ଏ ନୁହେଁ ନିର୍ବାଚନ : ନିର୍ଲଜ ପ୍ରହସନ
ମାୟାଧର ନାୟକ
୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ଚରମ ବିଶ୍ୱାସଘାତକତା, ପ୍ରବଂଚନା ଓ ପ୍ରହସନର ଏକ ନିର୍ଲଜ, ନୃଶଂସ ଓ ନିନ୍ଦନୀୟ ନଜିର ସୃଷ୍ଟି କରିବାକୁ ଯାଉଛି । କ୍ଷମତାପାଗଳ ତଥାକଥିତନେତାମାନଙ୍କ ପାଇଁ ଏ ନିର୍ବାଚନ ଏକ ଜଘନ୍ୟ ଜୁଆଖେଳ, ମାତ୍ର ନିରୀହ, ନିରନ୍ନ ଜନସାଧାରଣଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ କାଳ । ଏ ନିର୍ବାଚନରେ କାହାର ମନରେ ସରାଗ ନାହିଁ – ନେତାମାନେ ଲୋକମାନଙ୍କୁ ଜୋର୍ କରି କେବଳ ଟାଣୁଛନ୍ତି ବଳିଖୁଂଟକୁ । ଭୋଟ୍ପାଲା ସରିଯିବା ପରେ ଦଳ ଓ ନେତାମାନେ ମୋଲାଏମ୍ ମଲ୍ଲାଫୁଲିଆ ଗଦିଉପରେ ଶୋଇଯିବେ । କାହାର ଦେଖା ମିଳିବ ନାହିଁ ଆଉ । ଆଜି ଯେଉଁମାନେ ଆସି ଆମ ପାଦ ଧରୁଛନ୍ତି, ହାତ ଓଠ ଧରି ନେହୁରା ହେଉଛନ୍ତି, ଭୋଟ୍ ପରେ ସେମାନେ ଆମକୁ ଚିହ୍ନି ପାରିବେ ତ? ଏବେ ରାଜନୀତି ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇସାରିଛି । ଏହି ନିର୍ବାଚନରେ ଦେଶବାସୀଙ୍କ ପାଇଁ କୌଣସି ଦଳର ବାସ୍ତବ ଆଭିମୁଖ୍ୟ ନାହିଁ । ଦଳମାନଙ୍କର ଇସ୍ତାହାରରେ ଯାହା ପ୍ରତିଶ୍ରୃତି ଦିଆଯାଇଛି – ସେ ସବୁ କେବଳ ପାଣିର ଗାର ।
ଭାରତୀୟ ରାଜନୀତିରେ ଏକ ସମାନ୍ତରାଳ ଗଣତାନ୍ତ୍ରିକ ବିରୋଧୀଧାରାର ପରୀକ୍ଷାନିରୀକ୍ଷା ବ୍ୟର୍ଥ ସାବ୍ୟସ୍ତ ହୋଇଆସିଛି ବରାବର । ଏଠି ବହୁ ଦଳ, ବହୁ ଧ୍ୱଜା, ବହୁ ଧ୍ୱନି – ଅଜସ୍ର ଚିହ୍ନ ବା ପ୍ରତୀକ-କିନ୍ତୁ ନିରେଖି ଦେଖିଲେ ପରସ୍ପର ସହିତ ଲଢାଲଢି ହେଉଥିବା ଏସବୁ ଦଳରଚରିତ୍ର ସଂପୂର୍ଣ୍ଣସମାନ । ବିଭିନ୍ନ ସାଇନ୍ବୋର୍ଡ ଝୁଲାଇ ରାଜନୀତିର ଗୋଟାଏ ବିରାଟ ବଜାର ବିଛାଇ ବସିଛନ୍ତି କ୍ଷମତାଦଳାଲ୍ମାନେ-ସମଗ୍ର ଭାରତବର୍ଷରେ ଚାଲିଛି