ଏସିଏଫଓଙ୍କ ମୃତ୍ୟୁ ନେଇ ଇ-ମେଇଲରେ ମାମଲା: ପାରଳା ପୋଲିସ ପତ୍ନୀ, ଡିଏଫଓ ଓ ରୋଷେୟାଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ
ପାରଳାଖେମୁଣ୍ଡି, ୧୫ା୭ (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଏସିଏଫଓଙ୍କ ମୃତ୍ୟୁ ନେଇ ତାଙ୍କ ବାପା ଇ-ମେଇଲ ମାଧ୍ୟମରେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଏହାକୁ ନେଇ ପାରଳା ଥାନା ତରଫରୁ ଏସିଏଫଓ ଙ୍କ ପତ୍ନୀ, ଡିଏଫଓ ଓ ରୋଷେୟାଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରି ଆଜି ଛାନବିନ ଆରମ୍ଭ କରିଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ବନ ବିଭାଗର ସହକାରୀ ବନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ପୋଡି ହୋଇ ମୃତ୍ୟୁ ଘଟଣାରେ ତାଙ୍କ ପିତା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସରେ ଏକ ହତ୍ୟା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ସେ, ତାଙ୍କ ବୋହୁ, ସ୍ଥାନୀୟ ଡିଏଫଓ ଓ ଘରର ରୋଷେୟାଙ୍କ ବିରୁଦ୍ଧରେ ହତ୍ୟା ମାମଲା ଇ-ମେଇଲ ଯୋଗେ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ଗତ ସୋମବାର ବିଳମ୍ବିତ ରାତ୍ରରେ ପାରଳାଖେମୁଣ୍ଡି ସ୍ଥିତ ବନ ବିଭାଗର ସହକାରୀ ବନ ସଂରକ୍ଷକ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ପୋଡି ହୋଇ ଗୁରତର ହୋଇଥିବା ଏବଂ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ରହ୍ମପୁର ଓ ପରେ କଟକ ସ୍ଥାନାନ୍ତର କରି ଚିକିତ୍ସା କରାଯାଉଥିବା ବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତୁ ଘଟିଥିଲା । ମୃତ୍ୟୁ ଘଟଣା ନେଇ ସେହି ଅଞ୍ଚଳ ତଥା ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ମିଶ୍ରିତ ପ୍ରତିକ୍ରିୟା ସହ ଏହା ନିଆ ଲଗାଯାଇଛି ନା ନିଜେ କୌଣସି ଚାପରେ ବଶୀଭୂତ ହୋଇ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ତାହା ଏଯାବତ ପ୍ରଶ୍ନବାଚି ସୃଷ୍ଟି କରିଛି । ତେବେ ମୃତ ବନସଂରକ୍ଷକ ସୌମ୍ୟରଞ୍ଜନଙ୍କ ପିତା ଅଭିରାମ ମହାପାତ୍ର ଇ-ମେଲ ମାଧ୍ୟରମେ ପାରଳାଖେମୁମ୍ଡି ଥାନାରେ ଏକ ଅଭିଯୋଗ ପତ୍ର ପଠାଇଛନ୍ତି । ଉକ୍ତ ଅଭିଯୋଗ ପତ୍ର ମାଧ୍ୟମରେ ସେ ଗଜପତି ଜିଲ୍ଲା ବନ ଅଧିକାରୀ ସୌମ୍ୟଙ୍କ ପତ୍ନୀ ଏବଂ ରୋଷେୟାଙ୍କୁ ଉକ୍ତ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛନ୍ତି । ଏହାର କାରଣ ଭାବରେ ସେ ଅଭିଯୋଗ କରିଛନ୍ତି ଯେ ଜିଲ୍ଲା