ଐତିହାସିକ ପୀଠ ସଭାମଣ୍ଡପ ଠାରେ ପ୍ରସିଦ୍ଧ ହରିହର ଭେଟ ଉତ୍ସବ 

ସନ୍ତୋଷ କୁମାର ଦାଶ

ଫାଲଗୁନ ମାସ ର ପବିତ୍ର ଦଶମୀ ତିଥି ବା ଫଗୁ ଦଶମୀ ଠାରୁ ପୁଣ୍ୟ ତୋୟା ପ୍ରାଚୀ ଉପତ୍ୟକା ରେ ଆରମ୍ଭ ହୋଇଯାଇଛି ଦୋଳ ଉତ୍ସବ। ପ୍ରାଚୀ ଉପତ୍ୟକା ର ବିଭିନ୍ନ ମନ୍ଦିର ମାନଙ୍କ ରେ ପୂଜା ପାଉଥିବା ରାଧା କୃଷ୍ଣ, ହରି, ହର ଠାକୁର ସ୍ଵ ସ୍ଵ ବିମାନରେ ଗାଁ ଗାଁ, ଘର ଘର ବୁଲି ଦ୍ୱାରୀଭୋଗ ଖାଇଥାନ୍ତି।ଅମରେଶ୍ୱର ଗ୍ରାମ ର ପ୍ରଭୁ ଅମରେଶ୍ୱର ଶମ୍ଭୁ, ବନ୍ଦେଶ୍ୱର ଗ୍ରାମ ର ବନ୍ଦେଶ୍ୱର ଶମ୍ଭୁ, ମାଧବ ଗ୍ରାମ ର ପ୍ରଭୁ ମାଧବାନନ୍ଦ, ଛଣିଜଙ୍ଗ ଗ୍ରାମ ର ପ୍ରଭୁ ରାଧାକାନ୍ତ ଠାକୁର ବି ନିଜ ନିଜ ସୁ ସଜ୍ଜିତ ବିମାନ ରେ ଗାଁ ଗାଁ ଭ୍ରମଣ କରି ଦ୍ଵାରୀ ଭୋଗ ଖାଇଥାନ୍ତି। ପ୍ରାଚୀ ଉପତ୍ୟକା ର ସାନହୁଲି ଓ ଭାଣପୁର ଗାଁ ନିକଟରେ ଥିବା ଭେଟପଡିଆ ଠାରେ ଚତୁର୍ଦ୍ଦଶୀ ତିଥି ବିଳମ୍ବିତ ରାତ୍ରରେ ଏହି ଠାକୁର ମାନଙ୍କ ମଧ୍ୟରେ ମେଳଣ ଅନୁଷ୍ଠିତ ହୋଇ ଥାଏ।ଯାହା ହରିହର ଭେଟ ଉତ୍ସବ ଭାବେ ପ୍ରସିଦ୍ଧି ଲାଭ କରି ଆସିଛି। ଭେଟପଡିଆ ର ଉତ୍ତର ଓ ଦକ୍ଷିଣ ଦିଗରେ ଦୁଇଟି ମଣ୍ଡପ ରହିଛି। ଫଗୁ ଚତୁର୍ଦ୍ଦଶୀ ବିଳମ୍ୱିତ ରାତିରେ ହର ଭାବେ ପ୍ରଭୁ ଅମରେଶ୍ୱର ଓ ବନ୍ଦେଶ୍ୱର ଠାକୁର ସ୍ଵ ସ୍ଵ ସୁସଜ୍ଜିତ ବିମାନ ରେ ଆସି ଉତ୍ତର ପାର୍ଶ୍ଵ ମଣ୍ଡପ ରେ ବସିଥାନ୍ତି।ତାଂକ ସହିତ ପ୍ରଭୁ ରାଧାକାନ୍ତ ମଧ୍ୟ ସେହି ମଣ୍ଡପ ରେ ବସିଥାନ୍ତି। ଯାତ୍ରା ଉତ୍ସବ ର ଥାନପତି ଭାବେ ପରିଚିତ ପ୍ରଭୁ ମାଧବାନନ୍ଦ ଜୀୟୁ ନିଜ ମଣି ବିମାନ ରେ ଆସି ଭେଟପଡିଆ ର ଦକ୍ଷିଣ ପାର୍ଶ୍ଵ ମଣ୍ଡପ ରେ ବସିଥାନ୍ତି। ପ୍ରଥମେ ହର ଠାକୁର ଙ୍କ ସେବକ ମାନେ ଏକ ବିରାଟ ପଟୁଆର, ଶୋଭାଯାତ୍ରା ରେ ହରି ବସିଥିବା ମଣ୍ଡପ ନିକଟକୁ ଯାଇ ତାଙ୍କୁ ଫଗୁ ଓ ଫୁଲ ଅର୍ପଣ କରି ଅନୁଷ୍ଠାନିକ ଭାବେ ସ୍ୱାଗତ କରିବା ସହିତ ଭେଟ ଉତ୍ସବ ରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥାନ୍ତି। ଏହାର ଜବାବରେ ହରି ଙ୍କ ସେବକ ମାନେ ମଧ୍ୟ ଶୋଭାଯାତ୍ରା ପଟୁଆର ରେ ଉତ୍ତର ପାର୍ଶ୍ୱ ମଣ୍ଡପ ନିକଟକୁ ଯାଇ ହର ମାନଙ୍କୁ ଫୁଲ, ଫଗୁ ଅର୍ପଣ କରି ତାଙ୍କ ନିମନ୍ତ୍ରଣ ସ୍ୱୀକାର କଲେ ବୋଲି ଜଣାଇଥାନ୍ତି। ଏହା ପରେ ଢୋଲ ,ମହୁରୀ , କାହାଳି ,ଘଣ୍ଟ ମୃଦଙ୍ଗ ବାଜି ଉଠେ। ଆତସବାଜି ର ରଙ୍ଗୀନ ଆଲୋକ ମାଳା ଅନ୍ଧାର ଆକାଶକୁ ଝଲ ମଲ କରି ଦେଇ ଥାଏ। ଉଭୟ ଦିଗ ମଣ୍ଡପ ରେ ବସିଥିବା ହରି ହର ଠାକୁର ଙ୍କ ବିମାନ ଏକ ସମୟରେ ମଣ୍ଡପ ରୁ ଉଠି ଭେଟପଡିଆ ରେ ପ୍ରବେଶ କରି ପରସ୍ପର ଦିଗକୁ ଆଗେଇ ଆସନ୍ତି। ଠିକ ବ୍ରାହ୍ମମୁହୂର୍ତ୍ତ ରେ ଭେଟ ପଡିଆ ର ଏକ ନିଦ୍ଦିଷ୍ଟ ସ୍ଥାନରେ ହରି ହର ଠାକୁର ଙ୍କ ମେଳଣ ଅନୁଷ୍ଠିତ ହୋଇ ଥାଏ। ଥାନପତି ଶ୍ରୀ ମାଧବାନନ୍ଦ ଜୀୟୁ ଙ୍କ ବିମାନ ର ଚତୃପାର୍ଶ୍ୱରେ ଅନ୍ୟ ତିନି ଠାକୁର ଙ୍କ ବିମାନ ଘେରି ଯାଇ ଏକ ଅପୂର୍ବ ଆଧାତ୍ମିକ ପରିବେଶ ସୃଷ୍ଟି କରିଥାଏ। ହରିବୋଲ ଓ ହୁଳହୁଳି ଶବ୍ଦ ରେ ପ୍ରକମ୍ପିତ ହୋଇଉଠେ ସମଗ୍ର ଭେଟ ପଡିଆ ଓ ଉତ୍ସବସ୍ଥଳ।ହରି ହର ଙ୍କ ମେଳଣ ଉତ୍ସବ ଅନୁଷ୍ଠିତ ହେବା ପରେ ସମସ୍ତ ଠାକୁର ଏକତ୍ରିତ ଭାବେ ବିରାଟ ଶୋଭାଯାତ୍ରାରେ ଯାଇ ଐତିହାସିକ ସଭାମଣ୍ଡପ ଉପରେ ଉପବେଶନ କରିଥାନ୍ତି । ଦୋଳ ପୁର୍ଣିମା ପ୍ରାତଃ ରେ ଭକ୍ତ ଶ୍ରଦ୍ଧାଳୁ ମାନେ ସଭାମଣ୍ଡପ ଉପରେ ବସିଥିବା ହରି ହର ଠାକୁର ଙ୍କୁ ଏକତ୍ର ଦର୍ଶନ କରିବା ସହିତ ନିଜର ଓ ପରିବାର ର ମଙ୍ଗଳ କାମନା କରି ଶୁଖିଲା ଭୋଗ ଲାଗି କରିଥାନ୍ତି।ଠାକୁର ଙ୍କ ସମ୍ମୁଖରେ ବିଶ୍ୱଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୁତି ଦିଆଯିବା ପରେ ଠାକୁର ମାନେ ଜଣଙ୍କ ପରେ ଜଣେ ସଭାମଣ୍ଡପ ରୁ ଓହ୍ଲାଇ ମଣ୍ଡପ କୁ ତିନି ଘେରା ପରିକ୍ରମା କରି ଯିଏ ଯାହା ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଶେଷ ହୋଇଥାଏ ପ୍ରସିଦ୍ଧ ହରି ହର ଭେଟ ଉତ୍ସବ। ସାରା ରାଜ୍ୟରେ ଠାକୁର ମାନେ ବସି ଭୋଗ ଖାଇବା ପାଇଁ ଦୋଳବେଦୀ ରହିଥିବା ବେଳେ ଏକମାତ୍ର ପ୍ରାଚୀ ଉପତ୍ୟକା ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀପୁର ପଞ୍ଚାୟତ ସାନହୁଲି ଗ୍ରାମର ରତ୍ନବଟ ଠାରେ ରହିଛି ଦୋଳ ମଣ୍ଡପ। ଯାହାର ନାମ ସଭାମଣ୍ଡପ। ପ୍ରାୟ ୫୦ ଫୁଟ ଲମ୍ବ ଓ ୨୫ ଫୁଟ ଓସାର ର ଏହି ମଣ୍ଡପ ଟି ଖାରବେଳ ଙ୍କ ସମୟ ର କୀର୍ତ୍ତି ବୋଲି ଗବେଷକ ମାନେ କୁହନ୍ତି।ମଣ୍ଡପ ଟି ବର୍ଷ ସାରା ଖାଲି ପଡୁଥିବା ବେଳେ ଏକ ମାତ୍ର ଦୋଳ ପୁର୍ଣିମା ପ୍ରାତଃ ରେ ହରି ହର ଭେଟ ଉତ୍ସବ ପରେ ଏହା ଉପରେ ହରି ପ୍ରଭୁ ମାଧବାନନ୍ଦ ଓ ରାଧାକାନ୍ତ ଆଉ ହର ପ୍ରଭୁ ଅମରେଶ୍ୱର ଓ ବନ୍ଦେଶ୍ୱର ଏକତ୍ର ବସି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଦୋଳ ପୁର୍ଣିମା ଦିନ ଏକତ୍ର ହରି ହର ଙ୍କୁ ଦର୍ଶନ କଲେ ପୁନଃ ଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ଏଣୁ ବର୍ଷସାରା ଶୁନଶାନ ପଡୁଥିବା ଭେଟପଡିଆ ଓ ସଭାମଣ୍ଡପ ଦୋଳପୁର୍ଣିମା ରେ ଚଳଚଞ୍ଚଳ ହୋଇପଡିଥାଏ ବୋଲି କହିଛନ୍ତି ରତ୍ନବଟ ର ପୂଜକ ରାଜ କିଶୋର ଶତପଥୀ। ଏହି ଅବସର ରେ ଭେଟପଡ଼ିଆ ର ରତ୍ନବଟ ଠାରେ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ମେଳା ଲାଗିଥାଏ।