କିଣାବିକାର ରାଜନୀତି, ଦୋକାନଦାରିର ରାଜନୀତି, ଚାନ୍ଦାଭେଦାର ରାଜନୀତି, ଗୋଲକଧନ୍ଦାର ରାଜନୀତି । ଆଜି ଯିଏ ଶାସକ ଦଳରେ, କାଲି ତାକୁ ଦେଖିବାକୁ ମିଳୁଛି ବିରୋଧୀ ଦଳର ବାନା ହଲାଇବାରେ – ଆଜି ଯିଏ ବିରୋଧୀ ଶିବିରରେ ଥାଇ ବନ୍ଧମୁଷ୍ଟି ଉତୋଳନ କରୁଛି, କାଲି ସିଏ ହାତ ମିଳାଉଛି ଶାସକଦଳର କାର୍ପଟ୍ଦାରମାନଙ୍କ ସହିତ । ଯେହେତୁ କୌଣସି ନିର୍ଦ୍ଧିଷ୍ଟ ଆଦର୍ଶ ନାହିଁ, ନିର୍ଦ୍ଧାରିତ ଦର୍ଶନ ବା ଦୃଷ୍ଟିଭଙ୍ଗୀ ନାହିଁ – ସେଇଥିପାଇଁ ଭାରତବର୍ଷର ଗଣତନ୍ତ୍ରରେ ବାରମ୍ବାର ପ୍ରତ୍ୟକ୍ଷ କରିବାକୁ ପଡୁଛି ଏ ପ୍ରହସନର ପାଂଶୁଳ ପର୍ବ । ଦଳବଦଳର ଦାରୁଣ ଦୃଷ୍ଟାନ୍ତ ସବୁ ଭାରତୀୟ ରାଜନୀତିରେ ଅତି ମାମୁଲି ଘଟଣା । କାହାକୁ ବିଶ୍ୱାସ କରିବା? କାହା କଥାକୁ ବେଦର ଗାର ଭଳି ଗ୍ରହଣ କରିନେବା? ନା, ଆଜିର ଭାରତୀୟ ରାଜନୀତିର ମୂଳଦୁଆ ଛିଡା ହୋଇଛି ଗୋଟାଏ ବିଶାଳ ବିଶ୍ୱାସଭଙ୍ଗ ଉପରେ! ଋାଜନେତାମାନେ ବିଶ୍ୱାସଘାତକତା କରୁଛନ୍ତି ଜନଗଣଙ୍କ ପ୍ରତି, ରାଜନୈତିକ ଦଳମାନେ ଆଖିଠାର ମାରୁଛନ୍ତି ତମାମ୍ ଦେଶକୁ । ଯିଏ ଯେତେ ବେଶି ଦୁର୍ନୀତି କରି ଧନ ଠୁଳ କଲା, ସିଏ ବୋଲାଇଲା ସେତେବଡ ଛାମୁନେତା-ଯିଏ ଯେତେ ବେଶି ଗୁଣ୍ଡା ପୋଷି ପାରିଲା, ସିଏ ହେଲା ସେତେବଡ କରିତକର୍ମା କାର୍ପଟ୍ଦାର ।
ଭାରତବର୍ଷର ଜନସାଧାରଣ ଆଜି ଜଳକା ହୋଇ ଚାହିଁ ରହିଛନ୍ତି – ମାରି ନେଉଥିବା ମହାପାତ୍ରମାନେ ବସିଛନ୍ତି କ୍ଷମତାର ମସ୍ନଦ୍ରେ । ପ୍ରିୟାପ୍ରୀତିତୋଷଣ ତ ସାଧାରଣକଥା – ଲାଂଚ, ମିଛ ଦୁର୍ନୀତିକୁ ଆଶ୍ରୟ ଓ ପ୍ରଶୟ ଦେଇ ଚାଲିଥିବା ସାଂପ୍ରତିକ ରାଜନୈତିକ ବ୍ୟବସ୍ଥାରେ ହତ୍ୟା, ଗଣସଂହାର, ସାଂପ୍ରଦାୟିକ ଦଙ୍ଗା ଇତ୍ୟାଦି ପରିଣତ ହୋଇ ସାରିଲାଣି ଗୋଟିଏ ଗୋଟିଏ ସ୍ୱାଭାବିକ ଚଳଣିରେ ।
