ତାରିଖ ରାତିରେ ତାଲା ଭାଙ୍ଗି ଘରେ ପଶି ତାଙ୍କ ଘରେ ଥିବା ଗଦରେଜ ଆଲମୀରା ଏବଂ ଲକର ଭାଙ୍ଗି ସେଥିରେ ଥିବା ୧୦୦ଗ୍ରାମ ଓଜନର ସୁନାଗହଣା(ସୁନା ଚେନ ୨ଟା, କାନଫୁଲ ୫ହଳ, ମୁଦି ୬ଟା ଓ ଚୁନା ସୁନା), ରୂପା ପାଉଁଜି ୫ଷଳ ଓ ୫ଶହ ଗ୍ରାମ ଓଜନର ରୂପା ସମେତ ନଗଦ ୧୫ହଜାର ଟଙ୍କା ଚୋରି କରି ନେଇଯାଇଥିବା ସମ୍ପର୍କରେ ନରୋତ୍ତମଙ୍କ ପୁତୁରା ଅଶୋକ କୁମାର ଜେନା ଗତ ୧୮ତାରିଖ ସକାଳେ କେନ୍ଦ୍ରାପଡା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏସପିଙ୍କ ଆବାସିକ କାର୍ଯ୍ୟାଳୟ ନିକଟରୁ ହୋଇଥିବା ଏହି ଚୋରି ଘଟଣାର ୫ଦିନ ପରେବି ସଦର ଥାନା ପୋଲିସ ସଂପୃକ୍ତ ଚୋରକୁ ଧରିବା ସମ୍ଭବ ହୋଇନାହିଁ । ତେଣୁ ତୁରନ୍ତ ଏହି ଚୋରି ଘଟଣାର ଚୋରକୁ ଧରିବା ପାଇଁ ବରିଷ୍ଠ ନାଗରିକ ଶ୍ରୀ ଜେନା ଏସପିଙ୍କୁ ନିବେଦନ କରିଛନ୍ତି ।