ପ୍ରାୟ ତ୍ରୟୋଦଶ ଶତାବ୍ଦୀ ସମୟ ରୁ ଏଠାରେ ହରି ହର ଭେଟ ଉତ୍ସବ ଅନୁଷ୍ଠିତ ହୋଇ ଆସୁଥିବା ଗବେଷକ ମାନେ କୁହନ୍ତି। ଦୋଳ ପୁର୍ଣିମା ଦିନ ହରି ହର ଠାକୁରଙ୍କୁ ଦର୍ଶନ କରିବାକୁ ସ୍ୱର୍ଗ ରୁ ଦେବତା ମାନେ ଏଠାକୁ ଆସିଥାନ୍ତି ବୋଲି ଲୋକ ବିଶ୍ୱାସ ରହିଛି। ଶୈବ ଓ ବୈଷ୍ଟବ ମତବାଦୀ ଙ୍କ ମଧ୍ୟରେ ଭାଇ ଚାରା ର ସୁ ସମ୍ପର୍କ ରଖି ଆଧାତ୍ମିକ ପରିବେଶ କୁ ସନ୍ତୁଳନ ରଖାଯିବା ପାଇଁ ଏହି ହରି ହର ଭେଟ ଉତ୍ସବ ଆୟୋଜିତ ହୋଇ ଆସୁଥିବା କୁହନ୍ତି ପ୍ରାଚୀ ଗବେଷକ ହଂସ ନାଥ ସାହୁ।ସେ ଯାହା ହେଉ ନା କାହିଁକି ବର୍ଷ ସାରା ଶୁନଶାନ ହୋଇ ପଡ଼ିରହୁଥିବା ସାନହୁଲି ଗ୍ରାମ ର ଭେଟପଡିଆ ଓ ଐତିହାସିକ ସଭାମଣ୍ଡପ ଦୋଳ ପୁର୍ଣିମା ପୂର୍ବ ଦିନ ଓ ପୁର୍ଣିମା ଦିନ ହରିହର ଠାକୁର ଙ୍କ ସମାବେଶ ରେ ଚଳଚଞ୍ଚଳ ହୋଇ ପଡେ। ଏହି ଉତ୍ସବ ରେ ଉଭୟ କଟକ ଓ ପୁରୀ ଜିଲ୍ଲା ର ହଜାର ହଜାର ଭକ୍ତ ଯୋଗ ଦେଇଥାନ୍ତି। ସଭାମଣ୍ଡପ ଠାରେ ହରି ହର ଭେଟ ଉତ୍ସବ ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ଦୋଳ ଉତ୍ସବ ଭାବେ ପରିଚିତି ପାଇ ପାରି ଆସିଛି। ଏହି ଉତ୍ସବ ପରେ ପ୍ରାଚୀ ଉପତ୍ୟକା ର ବିଭିନ୍ନ ସ୍ଥାନ ରେ ପଞ୍ଚ ଦୋଳ ଓ ଦଶ ଦୋଳ ଉତ୍ସବ ଅନୁଷ୍ଠିତ ହେବା ସହିତ ହରି ହର ମେଳଣ, ମେଣ୍ଢା ପୋଡ଼ି ଉତ୍ସବ,ନୂଆ ପାଞ୍ଜି ପଠନ ପ୍ରଭୃତି ଅନୁଷ୍ଠିତ ହୋଇଥାଏ। ଜୟ ହରି ହର। ଜୟ ଶ୍ରୀ ରାଧେ କୃଷ୍ଣ।।

 

ତୁଳସୀପୁର। ପୁରୀ।

୯୪୩୯୩୬୧୮୮୮।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