ରାଜନୀତିରେ ଆଜି ସତ୍ୟ ନାହିଁ, ସୌନ୍ଦର୍ଯ୍ୟ ନାହିଁ, ସୌରଭ ନାହିଁ-ନାହିଁ ଆଦର୍ଶ, ନାହିଁ ମୂଲ୍ୟବୋଧ । ସ୍ୱାଧୀନତା ପରବର୍ତୀ ପର୍ଯ୍ୟାୟରେ ରାଜନୀତି ହୋଇପଡିଛି ବୈଶ୍ୟବୃତି ଯାହାଥିଲା ଦିନେ ବ୍ରତ ତାହା ଏବେ ହୋଇପଡିଛି ବୃତି । ନେତୃତ୍ୱ କହିଲେ ଆମ ଆଖିଆଗରେ ଯେଉଁ ବିରଳ ବ୍ୟକ୍ତିତ୍ୱର ଝଲକ ଝଟକିଉଠେ, ଯେଉଁ ବର୍ଣ୍ଣାଢ୍ୟ ଭାବମୂର୍ତି ଫୁଟିଉଠେ – ସେ ନେତୃତ୍ୱ ଆଜିର ରାଜନୀତିରେ ଖୋଜିପାଇବା କାଠିକର ପାଠ । ବରଂ ନକଲି ନେତୃତ୍ୱର ନିୟନ୍ତ୍ରଣାଧୀନ ସାଂପ୍ରତିକ ଭାରତୀୟ ରାଜନୀତି । ଏ ରାଜନୀତି ରକ୍ତପାତରରାଜନୀତି, ଗୁଣ୍ଡାଗର୍ଦ୍ଦିରରାଜନୀତି, କଳାଟଙ୍କାରରାଜନୀତି, ନୀତିନୈତିକତାହୀନ ଶଠ-ଶେଠମାନଙ୍କରରାଜନୀତି । ଏ ରାଜନୀତି ଜନସାଧାରଣଙ୍କୁ ଭୁଲାଏ, ଭଣ୍ଡାଏ, ଭୂଆଁ ବୁଲାଏ ବରାବର । ଏ ରାଜନୀତି ସ୍ୱବିରୋଧର ରାଜୀନତି-ଯେଉଁଠି ଗରିବକୁ ଭତା ନ ମିଳୁ ପଛେ ଧନୀକୁ ମିଳେ ନିଶ୍ଚିତ ନିରାପତା – ମୂଲିଆକୁ ମଜୁରି ନମିଳୁ ପଛେ ମୁନାଫାଖୋର୍କଳାବଜାରୀକୁ ମିଳେ ନିରଙ୍କୁଶ ମର୍ଯ୍ୟାଦା! ଭାରତବର୍ଷର ରାଜନୀତି ଆଜି ନକଲି ନେତା ଏବଂ ନିଷ୍ଠୁର ବଣିକବର୍ଗଙ୍କର ଗୋଟାଏ ଅସାଧୁ ମେଂଟ! ଭାରତବର୍ଷର ସରକାର ଆଜି ତେଣୁ ଶଠ ଏବଂ ସୌଦାଗରମାନଙ୍କର ହିଁ ସଖୀ କଣ୍ଢେଇ ସରକାର ।
ସବୁ ରାଜ୍ୟର ରାଜନୀତିରେ ସବୁଠୁ ବେଶି ପ୍ରାଧାନ୍ୟ ବିସ୍ତାର କରିଛି-ରାଜନୈତିକ ଦଲାଲି । ଏହି ଦଲାଲମାନେ ଏମ୍.ପି., ଏମ୍.ଏଲ୍.ଏ ମାନଙ୍କୁ ଦିଲ୍ଲୀରେ ବିକ୍ରି କରନ୍ତି-ଏଣେ ଗାଁଗଣ୍ଡାର ଭୋଟରମାନଙ୍କୁ କିଣାବିକା କରି କ୍ଷମତା ଦଖଲ କରୁଛନ୍ତି । କ୍ଷମତା ଦଖଲ କଲାପରେ ରାକ୍ଷସ ପାଲଟିଯାଇ ଲୋକଙ୍କ ରକ୍ତ ଶୋଷି ନେଉଛନ୍ତି । ଆମ ସମାଜରେ, ଗାଁଗଣ୍ଡାରେ ଲାଂଚ, ମିଛ, ଠକାମି, ଭଣ୍ଡାମି, ଦୁର୍ନୀତି କ୍ୟାନସର ରୋଗ ଭଳି ମାଡିଗଲାଣି । ତଥାପି ନିର୍ଲଜତାର ନଗ୍ନ ନମୁନା ପରି