ଐତିହାସିକ ରାସଗୋବିନ୍ଦପୁର ବିମାନ ବନ୍ଦର

ଅଧ୍ୟାପକ ଗୋପବନ୍ଧୁ, ଦର୍ଶନ ବିଭାଗ (ଅବସରପ୍ରାପ୍ତ)
ରାସଗୋବିନ୍ଦପୁର ବିମାନ ବନ୍ଦର ବା ଏୟାରଷ୍ଟ୍ରିପ୍ ସମ୍ବନ୍ଧରେ ଖୁବ କମଲୋକ ଅବଗତ ଅଛନ୍ତି। ଓଡିଶା ବାହାରର ସାଧାରଣ ଲୋକମାନେ ଖୁବ କମ୍ ସଂଖ୍ୟାରେ ଏହି ସ୍ଥାନ ବିଷୟରେ ଜାଣିଛନ୍ତି। ଏପରିକି ଓଡ଼ିଶାର ମଧ୍ୟ ଅନେକ ଲୋକ ଏହି ଐତିହାସିକ ସ୍ଥାନ ସମ୍ବନ୍ଧରେ ଅବଗତ ନୁହଁନ୍ତି। ଦ୍ୱିତୀୟ ବିଶ୍ଵଯୁଦ୍ଧ ସମୟରେ ନିର୍ମିତ ହୋଇଥିବା ଏହି ସାମରିକ ବିମାନ ବନ୍ଦର ଏବେ ପରିତ୍ୟକ୍ତ। ଏହାର ଅନ୍ତର୍ଗତ ଏୟାରଷ୍ଟ୍ରିପ୍ ଏବେବି ଅକ୍ଷତ ଅବସ୍ଥାରେ ରହିଛି। କିଛି ଅଂଶକୁ ସଡ଼କ ପଥ ରୁପେ ବ୍ୟବହାର କରାଯାଉଛି।ଏକ ବିସ୍ତିର୍ଣ୍ଣ ଅଞ୍ଚଳରେ ଏହା ନିର୍ମିତ ହୋଇଥିଲା। ଏହାର ବିଭିନ୍ନ ମାର୍ଗ ଏପରିଭାବେ ଲମ୍ବିଛି ଯେ ଜଣେ ନବାଗତ ଏହା ମଧ୍ୟରେ ବାଟବଣା ହୋଇଯିବାର ସମ୍ଭାବନା ରହିଛି। ଅନେକ ଲୋକ ଏହା ମଧ୍ୟରେ ଦିଗ ନିର୍ଣ୍ଣୟ କରି ନପାରି ଗୋଲଗୋଲ ଘୂରିବାର ଅନୁଭୂତି ପ୍ରକାଶ କରିଛନ୍ତି। ମୁଁ ନିଜେ ବୁଥ୍ ନିର୍ବାଚନ ପରିଚାଳନା କରିବା ପାଇଁ ରାତିରେ ଅନ୍ୟ ସାଥିମାନଙ୍କ ସହିତ ଗାଡ଼ିରେ ଯିବା ସମୟରେ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଥିଲି। ଦୁଇଘେରା ଘୁରିଲା ପରେ ଜଣେ ସ୍ଥାନୀୟ ଲୋକର ଗାଡ଼ିକୁ ଅନୁସରଣ କରି ଝିଲାପି ଘେରାରୁ ବାହାରି ଥିଲୁ।ଏହା ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ ବା ଅମର୍ଦା ରୋଡ ଏୟାରଷ୍ଟ୍ରିପ୍ ଭାବେ ପରିଚିତ। ଏହା ମୁଖ୍ୟତଃ ପ୍ରତିରକ୍ଷା ପାଇଁ ଉଦ୍ଦିଷ୍ଟ ସୈନିକ ବିମାନ ବନ୍ଦର ଥିଲା। ସ୍ଥାନଟି ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାସଗୋବିନ୍ଦପୁର ବ୍ଲକରେ ପଡେ। ମୟୂରଭଞ୍ଜର ସଦରମହକୁମା ବାରିପଦାଠାରୁ ଦୂରତା ହେଉଛି ମାତ୍ର ୩୫ କି.ମି., ବାଲେଶ୍ଵରକୁ ଦୂରତା ହେଉଛି ୩୦ କି.ମି. ଓ ପଶ୍ଚିମବଙ୍ଗ ଦିଘାରୁ ଦୂରତା ହେଉଛି ୭୦ କି.