ଏ ନିଆଁ କେତେ ଦିନ ଜଳିବ

ଗୋଲଖ ଚନ୍ଦ୍ର ଦାସ
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ୍ସରେ ଏକ ଭିଡିଓ ସେୟାର କରି କହିଛନ୍ତି, ଗାଜାକୁ ନିୟନ୍ତ୍ରଣ କରୁଥିବା ଆତଙ୍କବାଦୀ ସଂଗଠନ ହମାସ ମୁଖ୍ୟ ତଥା ଅକ୍ଟୋବର ୭ ଆକ୍ରମଣର ମାଷ୍ଟରମାଇଣ୍ଡ୍ ୟାହ୍ୟା ସିନ୍‌ୱାରକ ନିପାତ୍ ହେଲା । ଇସ୍ରାଏଲର ସାହସୀ ସୈନିକମାନେ ତାକୁ ରାଫାରେ ନିପାତ କରିଛନ୍ତି । କିନ୍ତୁ ଏହା ଗାଜାରେ ଯୁଦ୍ଧର ଶେଷ ନୁହେଁ ବରଂ ଏହା ଶେଷର ଆରମ୍ଭ । ଗାଜା ଲୋକଙ୍କ ପାଇଁ ମୋର ଅତି ସରଳ ବାର୍ତା ରହିଛି ଏବଂ ତାହା ହେଉଛି ଏହି ଯୁଦ୍ଧ ଆସନ୍ତାକାଲି ଶେଷ ହୋଇଯାଇପାରେ । ଯଦି ହମାସ ଅସ୍ତ୍ର ଛାଡ଼ିଦେବା ସହ ପଣବନ୍ଦୀଙ୍କୁ ଫେରାଇ ଦେବାପାଇଁ ରାଜି ହେବ ତା’ହେଲେ ଆମ ତତ୍କାଳ ଯୁଦ୍ଧ ବନ୍ଦ ପାଇଁ ପଦକ୍ଷେପ ନେବୁ । ’ତେବେ କଣ ପାଇଁ ଇସ୍ରାଏଲର ରକେଟ ମାଡ଼ରେ ଜଳୁଛି ଲେବାନନ । କଣ ପାଇଁ ଧ୍ୱଂସସ୍ତୁପରେ ପରିଣତ ହୋଇଛି ଲେବାନନର ଗଳିକନ୍ଦି । ସବୁଠି ବାରୁଦର ଗନ୍ଧ । ଯେଉଁଠିକୁ ଚାହିଁବେ ଶବ ଆଉ ଶବ । ମୁସଲମାନ ରାଷ୍ଟ୍ର ଲେବାନନ, ଇସ୍ରାଏଲର ପ୍ରତିଶୋଧ ନିଆଁରେ ଜଳିପୋଡି ପାଉଁଶ ହେଉଛି । ମୁଣ୍ଡ ବି ଗଡୁଛି, ସହର କବରସ୍ଥାନରେ ପରିଣତ ହେଉଛି ।
ମଧ୍ୟପ୍ରାଚ୍ୟରେ ସବୁଠାରୁ ବଡ଼ ଲୋମହର୍ଷଣକାରୀ ଓ ରକ୍ତାକ୍ତ ଗୃହଯୁଦ୍ଧ ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଏକ ରାଷ୍ଟ୍ରର ଧର୍ମ ପରିବର୍ତନ କରି ଦେଇଥିଲା । ଆଉ ସେ ସମୟରେ ଲାଗିଥିବା ଏହି ଧାର୍ମିକ ନିଆଁ ଆଜି ବି ଜଳୁଛି । ହେଲେ ଜାଣିଛନ୍ତି କି ହିଜବୁଲ୍ଲା ସମେତ ଏକାଧିକ ଆତଙ୍କବାଦୀ ସଂଗଠନଙ୍କ ଗଡ଼ ଲେବାନନ କିଛି ଦଶକ ପୂର୍ବେ ଏକ ଖ୍ରୀଷ୍ଟିଆନ ଦେଶ ଥିଲା । ୬୦ ପ୍ରତିଶତରୁ ଅଧିକ ଖ୍ରୀଷ୍ଟିଆନ ଲୋକ ରହୁଥିବା ଏହି ଦେଶ ଏବେ ଏକ ମୁସଲମାନ ରାଷ୍ଟ୍ରରେ ପରିଣତ ହୋଇଯାଇଛି । କେବଳ ଲେବାନନ ନୁହେଁ ଦିନ ଥିଲା ପୂରା