ଏ ନିର୍ବାଚନ ଆଜି ଶୁଣାଇଚାଲିଛି ତାର ଉଲଗ୍ନ ଆତ୍ମପ୍ରଚାର ଇସ୍ତାହାର । ହଁ, ଗୋଟାଏ ବିଦୂପର ବିକଟଅଜଗର ପରି କଳାଟଙ୍କାର ଦର୍ପରେ ହିଁ ଫଣା ଟେକି ଫୁତ୍କାର ଛାଡୁଛି ଏ ନିର୍ବାଚନ । ନିର୍ବାଚନରେ ସାମିଲ ହୋଇଥିବା ତଥାକଥିତ ରଥୀମହାରଥୀମାନେ ଆଜି ଦୁଆର ଦୁଆର ବୁଲୁଛନ୍ତି । ଭିକ ମାଗିବା ପରି ଭୋଟ୍ ମାଗୁଛନ୍ତି ହାତ ପାତି । ‘ହାତୀଦେବି ଘୋଡାଦେବି’ର ସେଇ ଫଟା ପୁରୁଣା ପେଁକାଳିଟାକୁ ବଜାଇ ପ୍ରହସନ ସୃଷ୍ଟି କରୁଛନ୍ତି ଲୋକଲୋଚନରେ । କ୍ଷମତା-କ୍ଷୁଧିତ ଭୋଟ୍ଭିକାରୀମାନଙ୍କର ଏ ପ୍ରହସନ କାହିଁକି?
ଆପଣମାନଙ୍କ ଆଖି ଆଗରେ ଆଜି ନିର୍ବାଚନର ଚାନ୍ଦିମେଢ ଉଠୁଚି । କାହା ଚାନ୍ଦାରେ ତିଆରି ହୋଇଛି ଏ ଚାନ୍ଦିମେଢ?ଏ ପ୍ରଶ୍ନ ଆପଣଙ୍କ ଦୁଆରକୁ ଆସିଥିବା ସେଇ ଭୋଟ୍ ଭିକାରୀ ନେତାମାନଙ୍କୁ ପଚାରିଲେ ଜବାବ୍ ଦେବେ କି ସେମାନେ? ଫିଟାଇ କହିବେ କି ଅସଲ ଗୁମର? ଯେଉଁ ସଂକଟ ଓ ସନ୍ଧିକ୍ଷଣରେ ଆଜି ଏ ଦେଶମାଟି ଅସହାୟ, ସେ ସମୟରେ ଆପଣମାନେ ସଜାଗ ଓ ସଚେତନ ନହେଲେ ଆହୁରି ଗାଢ କଳାରାତିର ରାଜୁତି ଚାଲିବ ଏଠି! ଚାଲିବ ଜୁଲୁମ୍ ଆଉ ଜଘନ୍ୟତାର ଅନ୍ଧାରୀରାଜ୍! କେବେ ନିଦ ଭାଙ୍ଗି ସୂର୍ଯ୍ୟବନ୍ଦନା ପାଇଁ ପ୍ରସ୍ତୁତ ହେବା ଆମେ ସମସ୍ତେ? ଆମର ଭୋଟ ଦେବାର ଅଧିକାର ଅଛି – କିନ୍ତୁ କାହାକୁ ଭୋଟ୍ ଦେବା? କେହି ଜଣେ ଭଲ ଲୋକ ଠିଆ ହେଲେ ସିନା ଭୋଟ୍ ଖଣ୍ଡକ ଦେବା; ଯିଏ ସବୁ ଠିଆ ହୋଇଛନ୍ତି – ସେଥିରେ କିଏ ଖୁଣୀ ତ କିଏ ଖଂଟ – କିଏ ବ୍ୟଭିଚାରୀ – କିଏ ଭ୍ରଷ୍ଟାଚାରୀ – କିଏ କଂସ ତ, କିଏ କଂସେଇ – ଏମାନଙ୍କ ଅତୀତକୁ ଅନେଇଲେ ଖାଲି ଗଦା ଗଦା କଳଙ୍କ । ଏମାନଙ୍କ ଭିତରୁ ଯାହାକୁ ଭୋଟ୍ ଦେଲେ ବି ନିଜ ଗୋଡରେ କୁରାଢୀ ହାଣିବା ହିଁ ସାର ହେବ । ନିର୍ବାଚନ ଆରମ୍ଭରୁ ଏମାନେ ନିଜ ନିଜ ଦଳରେ ପରସ୍ପରକୁ ଛୁରିକାଘାତ କଲେଣି । ଆଗକୁ ପୁଣି ବେଳ ଅଛି ଆହୁରି ।
