ଏସିଏଫ ସୌମ୍ୟଙ୍କ ଡେଥ ମିଷ୍ଟ୍ରିରେ ନୂଆ ଟୁୱିଷ୍ଟ: ଘଟଣା ଦିନ ଗଜପତି ଜିଲ୍ଲାପାଳ ସେଠାରେ ଥିଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ଡେଥ ମିଷ୍ଟ୍ରି ନେଇ ଦିନକୁ ଦିନ ନୂତନ ଟୁୱିଷ୍ଟ ସାମନାକୁ ଆସିବାରେ ଲାଗିଛି । କ୍ରାଇମବ୍ରାଞ୍ଚ ୪ଜଣିଆ ଟିମ୍‌ର ତନାଘନା ଆଜି ୪ର୍ଥ ଦିନରେ ପହଂଚିଛି । ଆଜି ୪ର୍ଥ ଦିନର ପ୍ରଥମ ପର୍ଯ୍ୟାୟରେ ଦୁଇଜଣ ବନ କର୍ମଚାରୀଙ୍କୁ ଜେରା କରାଯାଇଛି । ଏମାନେ ହେଲେ ଡିଏଫ୍‌ଓ ଅଫିସ ଗେଟକିପର ସନ୍ତୋଷ କୁମାର ବିଶ୍ୱାଳ ଏବଂ ଡିଏଫ୍‌ଓଙ୍କ ରୋଷେୟା ଅଜୟକୁ ମାର ବେହେରା । ଗେଟକିପର ସନ୍ତୋଷ କୁମାର ବିଶ୍ୱାଳ କ୍ରାଇମବ୍ରାଞ୍ଚର ଏହି ଜେରା ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି, ଘଟଣା ଦିନ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସେଠାରେ ଉପସ୍ଥିତ ଥିଲେ । ଘଟଣା ଦିନ ରାତ୍ର ୮ଘଣ୍ଟା ସମୟରେ ମୁଁ ଗେଟକିପର ଭାବେ କାର୍ଯ୍ୟରତ ସମୟରେ ଜିଲ୍ଲାପାଳ ସେଠାକୁ ଆସିଥିଲେ । ଏନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗତ ପ୍ରଶ୍ନ ଗୁଡିକର ଉତ୍ତର ନଦେଇ କହିଥିଲେ, ମୁଁ କ୍ରାଇମବ୍ରାଞ୍ଚ ଆଗରେ ସମସ୍ତ ତଥ୍ୟ ପ୍ରଦାନ କରିଛି । ଦ୍ୱିତୀୟ ପର୍ଯ୍ୟାୟରେ ସୌମ୍ୟଙ୍କୁ ସ୍ଥାନାନ୍ତର ବେଳେ ଉପସ୍ଥିତ ରହିଥିବା ସ୍ୱାସ୍ଥ୍ୟ ବିଭାଗର ଫାର୍ମାସିଷ୍ଟ ସୁରେଶ ସାହୁ,୧୦୮ ଆମ୍ବୁଲାନ୍ସ ମ୍ୟାନେଜର ପ୍ରଦୀପ କୁମାର ରାମ, ୧୦୮ ଡ୍ରାଇଭର ଦୟାନିଧି ଶବର ଓ ଭଗବାନ ଭୂୟାଁ ୪ଜଣଙ୍କୁ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍ ପାରଳାଖେମୁଣ୍ଡି ଠାରେ ଥିବା ସରକାରୀ ମୁଖ୍ୟ ଡାକ୍ତରଖାନା ପରିସରରେ ଜେରା କରି ଆବଶ୍ୟକ ତଥ୍ୟ ସଂଗ୍ରହ କରିଥିଲେ । କ୍ରାଇମବ୍ରାଞ୍ଚ ୪ଜଣିଆ ଟିମ୍ ଆଜି ୪ର୍ଥ ଦିନରେ ମୋଟ ୬ଜଣଙ୍କୁ ଜେରା କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିବା ବେଳେ ଘଟଣା ଦିନ ସେଠାରେ ଗଜପତି ଜିଲ୍ଲାପାଳଙ୍କ ଉପସ୍ଥିତିକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନରଂଜନ ମିଶ୍ରଙ୍କୁ ପଚାରିଥିଲେ, ଏଥିରେ ଜିଲ୍ଲାପାଳଙ୍କୁ ପଚରା ଉଚରା କରାଯିବ କି ? ଏହାର ଉତ୍ତରରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି କହିଥିଲେ ତାହା ଠିକ୍ ସମୟରେ ପ୍ରକାଶ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