ଏସ୍ସିଓ ଶିଖର ସମ୍ମିଳନୀ ଆତଙ୍କବାଦ ପ୍ରସଙ୍ଗ ନଉଠାଇବାକୁ ମୋଦିଙ୍କୁ ଚୀନ୍ର ଅନୁରୋଧ
ବେଜିଂ(ଏଜେନ୍ସି): ଆସନ୍ତା ୧୩ରେ କିର୍ଗିଜ୍ସ୍ତାନ୍ ରାଜଧାନୀ ବିଶକେକ୍ରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବା କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି । ତେବେ ନିକଟ ଅତୀତରେ ମୋଦି ଯେଉଁ ସବୁ ବିଦେଶୀ ରାଷ୍ଟ୍ର ଗସ୍ତ କରିଛନ୍ତି କିମ୍ବା ଅନ୍ତର୍ଜାତୀୟ ବୈଠକ ତଥା ସମ୍ମିଳନୀରେ ଯୋଗଦେଇଛନ୍ତି, ସବୁଠି ପରୋକ୍ଷରେ ପାକିସ୍ତାନକୁ ଟାର୍ଗେଟ୍ କରିବା ସହ ଆତଙ୍କବାଦ ମୂଳୋତ୍ପାଟନ ଉପରେ ଗୁରୁତ୍ୱାରୋପ କରିଥିବା ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ଚୀନ୍ ଏବେ ପାକିସ୍ତାନ ପାଇଁ ଓକିଲାତି କରିବା ଆରମ୍ଭ କରିଦେଇଛି । ଏସ୍ସିଓ ଶିଖର ସମ୍ମିଳନୀରେ ଭାରତ କାଳେ ପାକିସ୍ତାନର ଅସଲ ମୁଖା ଖୋଲିଦେବ, ଏଥିପାଇଁ ଚୀନ୍ ଆଗୁଆ ଭାବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସତର୍କ କରାଇଛି । ମୋଦି, ଏସସିଓ ବୈଠକରେ ମଧ୍ୟ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଟାର୍ଗେଟ କରିବେ ବୋଲି ଭାବି ପାକିସ୍ତାନ୍ ଭୟଭୀତ ହୋଇପଡିଥିବା ବେଳେ ଚୀନ୍କୁ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଛି । କେବଳ ଏହି କାରଣରୁ ଚୀନ୍ ଆଗୁଆ ପ୍ରତିକ୍ରିୟା ପ୍ରକାଶ କରିଛି । ଏସ୍ସିଓ ଶିଖର ସମ୍ମିଳନୀରେ ମୋଦି ପାକିସ୍ତାନକୁ ଟାର୍ଗେଟ କରନ୍ତୁ ନାହିଁ ବୋଲି ଚୀନ୍ କହିଛି ।
ମୋଦି-୨ ସରକାର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ବିଦେଶ ଗସ୍ତ ଭାବେ ମାଳଦ୍ୱୀପ, ଓ ପରେ ଶ୍ରୀଲଙ୍କା ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଆସିଛନ୍ତି । ଏହି ଦୁଇ ରାଷ୍ଟ୍ରରେ ମୋଦି, ପାକିସ୍ତାନକୁ ପରୋକ୍ଷରେ ଟାର୍ଗେଟ କରିଥିଲେ । ପ୍ରାୟୋଜିତ ଆତଙ୍କବାଦ ଏବେ ସମଗ୍ର ବିଶ୍ୱ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ବେଳେ ଏହାକୁ କିଏ ପ୍ରୋତ୍ସାହିତ କରୁଛି, ତାହା ସମଗ୍ର ବିଶ୍ୱ ଜାଣିଛି ବୋଲି ମୋଦି କହିଥିଲେ । ମୋଦିଙ୍କ ଏଭଳି ମନ୍ତବ୍ୟ ପାକିସ୍ତାନର ନିଦ ହଜାଇଦେଇଛି । ସାଂଘାଇ ଶିଖର ସମ୍ମିଳନୀ ଏକ ଅନ୍ତର୍ଜାତୀୟସ୍ତରର ଶିଖର ସମ୍ମଳନୀ ହୋଇଥିବା ବେଳେ ମୋଦି ଏଠାରେ ମଧ୍ୟ ପାକିସ୍ତାନ ବିରୋଧୀ ଏପ୍ରକାର କିଛି ମନ୍ତବ୍ୟ ଦେବେ ବୋଲି ପାକିସ୍ତାନ ଭଲଭାବେ ଜାଣିଛି । ସୁତରାଂ ଏବେ ଚୀନ୍ ମାର୍ଫତ୍ରେ ମୋଦିଙ୍କ ଆତଙ୍କବାଦ ପ୍ରସଙ୍ଗ ଜନିତ ଭାଷଣ ଉପରେ ରୋକ୍ ଲଗାଇବାକୁ ପାକିସ୍ତାନ ଚେଷ୍ଟା କରୁଛି । ଚୀନ୍ର ଉପବୈଦେଶିକ ମନ୍ତ୍ରୀ ଝାଙ୍ଗ୍ ହାନ୍ହୁଇ କହିଛନ୍ତି, ଏସ୍ସିଓ ବୈଠକରେ ସୁରକ୍ଷା ଓ ବିକାଶ ହିଁ ଦୁଇଟି ପ୍ରମୁଖ ପ୍ରସଙ୍ଗ । ଏସ୍ସିଓ କୌଣସି ନିର୍ଦ୍ଦିଷ୍ଟ ଦେଶକୁ ଟାର୍ଗେଟ କରିବା ପାଇଁ ଗଠନ ହୋଇନଥିଲା । ଅନ୍ତର୍ଜାତୀୟ ବନ୍ଧୁତା ଓ ଆଞ୍ଚଳିକ ପ୍ରସଙ୍ଗକୁ କେମିତି ଗୁରୁତ୍ୱ ଦିଆଯାଇ ସମାଧାନ କରାଯାଇ ପାରିବ, ତାହା ଉପରେ ଆଲୋଚନା ହେବା ଏସ୍ସିଓ ବୈଠକର ମୂଳ ଲକ୍ଷ୍ୟ । ତେଣୁ ଏହି ସମ୍ମିଳନୀରେ ଯୋଗଦେବାକୁ ଥିବା ରାଷ୍ଟ୍ରମାନେ ଏହା ଉପରେ ଫୋକସ କରିବା ଦରକାର । ଏଠାରେ କୌଣସି ଦେଶକୁ ଟାର୍ଗେଟ୍ କରି ବୟାନ ଦେବାକୁ ଚେଷ୍ଟା କରୁଥିବା ରାଷ୍ଟ୍ର ଏଥିରୁ ଦୂରେଇ ରୁହନ୍ତୁ ।
ପ୍ରକାଶ ଯେ, ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନକୁ ଏବେ ବିଶ୍ୱସ୍ତରରେ ଏକ ଘରକିଆ କରିବାକୁ ଭାରତ କୂଟନୀତିକସ୍ତରରେ ଉଦ୍ୟମ କରୁଛି । ଏଥିପାଇଁ ମୋଦି ଏସ୍ସିଓ ଶିଖର ସମ୍ମିଳନୀ ଭଳି ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ମିଳିଥିବା ସୁଯୋଗକୁ ହାତଛଡା କରିବେ ନାହିଁ । ଅନ୍ୟପକ୍ଷରେ ଏହି ଏସ୍ସିଓ ସମ୍ମିଳନୀରେ ମୋଦି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଦୁଇ ନେତା ଆର୍ଜେଣ୍ଟିନାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ପରସ୍ପର ସହ ଆଲୋଚନା କରିଥିଲେ । ଏହାପୂର୍ବରୁ ଗତବର୍ଷ ଏପ୍ରିଲରେ ମୋଦି-ଜିନପିଙ୍ଗ ପରସ୍ପରକୁ ହୁଆନ ଠାରେ ସାକ୍ଷାତ କରିଥିଲେ । ଏହା ଏକ ଅନୌପ·ରିକ ବୈଠକ ଥିଲା ।