ଏୟାର୍ ଇଣ୍ଡିଆ ବିମାନରେ ଯାତ୍ରୀ ମୃତ
ମୁମ୍ବାଇ: ଏୟାର୍ ଇଣ୍ଡିଆ ବିମାନରେ ଜଣେ ୪୨ ବର୍ଷିୟ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ବିମାନଟି ଲାଗୋସ୍ରୁ ମୁମ୍ବାଇ ଆସୁଥିଲା। ଯାତ୍ରୀଙ୍କର ଅସ୍ବାଭାବିକ ପରିସ୍ଥିତିରେ ମୃତ୍ୟୁକୁ ନେଇ ବିମାନ ବନ୍ଦରରେ କରାଯାଉଥିବା ସ୍କ୍ରିନିଙ୍ଗ୍ ଓ ଥର୍ମାଲ୍ ସ୍କାନିଙ୍ଗ୍ ଉପରେ ସନ୍ଦେହ ଉପୁଜିଛି। ପ୍ରକାଶ ଯେ, ବିମାନ ମଧ୍ୟରେ ଯାତ୍ରୀଜଣକ ଥରୁଥିଲେ। ପଚରାଯିବାରୁ ସେ ଏୟାର୍ ଇଣ୍ଡିଆର ପରିଚାରକଙ୍କୁ କହିଥିଲେ ଯେ, ତାଙ୍କୁ ମ୍ୟାଲେରିଆ ହୋଇଛି। ନିଃଶ୍ବାସ ନେବାରେ ତାଙ୍କୁ କଷ୍ଟ ହେଉଥିବାରୁ ପରିଚାରକ ଜଣକ ତାଙ୍କୁ ଅମ୍ଳଜାନ ଯୋଗାଇ ଦେଇଥିଲେ। କିନ୍ତୁ ଯାତ୍ରୀ ଜଣକ ବିମାନ ମଧ୍ୟରେ ଟଳି ପଡ଼ି ମୃତ୍ୟୁବରଣ କରିଥିଲେ। ତାଙ୍କ ମୁହଁରୁ ମଧ୍ୟ ରକ୍ତ ବୋହୁଥିବା ଦେଖାଯାଇଥିଲା। ଜ୍ବର ହୋଇଥିବା ଯାତ୍ରୀଙ୍କୁ କି ଭଳି ବିମାନ ଯାତ୍ରା ପାଇଁ ବିମାନ ଏୟାର୍ପୋର୍ଟ ଚେକ୍ ଅନୁମତି ଦେଲେ, ସେ ବିଷୟରେ କେତେକ ସନ୍ଦେହ ଉପୁଜିଛି। ଭୋର୍ ୩ଟା ୪୦ରେ ବିମାନଟି ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଥିଲା। ସେ ଯାହାହେଉ, ଏୟାର ଇଣ୍ଡିଆ କହିଛି ଯେ, ସ୍ବାଭାବିକ କାରଣରୁ ଯାତ୍ରୀଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ଜ୍ବର ହୋଇଥିବା କଥା ଅସ୍ବୀକାର କରି ଏୟାର୍ ଇଣ୍ଡିଆ କହିଛି, ଯଦି ଜ୍ବର ହୋଇଥାଆନ୍ତା, ଆମ ଲାଗୋସ୍ ମେଡିକାଲ୍ ସ୍କ୍ରିନିଙ୍ଗ୍ ଟିମ୍ ତାହା ଜାଣି ପାରି ଥାଆନ୍ତେ। ବିବୃତ୍ତି ଦେଇ ଏୟାର୍ ଇଣ୍ଡିଆ କହିଛି, ୨୦୨୦ ଜୁନ୍ ୧୩ ତାରିଖ ଦିନ ଲାଗୋସ୍ରୁ ମୁମ୍ବାଇ ଆସୁଥିବା ଏଆଇ୧୯୦୬ ବିମାନରେ ଜଣେ ଯାତ୍ରୀ ଆଜି ସ୍ବାଭାବିକ କାରଣରୁ ମରିଯାଇଛନ୍ତି। ବିମାନରେ ଏ ଭଳି ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟାର ଚିକିତ୍ସା କରିବା ନିମନ୍ତେ ପରିଚାରକମାନଙ୍କ ସହ ଜଣେ ଡାକ୍ତର ମଧ୍ୟ ଥିଲେ। ୪୨ ବର୍ଷିୟ ସେ ଯାତ୍ରୀଙ୍କୁ ବଞ୍ଚାଇବା ନିମନ୍ତେ ସେ ଡାକ୍ତରଙ୍କ ସମସ୍ତ ପ୍ରୟାସ ବୃଥା ହୋଇଥିଲା। ବିମାନ ଅବତରଣ କରିବା ପରେ ମୃତ ଯାତ୍ରୀଙ୍କୁ ଡାକ୍ତରଖାନା ପଠାଯାଇ ତାଙ୍କ ଆତ୍ମୀୟମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦିଆଯାଇଛି।