ଏସିଆର ସର୍ବବୃହତ ସାହିତ୍ୟୋତ୍ସବ ଉଦଘାଟିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଏସିଆର ସର୍ବବୃହତ ସାହିତ୍ୟୋତ୍ସବ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଦ୍ବାରା ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଛି। ଉତ୍ସବକୁ ଉଦଘାଟନ କରି ମନ୍ତ୍ରୀ କହିଥିଲେ ଯେ ସାହିତ୍ୟ ହେଉଛି ସବୁଠାରୁ ଶକ୍ତିଶାଳୀ ସୂତ୍ର ଯାହା ଭାରତକୁ ଏକତାରେ ବାନ୍ଧିଥାଏ। ଭାରତୀୟ ସାହିତ୍ୟର ଗତିଶୀଳତାକୁ ଏହାର ବିଶେଷତ୍ୱ ଭାବରେ ବର୍ଣ୍ଣନା କରି ସେ କହିଥିଲେ ଯେ ପ୍ରଯୁକ୍ତିବିଦ୍ୟାର ଯୁଗରେ, ଆମର ସାହିତ୍ୟ ଏବେ ଅନୁବାଦ ମାଧ୍ୟମରେ ବିଶ୍ୱସ୍ତରୀୟ ହେବା ଆରମ୍ଭ କରିଛି। ଭାରତ ପ୍ରତି ସମଗ୍ର ବିଶ୍ୱର ଦୃଷ୍ଟିକୋଣ ବଦଳି ଯାଇଛି। ଭାରତୀୟ ସାହିତ୍ୟ ଜୀବନକୁ ସଠିକ୍ ଦିଗଦର୍ଶନ ଦେଉଥିବା ସାହିତ୍ୟ ଭାବରେ ବିବେଚନା କରି ସେ କହିଥିଲେ ଯେ ଏହାର ଭୂମିକା ପ୍ରତ୍ୟେକ ଯୁଗ ଏବଂ ପରିସ୍ଥିତିରେ ପ୍ରାସଙ୍ଗିକ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ସେହିପରି ରହିବ। ଏହା ଦେଶର ଏଭଳି ଏକ ବୌଦ୍ଧିକ ସମ୍ପଦ ଯାହା ସବୁବେଳେ ପ୍ରାଚୀନତାକୁ ନବୀନତାରେ ପରିଣତ କରୁଥାଏ ଏବଂ ବାସ୍ତବତାର ସାମ୍ନା କରି ଅନେକ ସମସ୍ୟାର ସମାଧାନ ଦେଇଛି। ଏହି ଅବସରରେ ସଂସ୍କୃତି ମନ୍ତ୍ରାଳୟର ଯୁଗ୍ମ ସଚିବ ଅମ୍ରିତା ପ୍ରସାଦ ସାରାଭାଇ ମଧ୍ୟ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀ ଶେଖାୱତ ଫିତା କାଟି ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସାହିତ୍ୟ ଏକାଡେମୀ ପ୍ରଦର୍ଶନୀ ଉଦଘାଟନ କରିଥିଲେ। ଏହି ପ୍ରଦର୍ଶନୀରେ ୨୦୨୪ ବର୍ଷର ସଫଳତାଗୁଡ଼ିକୁ ଫଟୋ ଏବଂ ଆଲେଖ୍ୟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି।ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ମାଧବ କୌଶିକ ମନ୍ତ୍ରୀଙ୍କୁ ଉତ୍ତରୀୟ, ପୁସ୍ତକ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ। ସ୍ୱାଗତ ଭାଷଣରେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର କେ. ଶ୍ରୀନିବାସରାଓ ୨୦୨୪ରେ ଏକାଡେମୀର ସଫଳତା ବିଷୟରେ କହିଥିଲେ। ସେ ସୂଚେଇ ଥିଲେ ଯେ ସାହିତ୍ୟ ଏକାଡେମୀ ଗତ ବର୍ଷ ୪୮୪ଟି ପୁସ୍ତକ ପ୍ରକାଶନ ପୂର୍ବକ ୪୫୯ଟି କାର୍ଯ୍ୟକ୍ରମ ଆୟୋଜନ କରିଥିଲା।ଆଜି ସାହିତ୍ୟ ଉତ୍ସବର ପ୍ରଥମ ଦିନରେ ୧୦୦ରୁ ଅଧିକ ଲେଖକ ୨୦ଟି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବହୁଭାଷୀ କବିତା ଓ ଗଳ୍ପ ପାଠ, ଆଦିବାସୀ କବିତା ଏବଂ କାହାଣୀ ପାଠ, ଭାରତୀୟ ସାହିତ୍ୟରେ ନଦୀ, ଭାରତର ଉତ୍ତର-ପୂର୍ବ ଅଞ୍ଚଳର ଲୋକ ସଂସ୍କୃତି, ଭାରତର ସାହିତ୍ୟ କୃତିରେ ଗ୍ରାମୀଣ ସମାଜର ବିଲୁପ୍ତପ୍ରାୟତା ଇତ୍ୟାଦି ବିଷୟ ଉପରେ ଆଲୋଚନା ହୋଇଥିଳା। ଅନେକ ଅଧିବେଶନରେ ବହୁଭାଷୀ କବିତା ଏବଂ କାହାଣୀ ପାଠ ଉପସ୍ଥାପିତ ହୋଇଥିଲା। ଆସନ୍ତାକାଲି ସନ୍ଧ୍ୟା ୫ଟାରେ କମାନୀ ପ୍ରେକ୍ଷାଳୟରେ ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୪ ପ୍ରଦାନ ସମାରୋହ ଅନୁଷ୍ଠିତ ହେବ। ଏହି ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପ୍ରସିଦ୍ଧ ଇଂରାଜୀ ନାଟ୍ୟକାର ମହେଶ ଦତ୍ତାନୀ ଯୋଗଦେବେ। ପୁରସ୍କାର ବିତରଣ ଉତ୍ସବ ପରେ ପ୍ରଖ୍ୟାତ ବଂଶୀବାଦକ ରାକେଶ ଚୌରାସିଆଙ୍କ ବଂଶୀବାଦନ ପରିବେଷିତ ହେବ।