ଭୋଟ୍ ଦେଲେ ଘର ଆମର ଘିଅ ମହୁରେ ଭାସି ଯିବନି, କି ଭୋଟ୍ ନ ଦେଲେ ଫାଶୀ ହୋଇଯିବନି ଆମକୁ । ସମସ୍ତେ କ’ଣ ଭୋଟ୍ ଦେଉଛନ୍ତି, ତା’ହେଲେ ଶହେ କୁ ଶହେ ଭୋଟ୍ ପଡନ୍ତା । ଦଳମାନେ ତ କିଛି ଆଇନ୍ କାନୁନ୍, ସମ୍ବିଧାନ ନିର୍ବାଚନ କମିଶନଙ୍କ କଥା ଆଦୌ ମାନୁନାହାଁନ୍ତି । ଉଦାହରଣସ୍ୱରୁପ ଜଣେ ବିଧାୟକ ପ୍ରାର୍ଥୀଙ୍କ ସମୁଦାୟ ଖର୍ଚ୍ଚ ୨୮ ଲକ୍ଷ ଟଙ୍କାରେ ବାନ୍ଧି ଦିଆଯାଇଛି । ବିଶେଷକରି ବଡ ବଡ ପାର୍ଟିମାନଙ୍କ ପ୍ରାର୍ଥୀମାନେ ୨୮ କୋଟିରୁ ବେଶି ଖର୍ଚ୍ଚ କରିବନି କିଏ କହିବ, ତାଙ୍କୁ କହିବାକୁ ବା କିଏ ଅଛି? ଧରିବାକୁ ବା କିଏ ଅଛି? ଯାହା ସବୁ ଧରାଧରି ହେବ ସିଏ ଖାଲି ଉପରଠାଉରିଆ । ବର୍ତମାନ ନକରାତ୍ମକ ନେତୃତ୍ୱ ଅଧିକାଂଶ ରାଜନୈତିକ ଦଳର ସାଧାରଣ ବ୍ୟାଧି – ଏବଂ ଏ ବ୍ୟାଧି ଉତ୍କଟ ଭାବରେ ସଂକ୍ରାମକ ହୋଇ ପୂରା ଦେଶଟାକୁ ଦଳର ଜଳଖିଆ ଥାଳିରେ ପରଷି ଦେବାପାଇଁ ସୁଦ୍ଧା ତୟାର୍ – ଏହାଠାରୁ ବଳି ଦୁର୍ଭାଗ୍ୟଜନକ ଅଘଟଣ ଆଉ କ’ଣ ଥାଇପାରେ?
ଯେତେବେଳେ ଏହା ହିଁ ଅବସ୍ଥା, ସେତେବେଳେ ନିର୍ବାଚନ ମଂଚରେ ବ୍ୟବସ୍ଥାକୁ ବଦଳାଇବାର ଘଷରା ଘୋଷଣା କେବଳ ତୁମ୍ବିତୋଫାନ୍ । ଦେଶର ସମସ୍ତ ରାଜନୈତିକ ଦଳ, ନେତୃତ୍ୱ ଓ ବ୍ୟକ୍ତିତ୍ୱ ବର୍ତମାନ ଗୋଟିଏ ମଂଚରେ ଏକାଠି ହୋଇ ସଠିକ୍ ବିଚରଣ ଓ ବିଶ୍ଲେଷଣର ପର୍ଯ୍ୟାୟ ଆରମ୍ଭ କରନ୍ତୁ – ପରସ୍ପରକୁ ବିରୋଧ କରିବାରେ ସମୟ ନଷ୍ଟ ନକରି ସେଇ ସମୟସୀମା ମଧ୍ୟରେ ବରଂ ନିଜ ନିଜର ସ୍ୱବିରୋଧୀ, ଦ୍ୱନ୍ଦ ଓ ଆତ୍ମବିଭକ୍ତି ମାନସିକତାରୁ ମୁକ୍ତି ପାଇବାର ବାଟ ଖୋଜନ୍ତୁ । ଏହା ହିଁ ଆଜି ଭାରତବର୍ଷର ଆତ୍ମିକ ଆହ୍ୱାନ !
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
E-mail : mayadharnayak2014@gmail.com