ମଧ୍ୟପ୍ରାଚ୍ୟରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ବହୁତ ଅଧିକ ଥିଲା । ଜେରୁଜେଲମ ଓ ମିଡିଲ ଇଷ୍ଟ ଚର୍ଚ୍ଚ ଆସୋସିଏସନ ଅନୁସାରେ ଚତୁର୍ଥ ଶତାବ୍ଦୀ ଆରମ୍ଭରୁ ଏହି ଧର୍ମ ଜେରୁଜେଲମରୁ ସିରିଆ, ଜୋଡାନ, ଇଜିପ୍ଟ ଓ ବାକି ଅଂଚଳକୁ ଯାଇଥିଲା । ହେଲେ ବଡ଼ ବଡ଼ ଧାର୍ମିକ ଅଧିକାରୀଙ୍କ ମଧ୍ୟରେ ବିବାଦ କାରଣରୁ ଚର୍ଚ୍ଚର ବି ଭାଗବଂଟା ଆରମ୍ଭ ହୋଇଥିଲା । ଏହାସହ ଧାର୍ମିକ ଷ୍ଟ୍ରକଚର ବି ବଦଳିବାରେ ଲାଗିଥିଲା । ୭ମ ଶତାବ୍ଦୀରେ ମଧ୍ୟପ୍ରାଚ୍ୟକୁ ମୁସଲମାନ ବ୍ୟବସାୟୀଙ୍କ ଆଗମନ ପରେ ବିଭାଜନ ଅଧିକ ବଢ଼ିବାରେ ଲାଗିଥିଲା ।
ପାଲେଷ୍ଟାଇନ, ଇରାନ ଏବଂ ଲେବାନନ ସହିତ ଇସ୍ରାଏଲର ବର୍ତମାନର ବିବାଦ ସାର୍ବଭୌମତ୍ୱ ମଧ୍ୟରେ ଯୁଦ୍ଧ ଅପେକ୍ଷା ଏକ ଜଟିଳ ପ୍ରସଙ୍ଗ, କାରଣ ହମାସ୍‌, ହିଜବୁଲା ପରି ଆତଙ୍କବାଦୀ ସଂଗଠନ ଇସ୍ରାଏଲର ଅସ୍ତିତ୍ୱକୁ ସିଧାସଳଖ ଚ୍ୟାଲେଞ୍ଜ କରୁଛନ୍ତି । ଇସ୍ରାଏଲ ଘଟଣାକୁ ନେଇ ଆନ୍ତର୍ଜାତୀୟ ସ୍ତରରେ ଦୀର୍ଘ ଦିନ ଧରି ବିତର୍କ ଚାଲିଆସୁଛି । ବିଶେଷ ଭାବରେ, ଏହି ବିବାଦ କଟ୍ଟରପନ୍ଥୀ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଅସ୍ତିତ୍ୱ ପ୍ରସଙ୍ଗରେ ଅଧିକ ପ୍ରାସଙ୍ଗିକ ହୋଇଯାଇଛି । ଇସ୍ରାଏଲର ନୈତିକ ଦାବିର ଅନେକ ଦିଗ ଅଛି ଯାହାକୁ ଏହାର ସମାଲୋଚକମାନେ ମଧ୍ୟ ଅସ୍ୱୀକାର କରିପାରିବେ ନାହିଁ । କାରଣ ଇସ୍ରାଏଲର ସଂଗ୍ରାମ କେବଳ ଭୌଗୋଳିକ ସୀମା କିମ୍ବା ସାମରିକ ବିବାଦ ମଧ୍ୟରେ ସୀମିତ ନୁହେଁ, ବରଂ ଏକ ଗଭୀର ଐତିହାସିକ, ସାଂସ୍କୃତିକ ଏବଂ ଧାର୍ମିକ ପ୍ରସଙ୍ଗ ସହିତ ଜଡିତ ।
ପ୍ରଥମ କଥା ହେଉଛି,ଇସ୍ରାଏଲ ଅସ୍ତିତ୍ୱ ଏକ ମଜବୁତ ଆଧାର ଅଛି – ୩୦୦୦ ବର୍ଷରୁ ଅଧିକ ସମୟ ଧରି ଏହି ଦେଶ ସହିତ ଯିହୁଦୀ ଲୋକମାନଙ୍କର ଐତିହାସିକ ଏବଂ ଆସ୍ଥାଗତ ସଂଯୋଗ ରହିଛି । ଜେରୁଜେଲମ ଏବଂ ଇସ୍ରାଏଲ୍ ଭୂମି ଯିହୁଦୀ ସଭ୍ୟତାର କେନ୍ଦ୍ର ପାଲଟିଛି । ବାଇବଲରେ ଉଲ୍ଲେଖ କରାଯାଇଥିବା ଘଟଣାଗୁଡ଼ିକ ପରଠାରୁ ଏହି ଦେଶ ଆଜି ପର୍ଯ୍ୟନ୍ତ ଯିହୁଦୀମାନଙ୍କର ଧାର୍ମିକ ଏବଂ ସାଂସ୍କୃତିକ ପରିଚୟର ଏକ ଅଂଶ ହୋଇଆସୁଛି । ଯେହେତୁ ଐତିହାସିକ ମାର୍ଟିନ ଗିଲବର୍ଟ ଲେଖିଛନ୍ତି, ଭାଟିକାନ୍ ଖ୍ରୀଷ୍ଟିଆନମାନଙ୍କ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ ଜେରୁଜେଲମ ଯିହୁଦୀମାନଙ୍କ ପାଇଁ ସେତିକି ମହତ୍ୱପୂର୍ଣ୍ଣ ଅଟେ । ତେଣୁ ଏହି ସଂପର୍କକୁ ସମାଲୋଚକମାନେ ଅସ୍ୱୀକାର କରିବା କଷ୍ଟକର ଅଟେ ।
ଦ୍ୱିତୀୟତ ୧୯୪୭ ମସିହାରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ପାଇଁ ମିଳିତ ଜାତିସଂଘ ଦୁଇ ରାଜ୍ୟ ଯୋଜନା ପ୍ରସ୍ତାବ ଦେଇଥିଲା, ଯେଉଁଥିରେ ଯିହୁଦୀ ଏବଂ ଆରବମାନଙ୍କ ପାଇଁ ଅଲଗା ରାଜ୍ୟ ଗଠନ କରିବାକୁ ଆହ୍ୱାନ ଦେଇଥିଲେ । ଇସ୍ରାଏଲ ଏହି ପ୍ରସ୍ତାବକୁ ଗ୍ରହଣ କରିଥିବାବେଳେ ଆରବ ଦେଶ ଏହାକୁ ପ୍ରତ୍ୟାଖ୍ୟାନ କରି ଏହାର ଜବାବରେ ଯୁଦ୍ଧ ଆରମ୍ଭ କରିଥିଲେ । ଇସ୍ରାଏଲର ଏହି ପଦକ୍ଷେପ ଏହାର ନୈତିକ ଦାବିକୁ ଆହୁରି ଦୃଢ କରିଥାଏ, କାରଣ ଏହା ଆନ୍ତର୍ଜାତୀୟସ୍ତରରେ ଗ୍ରହଣୀୟ ପ୍ରକ୍ରିୟାର ଏକ ଅଂଶ ଥିଲା । ଏହା ଇସ୍ରାଏଲକୁ ଆନ୍ତର୍ଜାତୀୟ ମାନ୍ୟତା ଦେଇଥିଲା ।
ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ବିଭାଜନ ଯୋଜନାରେ ମିଳିତ ଜାତିସଂଘ ସାଧାରଣ ସଭାରେ ଭୋଟ୍ ହେବା ପରେ ଇସ୍ରାଏଲ୍ ଗଠନ ହୋଇଥିଲା ଏବଂ ଏହାପରେ ନିଜର ଅସ୍ତିତ୍ୱ ପାଇଁ ସଂଗ୍ରାମର ସମ୍ମୁଖୀନ ହେବାକୁ ପଡିଥିଲା, ଯେହେତୁ ଆରବୀୟମାନେ ଯିହୁଦୀ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ କରିଥିଲେ । ଆରବଦେଶମାନେ ଏହା ଉପରେ ଆକ୍ରମଣ କରିଥିଲେ, ଯାହାର ଉଦ୍ଦେଶ୍ୟ ଥିଲା ନୂତନ ଭାବେ ଗଠିତ ଯିହୂଦୀ ରାଜ୍ୟକୁ ଧ୍ୱଂସ କରିବା । ତେବେ ଇସ୍ରାଏଲ୍ କେବଳ ନିଜକୁ ରକ୍ଷା କରିନାହିଁ, ବରଂ ନିଜର ସ୍ଥିତିକୁ ମଧ୍ୟ ମଜବୁତ କରିଛି ।
