ଐତିହାସିକ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ
ଭୁବନେଶ୍ୱର : ଦୀର୍ଘ ୭ ବର୍ଷର ନିରନ୍ତର ଆନ୍ଦୋଳନ ଓ ଆଲୋଚନା ପରେ ୨୦୨୦ରୁ ଆମ ସଂଘର ଦାବି ଅନୁଯାୟୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକରେ ଗ୍ରୁପ୍-ଡ଼ିରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ୫୦% ଥାଇଥାନ କରିବେ ବୋଲି ଯେଉଁ ଐତିହାସିକ ଘୋଷଣା କରିଛନ୍ତି ତାହାକୁ ମୃତକ କର୍ମଚାରୀ ପରିବାର ସଂଘ ପକ୍ଷରୁ ସ୍ୱାଗତ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ସୂଚନାଯୋଗ୍ୟ ଯେ, ଏ ନେଇ ସଂଘ ପକ୍ଷରୁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା ଏବଂ ସୁପ୍ରିମକୋର୍ଟଙ୍କ ୧୯୯୦ ରାୟ ଅନୁଯାୟୀ ଅନୁକମ୍ପାମୂଳକ ନିଯୁକ୍ତି କ୍ଷେତ୍ରରେ ଗ୍ରୁପ୍-ସି ଏବଂ ଗ୍ରୁପ୍-ଡ଼ି ପଦବୀରେ ୧୦ ପ୍ରତିଶତ ଥଇଥାନ କରିବାର ବ୍ୟବସ୍ଥା ଥିବାବେଳେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କିତ ଦାବିକୁ ଗୁରୁତ୍ୱର ସହ ବିଚାର କରି ଏହାକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିବାରୁ ଏହା କେବଳ ସଂଘର ବିଜୟ ନୁହେଁ, ବରଂ ମୁଖ୍ୟମନ୍ତ୍ରୀଙ୍କର ସମ୍ବେଦନଶୀଳତା ଓ ସକ୍ରିୟତାର ସନ୍ଦେଶ ବୋଲି ସଂଘ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ ସଭାପତି ପାର୍ଥସାରଥୀ ଜେନା ପ୍ରକାଶ କରିଛନ୍ତି । ସଂଘ ପକ୍ଷରୁ ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ କରି ସମ୍ବର୍ଦ୍ଧନା ପ୍ରଦାନ କରିବାକୁ ମଧ୍ୟ ସଂଘ ପକ୍ଷରୁ ଏକ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହିତ ହୋଇଛି । ଏଥିରେ ସମସ୍ତ ଜିଲ୍ଲାର ସଭାପତି ଉପସ୍ଥିତ ଥିଲେ ।


