ଏୟାର ଇଣ୍ଡିଆ ମୁମ୍ବାଇ ସେମିଫାଇନାଲରେ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ଗତ ଶୁକ୍ରବାର ଠାରୁ ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନିଷ୍ଟାଡିୟମରେ ଟିଲୋ ଆଥ୍‌ଲେଟିକ୍ ଆସୋସିଏସନ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ୨୭ତମ ଅନ୍ତର୍ଜାତୀୟ ପ୍ରଦୀପ ସ୍ମାରକୀ ଟିଲୋ କପ୍ ଆଜି(ଶୁକ୍ରବାର) ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଅନ୍ୟପକ୍ଷରେ ଆଜିର ଖେଳିବାକୁ ଥିବା ୨ଟି ମ୍ୟାଚ୍‌କୁ ଆଇସିସି ନିୟମ ଆଧାରରେ ରନ୍‌ରେଟ୍ ପଏଣ୍ଟ ହିସାବ କରାଯାଇ ବିଜେତା ଘୋଷଣା କରାଯାଇଛି । ଆଜିର ପ୍ରଥମ ମ୍ୟାଚ୍ ତଥା ପୁଲ୍‌-ସି ର ଶେଷ ଲିଗ ମ୍ୟାଚ୍ ଇଷ୍ଟକୋଷ୍ଟ ରେଲୱେ ବିଶାଖାପାଟଣା ଓ ଟାଟା ସ୍ପୋଟ୍ସ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା । ଠିକ୍ ୯ଟା ୧୫ ପୂର୍ବରୁ ବର୍ଷା କାରଣରୁ ଟସ୍ ପଡି ପାରିନଥିଲା । ଟସ୍ ବିମମ୍ବ ଯୋଗୁଁ ମ୍ୟାଚ୍ ରେଫରୀ ଇଂ.ସୁଧାଂଶୁ ଶେଖର ନାୟକ ୧୦ଟା ୧୫ ପର୍ଯ୍ୟନ୍ତ ଟସ୍ ବନ୍ଦ ରଖିଥିଲେ । ପରେ ୧୦ଟା ୧୫ରେ ମ୍ୟାଚ୍ ରେଫରୀ ଏବଂ ଦୁଇ ଅମ୍ପାୟର ଦ୍ୱିତୀୟ ପର୍ଯ୍ୟାୟ ପିଚ୍ ଓ ଗ୍ରାଉଣ୍ଡକୁ ନୀରିକ୍ଷଣ କରିବା ପାଇଁ ଆସିଥିଲେ । କିନ୍ତୁ ଅଧିକ ବର୍ଷା ଯୋଗୁଁ ୧୧ଟା ୩୦ ପର୍ଯ୍ୟନ୍ତ ଖେଳକୁ ବନ୍ଦ ରଖାଯାଇଥିଲା । ୩ୟ ପର୍ଯ୍ୟାୟ ଯାଞ୍ଚ ବେଳେ ମ୍ୟାଚ୍ ରେଫରୀ ମ୍ୟାଚକୁ ବାତିଲ ଘୋଷଣା କରିଥିଲେ । ଆଇସିସି ନିୟମ ଅନୁଯାୟୀ ଉଭୟ ଦଳର ରନ୍ ରେଟ୍‌କୁ ହିସାବକୁ ନିଆଯାଇଥିଲା । ଉଭୟ ଦଳ ସେହି ପୁଲରେ ଗୋଟିଏ ଲେଖାଏ ମ୍ୟାଚ୍ ଜିତି ୨ଟି ଲେଖାଏ ପଏଣ୍ଟ ହାସଲ କରିଥିଲେ । ଟାଟା ସ୍ପୋଟ୍ସ ମୁମ୍ବାଇର ରନ୍ ରେଟ୍ ୩.୧୪ ଏବଂ ଇଷ୍ଟର୍ଣ୍ଣ ରେଲୱେ ବିଶାଖାପାଟଣାର ରନ୍ ରେଟ୍ ୧.୨୧ ଥିବା ବେଳେ ଉନ୍ନତ ରନ୍ ରେଟ୍ ଆଧାରରେ ମ୍ୟାଚ୍ ରେଫରୀ ଇଂ.ସୁଧାଂଶୁ ଶେଖର ନାୟକ ଟାଟା ସ୍ପୋଟ୍ସ ମୁମ୍ବାଇକୁ ସେମିଫାଇନାଲକୁ ଉନ୍ନୀତ କରାଇଥିଲେ । ସେହିପରି ୨ୟ ମ୍ୟାଚ୍ ତଥା ପୁଲ୍‌-ଡି ର ଶେଷ ଲିଗ୍ ମ୍ୟାଚ୍ ଏୟାର ଇଣ୍ଡିଆ ମୁମ୍ବାଇ ଓ ଏ ଏଣ୍ଡ ଏସ୍ କୋଲକତା ମଧ୍ୟରେ ଅନୁଷ୍ଠିତ ହେବାର ଥିଲା । ବର୍ଷା କାରଣରୁ ଏହି ଖେଳକୁ ବାତିଲ କରାଯାଇଥିଲା । କୋଲକତା ୨ ପଏଣ୍ଟ ସହ ରନ୍ ରେଟ୍ ୩.୩୪ ଥିବା ବେଳେ ଏୟାର ଇଣ୍ଡିଆ ମୁମ୍ବାଇ ୨ ପଏଣ୍ଟ ସହ ରନ୍ ରେଟ୍ ୪.୦୧ରେ ଥିଲା । ଏ ଏଣ୍ଡ ଏସ୍ କୋଲକତା ସୁପର ଓଭରରେ ମ୍ୟାଚ୍ ଜିତିଥିବା ଯୋଗୁ ରନ୍ ରେଟ୍ କମ୍ ରହିଥିଲା । ଫଳରେ ଆଇସିସିର ନିୟମ ଅନୁଯାୟୀ ଅଧିକ ରନ୍‌ରେଟ୍ ହାରରେ ଏୟାର ଇଣ୍ଡିଆ ମୁମ୍ବାଇକୁ ସେମିଫାଇନାଲକୁ ଉନ୍ନୀତ କରାଯାଇଥିଲା । ଆଜିର ମ୍ୟାଚ୍‌ରେ ଅମ୍ପାୟର ଲଲାଟ କେଶରୀ ନନ୍ଦ, ହିମାଂଶୁ ବେହେରା, ପିଚ୍ କ୍ୟୁରେଟର ମାନସ ପୁହାଣ, ରାଜେନ୍ଦ୍ର ଧଳ, ଗ୍ରାଉଣ୍ଡ ମ୍ୟାନ୍ ଶଙ୍କର୍ଷଣ ଧଳ, ବାପିନ ବେହେରା, ବାପୁନ ରାଉତ, ସିପୁନ ରାଉତ ଦାୟୀତ୍ୱ ତୁଲାଇଥିଲେ । ଶନିବାର ୨ୟ ସେମିଫାଇନାଲ ମ୍ୟାଚ୍ ଏୟାର ଇଣ୍ଡିଆ ମୁମ୍ବାଇ ବନାମ ଟାଟା ସ୍ପୋଟ୍ସ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସଭାପତି ଇଂ.ଲକି ମାଷ୍ଟର ସ୍ୱାଇଁ ଓ ସମ୍ପାଦକ ଅସିତ୍ କର ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