ମି.। ପଶ୍ଚିମବଙ୍ଗର ଖଡକପୁର ଓ ମେଦିନାପୁର ମଧ୍ୟ ଏଠାରୁ ବେଶିଦୂର ନୁହେଁ। ଦ୍ଵିତୀୟ ବିଶ୍ଵଯୁଦ୍ଧ ୧୯୩୯ ରୁ ୧୯୪୫ ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟରେ ୧୯୪୦ ମସିହାରେ ଏହା ନିର୍ମିତ ହୋଇଥିଲା ଛାମୁଆ ଯୁଦ୍ଧ ବିମାନ ବନ୍ଦର ରୁପେ ବ୍ୟବହାର ହେବା ପାଇଁ। ଏୈତିହାସିକ ଶ୍ରୀ ଅନିଲ ଧିରଙ୍କ ମତରେ ଯେତେବେଳେ ଜାପାନ ବର୍ମାକୁ ଅଧିକାର କରିନେଲା ସେ ସମୟରେ ଜାପାନୀ ସୈନିକମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଏହି ବିମାନ ବନ୍ଦର ତିଆରିର ଆବଶ୍ୟକତା ପଡିଥିଲା। ଏହା ବ୍ରିଟିଶ ଶାସନାଧୀନ ରୋୟାଲ ଇଣ୍ଡିଆନ ଏଆର୍ ଫୋର୍ସ ଅଧିନରେ ଥିଲା। ଏଠାରେ ଏସିଆର ବୃହତମ ରନୱେଏ ରହିଛି। ଯାହାର ଲମ୍ବ ୩.୫ କି.ମି.ରୁ ଅଧିକ। ରନୱେଏ(ବିମାନ ଉତ୍ତୋଳନ ପାଇଁ ରାସ୍ତା), ଟ୍ୟାକ୍ସିୱେଏ(ବିମାନକୁ ନେବା ରାସ୍ତା), ଯୁଦ୍ଧାସ୍ତ୍ର ଓ ସାଧାରଣ ଯାତାୟତ ରସ୍ତାକୁ ମିଶାଇ ମୋଟ ୬୦ କି.ମି.ରୁ ଅଧିକ ରାସ୍ତା ଥିଲା।ବିଶ୍ଵ ଯୁଦ୍ଧର ସମାପ୍ତପରେ ଏହି ବିମାନ ବନ୍ଦରଟିକୁ ପରିତ୍ୟକ୍ତ ଅବସ୍ଥାରେ ଛାଡି ଦିଆଯାଇ ଥିଲା। ଏହାର କାରଣ ଅନେକ ଥିଲା। ବିଶ୍ୱଯୁଦ୍ଧ ପରେ ଓ ଜାପାନର ଆତ୍ମସମର୍ପଣ ପରେ ପୂର୍ବଦିଗରୁ ଆକ୍ରମଣର ସମ୍ଭାବନା ଆଉ ନଥିଲା। ବିଶ୍ଵଯୁଦ୍ଧର ସମାପ୍ତ ପରେ ଭାରତବର୍ଷର ସ୍ଵାଧୀନତା ପ୍ରାପ୍ତିକଥା ନିଶ୍ଚିତ ହୋଇ ଯାଇଥିଲା। ତେଣୁ ଇଂରେଜମାନେ ଏହି ବିମାନ ବନ୍ଦର ଉପରେ ଅଧିକ ଧ୍ୟାନ ଦେଇ ନଥିଲେ। ସ୍ଵାଧୀନତା ପରେ ଅଳ୍ପ ଦୁରରେ ପଶ୍ଚିମବଙ୍ଗର ସୀମାବର୍ତ୍ତୀ ଅଞ୍ଚଳରେ ଥିବା କୋଲେଇକୋଣ୍ଡାକୁ ସାମରିକ ବିମାନ ବନ୍ଦର ଭାବେ ବିକଶିତ କରା ଯାଇଥିଲା। ବୋଧହୁଏ ସେସମୟରେ ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍ କୁ ସାମାରିକ ଗୁରୁତ୍ୱ ଦେବାପାଇଁ ଓଡ଼ିଆ ଲୋବି ଦୁର୍ବଳ ପଡ଼ି ଯାଇଥିଲା। ସ୍ଵାଧୀନତା ପରେ ଏହା ବେସାମରିକ ବିମାନ ବନ୍ଦର ଭାବେ ବ୍ୟବହୃତ ହେବା ପାଇଁ ଆର୍ଥିକ ଭାବେ ଅନୁପୋଯୋଗୀ ଥିଲା। ଏହାର ଚତୁର୍ଦ୍ଦିଗରେ ୫୦ କ.ମି. ବ୍ୟାପି ଅଞ୍ଚଳ ଏତେ ଉନ୍ନତ ନଥିଲା ଯେ ଲୋକମାନେ ଏରୋପ୍ଲେନ ଜରିଆରେ ଯିବା ଆସିବା କରନ୍ତେ। ନିକଟବର୍ତ୍ତୀ ଅଞ୍ଚଳରେ ଶିଳ୍ପାଞ୍ଚଳ, ବାଣିଜ୍ୟ କେନ୍ଦ୍ର, ବିକଶିତ ପର୍ଯ୍ୟଟନ ସ୍ଥଳ, ବୃହତ୍ ବନ୍ଦର କିମ୍ବା ରେଳ ଜନ୍କସନ ନଥିଲା ଯାହା ବେସାମରିକ ବିମାନ ବନ୍ଦର ପାଇଁ ଖୋରାକ ଯୋଗାଇ ଥାଆନ୍ତ। ଏବେ ଏହା ଭାରତୀୟ ସାମରିକ ବାହିନୀର ଅଧିନରେ ରହିଛି। ଚାନ୍ଦିପୁରରେ ଥିବା ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜର ତତ୍ତ୍ଵାବଧାନରେ ଏହା ରହିଛି।