ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ପକ୍ଷରୁ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଆଜି ଆମ ରାଜ୍ୟ ଓଡ଼ିଶାରେ ଆସନ୍ନ ମରୁଡ଼ି ପରିସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ଚାଷଜମିକୁ ପାଣି ଯୋଗାଇ ଦେବା ଏବଂ ରବି ଫସଲ ଚାଷ ନିମନ୍ତେ ଚାଷୀମାନଙ୍କୁ ମାଗଣା ଓ ରିହାତିରେ ବିହନ,ସାର, ଔଷଧ,କୃଷି ଉପକରଣ ଯୋଗାଇ ଦେବା,କୃଷକ ବିରୋଧୀ ୩ଟି କଳା କୃଷି ଆଇନ୍ ଓ ବିଦ୍ୟୁତ୍ ସଂଶୋଧନ ବିଲ୍-୨୦୨୦ କୁ ରଦ୍ଦ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା,ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର କରିବା,ପେଟ୍ରୋଲ , ଡିଜେଲ ଓ ରନ୍ଧନ ଗ୍ୟାସ ଉପରେ ରାଜ୍ୟ ସରକାରଙ୍କ ଟିକସ ହ୍ରାସ ‌କରିବା‌ ସହିତ କେନ୍ଦ୍ର ସରକାରଙ୍କ ଟିକସ ହ୍ରାସ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ଆକାଶଛୁଆଁ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା,୧୨ଟି ଆଧୁନିକ ମଦ ଡିପୋ ଖୋଲିବା ନିଷ୍ପତ୍ତି ପ୍ରତ୍ୟାହାର କରିବା ସଙ୍ଗେ ସଙ୍ଗେ ଦେଶୀ ବିଦେଶୀ ମଦ ଓ ମାଦକ ଦ୍ରବ୍ୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଓ ସମସ୍ତଙ୍କୁ ମାଗଣାରେ କରୋନା ଟୀକାକରଣ କରିବା ଏବଂ ଟୀକାକରଣରେ ହେଉଥିବା କଳାବଜାରୀ ବନ୍ଦ କରିବା ଆଦି ଦାବିରେ ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ତରଫରୁ ବ୍ଲକ ଆଫିସ ସମ୍ମୁଖରେ ବିକ୍ଷୋଭ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ସୂଚନା ଥାଉକି,ଚଳିତବର୍ଷ ସମଗ୍ର‌ ଓଡିଶା‌ ରାଜ୍ୟରେ ସ୍ବଳ୍ପ ବୃଷ୍ଟି ଯୋଗୁଁ ଖରିଫ୍ ଚାଷ କ୍ଷେତ୍ରରେ ମରୁଡି ପରିସ୍ଥିତି ଦେଖାଦେଇଛି। ଆମ ରାଜ୍ୟରେ ପ୍ରବାହିତ ନଦୀ, ନାଳରେ ଜଳସେଚନ ଯୋଜନାମାନ କାର୍ଯ୍ୟକାରୀ ଅଭାବରୁ ଏହି ମରୁଡି ପରିସ୍ଥିତିକୁ କୌଣସି ପ୍ରକାରେ ମୁକାବିଲା କରିବା ପାଇଁ ‌ଚାଷୀମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡିଛି। ରବି ଫସଲ ନିମନ୍ତେ ମଧ୍ୟ ଚାଷୀମାନଙ୍କୁ ମାଗଣା ଓ ରିହାତି ମୂଲ୍ୟରେ ବିହନ,ସାର, ଔଷଧ ଓ କୃଷି ଉପକରଣ ଯୋଗାଇବା ନିମନ୍ତେ ସରକାର କୌଣସି ସୁନିର୍ଦ୍ଦିଷ୍ଟ‌ ବ୍ୟବସ୍ଥା କରିନାହାନ୍ତି। କୃଷିଜାତ ଦ୍ରବ୍ୟର ଉତ୍ପାଦନ ଓ ବିକ୍ରୟର ଅଧିକାରକୁ ଚାଷୀମାନଙ୍କ ଠାରୁ ଛଡ଼େଇ ନେବାକୁ କେନ୍ଦ୍ର ସରକାର ତିନୋଟି କଳା କୃଷି ଆଇନ ପ୍ରଣୟନ କରିଛନ୍ତି। ଏହାକୁ ଆମ ରାଜ୍ୟ ସରକାର ସମର୍ଥନ କରୁଥିବାର ଲକ୍ଷ୍ୟ କରୁଛୁ। ରାଜ୍ୟ ସରକାର ବିଦ୍ୟୁତ୍ ସେବାର‌ ଘରୋଇକରଣ କରି ମନମୁଖୀ ଭାବେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରି ଜନସାଧାରଣଙ୍କୁ ସାମାନ୍ୟ ବଲଟିଏ ଜାଳିବା ବା ପଙ୍ଖାଟିଏ ଚଳାଇବାରୁ ମଧ୍ୟ ବଞ୍ଚିତ‌କରିବାକୁ ଯାଉଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମନ ଇଚ୍ଛା ଟିକସ ଲାଗୁ କରି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ର ଆକାଶଛୁଆଁ ଦରବୃଦ୍ଧି ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ରର ବେଲଗାମ୍ ଦରବୃଦ୍ଧି ଶ୍ରମଜୀବୀ ଓ ମଧ୍ୟବିତ୍ତ ଜନସାଧାରଣଙ୍କ ଜୀବନକୁ‌ ଦୁର୍ବିସହ କରିପକାଇଛି। ୨୦୨୦ ମସିହାର ପ୍ରାରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ମହାମାରୀର ଆତଙ୍କ କର୍ମଜୀବୀ ଜନସାଧାରଣଙ୍କ ଜୀବନ‌ ଜୀବିକାକୁ ଧ୍ଵଂସ କରିବାରେ ଲାଗିଛି। ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ପ୍ରୟୋଜନୀୟ ଭିତ୍ତିଭୂମିର ଅଭାବରୁ କରୋନା ମହାମାରୀ ସଂକ୍ରମଣ ଯୋଗୁଁ ବହୁ ଲୋକଙ୍କ ଜୀବନ ହାନି ଘଟୁଛି। ଏପର୍ଯ୍ୟନ୍ତ ସମସ୍ତଙ୍କୁ କୋଭିଡ୍ ଟୀକାକରଣ କରାଯାଇନାହିଁ। ଅଧିକ ରାଜସ୍ବ ଆଦାୟର ଯୁକ୍ତିଦେଇ ସରକାର ଦେଶୀ ବିଦେଶୀ ମଦ ଓ ମାଦକ ଦ୍ରବ୍ୟର ବ୍ୟାପକ ପ୍ରସାର କରିଚାଲିଛନ୍ତି। ପୁନଶ୍ଚ ୧୨ଟି ଆଧୁନିକ ମଦ ଡିପୋ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅତ୍ୟନ୍ତ ବେଦନାଦାୟକ। ଯାହାର ପରିଣାମରେ ସମାଜରେ ନାରୀନିର୍ଯ୍ୟାତନା, ଦୁଷ୍କର୍ମ, ହତ୍ୟା, ଲୁଣ୍ଠନ ଭଳି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ତେଣୁ ଉପରୋକ୍ତ ଦାବି ଗୁଡ଼ିକ ଅବଳମ୍ୱେ ପୂରଣ କରିବା ପାଇଁ ଏସ୍‌. ୟୁ. ସି. ଆଇ (କମ୍ୟୁନିଷ୍ଟ ) ସରକାରଙ୍କ ନିକଟରେ ଦୃଢ ଦାବି ଉପସ୍ଥାପନ କରୁଛି ।ଏହି କାର୍ଯ୍ୟକ୍ରମରେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ସମେତ ନାରାୟଣ ସାହୁ, ପପୁନ ସାହୁ, କିସାନ କୁମାର ସାହୁ, କାମରାଜ ସାହୁ, ସୌମ୍ୟ ରଞ୍ଜନ ଗୌଡ଼, ଅନିଲ ସାହୁ, ସନ୍ତୋଷ ପଣ୍ଡା ଆଦି ପାର୍ଟି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