ଐତିହାସିକ ପାଇକ ସ୍ମାରକୀ ପଦ୍ମ ଘୁଂଚି ଘୁଂଚି ଯାଉଛି
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ଭାରତ ବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମର ରଣତୁରୀ ଏହି ବୀର ଓଡ଼ିଶା ମାଟିରୁ ଆରମ୍ଭ ହୋଇଥିଲା । ଲାଲ୍ ରକ୍ତର ମାଟି ଖୋର୍ଦ୍ଧା ମାଟିରେ ବୀର ପାଇକମାନେ ଇଂରେଜ ବିରୁଦ୍ଧରେ ନିଜ ଜୀବନକୁ ମା, ମାଟି ପାଇଁ ବାଜି ଲଗାଇ ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲେ ଓ ପ୍ରାଣବଳୀ ଦେଇଥିଲେ । ତେଣୁ ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ଥିଲା ଲାଲ୍ ରକ୍ତଗଡ଼ ବରୁଣେଇ ପାହାଡ଼ । ଏହି ପାଇକ ବିଦ୍ରୋହର ଦୁଇଶହ ବର୍ଷର ପୂର୍ତ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଆଡ଼ମ୍ବରପୂର୍ଣ୍ଣ ଭାବରେ ବର୍ତ୍ତମାନ ସୁଦ୍ଧା ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ପାଠ୍ୟ ପୁସ୍ତକରେ ସ୍ଥାନିତ କଲେ ନାହିଁ । ସେହିପରି କେନ୍ଦ୍ର ସରକାର ଦୁଇଶହ କୋଟି ଟଙ୍କା ବରୁଣେଇ ପାହାଡ଼ର ପାଦ ଦେଶରେ ପାଇକ ସ୍ମାରକୀ କରିବାକୁ ପାଣ୍ଠିର ବନ୍ଦୋବସ୍ତ କଲେ ଏବଂ ରାଜ୍ୟ ସରକାର ଜମି ପ୍ରଦାନ କଲେ ଯାହା ପାଇକ ତଥା ଓଡ଼ିଶା ଇତିହାସ ପାଇଁ ଏକ ମାଇଲ୍ ଖୁଣ୍ଟ । ମାନ୍ୟବର ମହାମହୀମ ରାଷ୍ଟ୍ରପତି ଗତବର୍ଷ ତା ୨୭.୯.୨୦୧୯ରିଖରେ ଏହି ଐତିହାସିକ ସ୍ମାରକୀର ଶିଳାନ୍ୟାସ ମହାସମାରୋହରେ କରିଥିଲେ । ଏହି ସମାରୋହରେ ନିଖିଳ ଓଡ଼ିଶା ପାଇକ ମହାସଂଘର ସଭାପତି ଅଶୋକ ପାଲଟାସିଂହଙ୍କ ନେତୃତ୍ୱରେ ଓଡ଼ିଶାର ୩୦ଟି ଜିଲ୍ଲରୁ ୩୧୫ଟି ପାଇକ ଆଖଡ଼ା ଦଳ ମହାମହୀମ ରାଷ୍ଟ୍ରପତିଙ୍କ ଶିଳାନ୍ୟାସ ଉତ୍ସବରେ ଯୋଗଦାନ କରି ସେମାନଙ୍କର ସମରକଳା ପ୍ରଦର୍ଶନ କରିଥିଲେ । ପରନ୍ତୁ ଦୁଃଖ ଓ ପରିତାପର ବିଷୟ ଶିଳାନ୍ୟାସ ଉତ୍ସବ ବର୍ଷେ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟ କରାଯାଇ ନାହିଁ । ଏହି ପାଇକ ସ୍ମାରକୀ ପଦ୍ମ ଘୁଂଚି ଘୁଂଚି ଯାଉଛି ବୋଲି କହିଛନ୍ତି ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ । ଆଜି ଏହି ଉପଲକ୍ଷେ କରୋନା କଟକଣା ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ଭିଡ଼ିଓ କନ୍ଫରରେନ୍ସ ମାଧ୍ୟମରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନିଧନରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରଯାଇଥିଲା । ପାଇକ ସ୍ମାରକୀର ସ୍ଥାଣୁତାକୁ ନେଇ ଆଲୋଚନା ହୋଇଥିଲା । ରାଜ୍ୟ ସରକାର କେଉଁ କାରଣ ପାଇଁ ଏହି ସ୍ମାରକୀ କାର୍ଯ୍ୟ ନିର୍ମାଣରେ ସ୍ଥାଣୁତା ନୀତି ଅବଲମ୍ବନ କରୁଛନ୍ତି ବୋଲି ପ୍ରଶ୍ନ ଉଠିଥିଲା । ଏହି ସ୍ମାରକୀ କାର୍ଯ୍ୟ ଖୁବ୍ ଶୀଘ୍ର କରିବାକୁ ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଥିଲା । ଏହା ସହିତ ପାଇକ ମହାସଂଘ ପକ୍ଷରୁ ନିଜସ୍ୱ ଉଦ୍ୟମରେ ଏକ ପାଇକ ଏକାଡ଼େମୀ ଆସନ୍ତା ବର୍ଷ ଠାରୁ ଆରମ୍ଭ ହେବ ବୋଲି ବୈଠକରେ ସ୍ଥିର ହୋଇଥିଲା । ଏହି ଆଲୋଚନା ଚକ୍ରରେ ପାଇକ ବିଶାରଦ ରାଜ୍ୟ ସଂଯୋଜକ କେଦାର ଦାସ, ପ୍ରଫେସର ଗାୟନ ସାମଲ, ଉପଦେଷ୍ଟା ବିଭୂତି ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା, ଢେଙ୍କାନାଳ ସଭାପତି ନବ ସାମଲ, ଜଗତସିଂହପୁର ସଭାପତି ବିଦ୍ୟାଧର ନାୟକ, ଅନୁଗୁଳର ରଞ୍ଜନ ବିଶୋଇ, ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ, ବାଣପୁର ସଭାପତି ପୂର୍ଣ୍ଣ ପ୍ରଧାନ, ସମ୍ପାଦକ ବିଜୟ କୁମାର ବେହେରା, ଖୋର୍ଦ୍ଧାର ବର୍ଷିୟାନ ପାଇକଗୁରୁ ଭାସ୍କର ସୁନ୍ଦରାୟ, ପୁରୀ ଗଡ଼ଦୋକନ୍ଦା ଦଳବେହେରା, ମନୋରଞ୍ଜନ ପଶ୍ଚିମ କବାଟ ପ୍ରମୁଖ ଉପସ୍ଥିତ ଥିଲେ ।