ବନ ଅଧିକାରୀ ଏବଂ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭରତୀ ପଣ୍ଡା ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ରହିଥିଲା । ଏହି ଦୁହିଁଙ୍କୁ ରୋଷୟା ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ଜଣକ ସହଯୋଗ କରି ଆସୁଥିଲେ । ଅନେକ ସମୟରେ କାର୍ଯ୍ୟାଳୟ ବିଭିନ୍ନ କାର୍ଯ୍ୟର ଆଳ ଦେଖାଇ ରାତ୍ର ସମୟରେ ମୃତ ସୌମ୍ୟରଂଞ୍ଜନଙ୍କୁ ପଠାଉଥିବା ସମ୍ପର୍କରେ ସେ ନିଜ ମା ଓ ମାଇଁଙ୍କୁ ଫୋନ ମାଧ୍ୟମରେ ଜଣାଇବା ସହ ମାନସିକ ଆଘାତ ଦେଉଥିବା ସୌମ୍ୟଙ୍କ ପିତା ଅଭିଯୋଗ କରିଛନ୍ତି । ଏହା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା ମଧ୍ୟ କହିଥିଲେ । କାରଣ ଡିଏଫଓ ଏବଂ ସୌମ୍ୟଙ୍କ ପତ୍ନୀଙ୍କ ସମ୍ପର୍କ ରହିଥିବା କରଣରୁ ତାଙ୍କୁ ଅନେକ ସମୟରେ ଧମକ ଆସୁଥିବା ଯୋଗୁଁ ତାଙ୍କୁ ଟ୍ରାନ୍ସଫର କରି ନେଇଯିବା ପାଇଁ ବାପାଙ୍କୁ ବାଧ୍ୟ କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ଏହା ଛଡା ଡିଏଫଓ ଓ ବୋହୂର ଅନୈତିକ କାର୍ଯ୍ୟ ଲୋକଲୋଚନକୁ ଆସିଯିବ ଭାବି ତାଙ୍କ ପୁଅକୁ ଷଡଯନ୍ତ୍ର କରି ସମସ୍ତେ ମିଶି ମାରିଦେଇଥିବା ଅଭିଯୋଗ କରି ସୌମ୍ୟଙ୍କ ପିତା ନ୍ୟାୟ ଦାବି କରିଛନ୍ତି । ଅଭିଯୋଗ ପାଇବା ପରେ ପାରଳାଖେମୁଣ୍ଡି ଥାନା ପକ୍ଷରୁ ଏକ କେସ ୧୪୧/୨୧ରେ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ସେପଟେ ଏ ନେଇ ଜିଲ୍ଲା ବନ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ ସୌମ୍ୟଙ୍କ ପିତାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ସୌମ୍ୟଙ୍କ ସହ ମୋର ସମ୍ପର୍କ ଗଟିଏ କର୍ମଚାରୀ ଏବଂ ଭାଇ ଭଳି ରହିଥିଲା । ତାଙ୍କ ପତ୍ନୀଙ୍କ ସହ ମୁଁ କଥା ହୋଇନି ଏବଂ ମୋର କୌଣସି ସମ୍ପର୍କ ନଥିଲା । ଯେ କୌଣସି ସଂସ୍ଥା କିମ୍ବା ପୋଲିସ ଏହାର ତଦନ୍ତ କଲେ ତଦନ୍ତରେ ମୁଁ ପୂର୍ଣ୍ଣ ସହଯୋଗ କରିବି ବୋଲି ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା ପ୍ରକାଶ କରିଛନ୍ତି । ଏନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ ଓ ପାରଳା ଥାନା ଅଧିକାରୀ ଆଜି ମୃତ ଏସିଏଫଓଙ୍କ ସରକାରୀ ବାସଭବନ ଠାରେ ପହଞ୍ôଚ ଘଟଣା ନେଇ ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ଉଭୟ ପୋଲିସ ଅଧିକାରୀ କହିଛନ୍ତି ଘଟଣାର ତଦନ୍ତ ଜାରି ରହିଛି । ଏହି ଘଟଣା ନେଇ ଯେ କୌଣସି ବ୍ୟକ୍ତି ପରିସର ଭୁକ୍ତ ହେଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।