ବେନ-ଗୁରିଅନଙ୍କ ଆତ୍ମଜୀବନୀରେ ଏହି ସଂଘର୍ଷର ଅସ୍ତିତ୍ୱ ଯୁଦ୍ଧ ବୋଲି ବର୍ଣ୍ଣନା ହୋଇଛି । ଏହି ଯୁଦ୍ଧ ଯିହୁଦୀ ରାଜ୍ୟର ଅସ୍ତିତ୍ୱ ଏବଂ ଏହାର ଆତ୍ମରକ୍ଷା ଅଧିକାରର ଅପରିହାର୍ଯ୍ୟତାକୁ ସୂଚିତ କରେ, ଯାହାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ବିଭିନ୍ନ ସଂଖ୍ୟାଲଘୁ ସମ୍ପ୍ରଦାୟ ଯେପରିକି ଆରବ, ଡ୍ରୁଜ୍ ଏବଂ ଖ୍ରୀଷ୍ଟିଆନମାନେ ଇସ୍ରାଏଲର ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିରାପଦରେ ଏବଂ ମୁକ୍ତ ଭାବରେ ବାସ କରନ୍ତି । ମଧ୍ୟ-ପୂର୍ବର ଅନେକ ଦେଶରେ ଧାର୍ମିକ ଏବଂ ଅନୁସୂଚିତ ଜାତି ଉପରେ ଭେଦଭାବ ଏବଂ ହିଂସା ରହିଛି, ଯେତେବେଳେ କି ଇସ୍ରାଏଲରେ ସେମାନେ ସମାନ ନାଗରିକ ଅଧିକାର ପାଇଛନ୍ତି । ଏମୋସ୍ ଓଜଙ୍କ ପରି ଇସ୍ରାଏଲ୍ ଲେଖକମାନେ ମଧ୍ୟ ସେମାନଙ୍କ ପୁସ୍ତକରେ ଗୁରୁତ୍ୱାରୋପ କରିଛନ୍ତି ଯେ ସଂଖ୍ୟାଲଘୁମାନଙ୍କର ଅଧିକାର ଇସ୍ରାଏଲରେ ସୁରକ୍ଷିତ ଅଛି । ଏହା ଇସ୍ରାଏଲର ଗଣତାନ୍ତ୍ରିକ ଏବଂ ନ୍ୟାୟିକ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ଦର୍ଶାଏ ।
ବର୍ନାର୍ଡ ଲୁଇସ୍‌ଙ୍କ ପରି ପଣ୍ଡିତମାନେ ବିଶ୍ୱାସ କରନ୍ତି ଯେ ଆତଙ୍କବାଦ ବିରୋଧରେ ବିଶ୍ୱ ସଂଗ୍ରାମରେ ଇସ୍ରାଏଲର ଅସ୍ତିତ୍ୱ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ମୁଖ୍ୟ, ଯାହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ।
ଅନ୍ୟ ଅର୍ଥରେ, ହମାସ ଏବଂ ହିଜବୁଲ ଭଳି ଇସଲାମୀୟ ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ଇସ୍ରାଏଲର ବିବାଦ ଆତ୍ମରକ୍ଷା ଅଧିକାର ଉପରେ ଆଧାରିତ । ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ଯେକୌଣସି ରାଜ୍ୟ ଏହାର ନାଗରିକଙ୍କୁ ସୁରକ୍ଷା ଦେବାର ଅଧିକାର ରହିଛି । ଏଲନ୍ ଡେର୍ସୋବିଟ୍‌ଜ୍ ତାଙ୍କ ପୁସ୍ତକ ‘ଦି କେସେ ଫର ଇସ୍ରାଏଲ୍‌’ରେନୈତିକ ଅଧିକାରକୁ ବ୍ୟାଖ୍ୟା କରିଛନ୍ତି ଏବଂ ଇସ୍ରାଏଲ୍ ବିରୁଦ୍ଧରେ ୩୨ ଟି ସମାଲୋଚନାକୁ ଖଣ୍ଡନ କରିବାକୁ ତଥ୍ୟ ଏବଂ ପ୍ରମାଣ ଉପସ୍ଥାପନ କରିଛନ୍ତି । ସେମାନେ କହିଛନ୍ତି ଯେ ଏହି ଅଧିକାର କେବଳ ଆଇନଗତ ନୁହେଁ, ବରଂ ନୈତିକ ମଧ୍ୟ ଅଟେ, କାରଣ ନିଜର ନାଗରିକମାନଙ୍କୁ ସୁରକ୍ଷା ଦେବା ଇସ୍ରାଏଲର ଉଦ୍ଦେଶ୍ୟ । ଇସ୍ରାଏଲର ସ୍ୱାଧୀନ ନ୍ୟାୟପାଳିକା, ଗଣମାଧ୍ୟମ ଏବଂ ମାନବ ଅଧିକାର ସଂଗଠନର ସକ୍ରିୟତା ଏହାକୁ ଅନ୍ୟ ମଧ୍ୟ-ପୂର୍ବ ଦେଶଠାରୁ ଭିନ୍ନ କରିଥାଏ । ଇସ୍ରାଏଲର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଆହାରୋନ ବାରକ ମଧ୍ୟ ତାଙ୍କ ନିଷ୍ପତିରେ ବାରମ୍ବାର ସ୍ଥିର କରିଛନ୍ତି ଯେ ଜାତି କିମ୍ବା ଧର୍ମ ନିର୍ବିଶେଷରେ ଇସ୍ରାଏଲର ସମସ୍ତ ନାଗରିକଙ୍କର ସମାନ ଅଧିକାର ରହିଛି ।
ତେବେ ଶାନ୍ତି ପ୍ରତିଷ୍ଠା ପାଇଁ ଇସ୍ରାଏଲ୍ ମଧ୍ୟ ଅନେକ ଗମ୍ଭୀର ଉଦ୍ୟମ କରିଛି । ୧୯୭୯ ରେ ମିଶର ସହିତ କେମ୍ପ ଡେଭିଡ ଚୁକ୍ତି ଏବଂ ୧୯୯୪ ରେ ଜୋର୍ଡାନ ସହିତ ଶାନ୍ତି ଚୁକ୍ତି ଏହାର ଉଦାହରଣ ଅଟେ । ଏଥିସହ ଇସ୍ରାଏଲ୍ ମଧ୍ୟ ପାଲେଷ୍ଟାଇନ ସହିତ ଅନେକ ଥର ଶାନ୍ତି ଆଲୋଚନା ଆରମ୍ଭ କରିଛି । ଏହା ଏକ ଭିନ୍ନ ବିଷୟ ଯେ ଅନେକ କଟ୍ଟରପନ୍ଥୀ ଶକ୍ତି ଏହି ପ୍ରୟାସକୁ ରୋକିବାକୁ ଚେଷ୍ଟା କରୁଛନ୍ତି । ତଥାପି, ଇସ୍ରାଏଲର ନିରନ୍ତର ଶାନ୍ତି ଅନୁସରଣ କରିବା ଏହାକୁ ଏକ ଉଚ୍ଚ ନୈତିକତାର ମାନ୍ୟତା ଦେଇଥାଏ ।
ଏହା ସୂଚାଇ ଦେବା ଉଚିତ ଯେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଚିକିତ୍ସା ଏବଂ କୃଷି କ୍ଷେତ୍ରରେ ଇସ୍ରାଏଲ ବିଶ୍ୱ ସ୍ତରୀୟ ଅବଦାନ ରଖିଛି । ଏହି ଦେଶ କ୍ରମାଗତ ଭାବରେ ମାନବିକତାର ଉନ୍ନତି ପାଇଁ ଚେଷ୍ଟା କରୁଛି ।
ଡେନ ସେନୋର ଏବଂ ସାଁଲ ସିଙ୍ଗରଙ୍କ ଦ୍ୱାରା ‘ଷ୍ଟାର୍ଟ ଅପ୍ ନେସନ’ ପୁସ୍ତକ ଇସ୍ରାଏଲର ନବୋନ୍ମେଷର ଭାବନା ଏବଂ ବିଶ୍ୱସ୍ତରୀୟ ଅବଦାନକୁ ବିଶ୍ଳେଷଣ କରିଥାଏ, ନିଜର ଅସ୍ତିତ୍ୱ ପାଇଁ ଲଢାଇକୁ ନ୍ୟାୟ ସଂଗତ ରୂପେ ବର୍ଣ୍ଣନା କରାଯାଇଛି । ଏହା ଭୁଲିଯିବା ଉଚିତ ନୁହେଁ ଯେ ଶତାବ୍ଦୀ ପୂର୍ବରୁ ୟୁରୋପ ଏବଂ ଆରବ ଦେଶରୁ ଯିହୁଦୀମାନଙ୍କୁ ବହିଷ୍କାର କରାଯାଇଥିଲା, ନିର୍ଯ୍ୟାତନା ଦିଆଯାଇଥିଲା ଏବଂ ହତ୍ୟା କରାଯାଇଥିଲା । ଇସ୍ରାଏଲ ସେମାନଙ୍କ ପାଇଁ ଏକମାତ୍ର ସ୍ଥାନ ଯେଉଁଠାରେ ସେମାନେ ନିଜକୁ ସୁରକ୍ଷିତ ଅନୁଭବ କରିପାରିବେ । ଇସ୍ରାଏଲ୍ କିପରି ଯିହୁଦୀମାନଙ୍କ ପାଇଁ ଏକମାତ୍ର ସୁରକ୍ଷିତ ସ୍ଥାନ ବୋଲି ‘ଗୋଲ୍େଡନ୍ ବର୍ଗ’ ରିପୋର୍ଟ କରିଛି । ଯିହୁଦୀମାନଙ୍କ ପାଇଁ ଇସ୍ରାଏଲ୍ କିପରି ଏକମାତ୍ର ସୁରକ୍ଷିତ ସ୍ଥାନ ଅଟେ ତାହା ଏହି ରିପୋର୍ଟରେ ବ୍ୟାଖ୍ୟା କରାଯାଇଛି । ଇସ୍ରାଏଲର ଅସ୍ତିତ୍ୱ ଯିହୁଦୀମାନଙ୍କ ପାଇଁ ଜୀବନ ଏବଂ ମୃତ୍ୟୁର ବିଷୟ ଅଟେ ବୋଲି ଏହି ଐତିହାସିକ ସନ୍ଦର୍ଭରେ ଉଲ୍ଲେଖ କରାଯାଇଛି ।
ହାମାସ, ହିଜବୁଲ ଏବଂ ଅନ୍ୟାନ୍ୟ କଟ୍ଟରପନ୍ଥୀ ଇସଲାମ ସଂଗଠନର ଲକ୍ଷ୍ୟ ହେଉଛି ଇସ୍ରାଏଲର ବିନାଶ । ଇସ୍ରାଏଲ୍ କେବଳ ସେମାନଙ୍କ ସୀମାକୁ ସେମାନଙ୍କଠାରୁ ରକ୍ଷା କରୁନାହିଁ, ବରଂ କଟ୍ଟରପନ୍ଥୀ ଏବଂ ଆତଙ୍କବାଦ ବିରୋଧରେ ବିଶ୍ୱ ସଂଗ୍ରାମରେ ମଧ୍ୟ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ବର୍ନାର୍ଡ ଲୁଇସ୍‌ଙ୍କ ପରି ପଣ୍ଡିତମାନେ ବିଶ୍ୱାସ କରନ୍ତି ଯେ ଆତଙ୍କବାଦ ବିରୋଧରେ ବିଶ୍ୱ ସଂଗ୍ରାମରେ ଇସ୍ରାଏଲର ଅସ୍ତିତ୍ୱ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ମୁଖ୍ୟ, ଯାହାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ତେଣୁ, ଇସ୍ରାଏଲ୍‌-ହାମାସ୍ ବିବାଦକୁ ଏକ ଧାର୍ମିକ ଦୃଷ୍ଟିରେ ଦେଖିବା ପରିବର୍ତେ ଏହାକୁ ବିଶ୍ୱ ଶାନ୍ତି ପାଇଁ କଟ୍ଟରବାଦ ଏବଂ ଆତଙ୍କବାଦ ବିରୋଧରେ ଲଢାଇ ଦୃଷ୍ଟିକୋଣରୁ ଦେଖାଯିବା ଉଚିତ୍ । ଏହି ସଂଗ୍ରାମର ମାନଦଣ୍ଡ ନିରପେକ୍ଷ ହେବା ଉଚିତ, ତେବେ ଯାଇ ବିଶ୍ୱ ସଂଘର୍ଷ ଏବଂ ଶତ୍ରୁତାରୁ ମୁକ୍ତ ହେବା ଦିଗରେ ସକ୍ଷମ ହେବ ।
ଘିଗିଡିଆ, ବାରୁଅ, କେନ୍ଦ୍ରାପଡା
ମୋ-୯୮୬୧୦୬୯୫୫୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