ବହୁବର୍ଷ ପରେ ଏବେ ପୁଣି ଏହି ବିମାନ ବନ୍ଦର ଚର୍ଚ୍ଚାକୁ ଆସିଛି। ଏହା ସାମରିକ ବିମାନଘାଟିର ମର୍ଯ୍ୟଦା ସିନା ପାଇଲା ନାହିଁ, ହେଲେ ଏବେ ବେସାମରୀକ ବିମାନ ବନ୍ଦରର ମର୍ଯ୍ୟାଦା ପାଇବାର ସମ୍ଭାବନା ତିଆରି ହୋଇଛି। ଦେଶରେ କାର୍ଯ୍ୟକାରୀ ହେଉଥିବା ‘ଉଡାନ'(ଉଡେ ଦେଶକା ଆମ୍ ନାଗରିକ) ଯୋଜନା ଅନୁଯାୟୀ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ବିମାନ ବନ୍ଦରକୁ ବିକଶିତ କାରିବାର ଯୋଜନା କରିଛନ୍ତି। ଏହି ଯୋଜନା ମୁତାବକ ସାମାରିକ ମନ୍ତ୍ରଣାଳୟ ୧୬୦.୩ ଏକର ଜମିକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ। ରାଜ୍ୟ ସରକାର ଏ ବାବଦକୁ ୨୬.୦୩ କୋଟି ଟଙ୍କା ପ୍ରତିରକ୍ଷା ବ୍ଯାଙ୍କ ଖାତାରେ ଜମାକରି ସାରିଛନ୍ତି। ଜମିର ହସ୍ତାନ୍ତର ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ନେଇ ଗଠିତ ଏକ ବୋର୍ଡ ଜରିଆରେ ହେବ। ମୟୂରଭଞ୍ଜର ଜିଲ୍ଲାପାଳଙ୍କୁ ଏହା ହସ୍ତାନ୍ତରିତ ହେବ। ଏହା ପରେହିଁ ତ୍ୱରାନ୍ନିତ କାର୍ଯ୍ୟ ଆରମ୍ଭ ହେବ।ବର୍ତ୍ତମାନର ପରିପ୍ରେକ୍ଷୀରେ ଏହା ଆର୍ଥିକଭାବେ ଉପାଦେୟ ବିମାନ ବନ୍ଦର ହେବ ବୋଲି ଆକଳନ ହେଉଛି। ପୂର୍ବାପେକ୍ଷା ବାରିପଦା, ବାଲେଶ୍ବର, ଦିଘା, ଖଡକପୁର-ମେଦିନାପୁର ସହର ସମେତ ପାଖାପାଖି ଅନେକ ଛୋଟ ଛୋଟ ସହର ବିକଶିତ ହେବାରେ ଲାଗିଛି। ଏହି ସମଗ୍ର ଅଞ୍ଚଳରେ ଲୋକମାନଙ୍କ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆସିଛି। ଅନେକ ଲୋକ ଦେଶର ବିଭିନ୍ନ ଅଞ୍ଚଳରେ ତଥା ଦେଶ ବାହାରେ ଚାକିରୀ ଓ ବ୍ୟବସାୟ-ବାଣିଜ୍ୟ କରୁଛନ୍ତି। ଏମାନଙ୍କ ଭିତରୁ ଅନେକେ ବିମାନ ଯୋଗେ ଯିବା ଆସିବା କରନ୍ତି। ଏଥି ପାଇଁ ଏମାନଙ୍କୁ ଭୁବନେଶ୍ଵର କିମ୍ଵା କଲିକତା ବିମାନ ବନ୍ଦରକୁ ଯିବାକୁ ପଡେ। ରାସଗୋବିନ୍ଦପୁରଠାରେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ଏମାନଙ୍କ ସହିତ ଆହୁରି ଅନେକେ ବିମାନ ଯାତ୍ରାକୁ ଆପଣେଇ ନେବେ। ଆଲୋଚିତ ସମଗ୍ର ଅଞ୍ଚଳରେ ପୂର୍ବାପେକ୍ଷା ବହୁଅଧିକ ପର୍ଯ୍ୟଟନର ବିକାଶ ଘଟିଛି। ଜାତୀୟ ଉଦ୍ୟାନ ଶିମିଳିପାଳ ସମଗ୍ର ଦେଶରେ ତଥା ଦେଶ ବାହାରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଏହା ସହିତ ମୟୁରଭଞ୍ଜରେ ଅନେକ ଆକର୍ଷଣୀୟ ସ୍ଥାନ ରହିଛି। ଏଗୁଡ଼ିକର ବିକାଶ ହେଲେ ଅନେକ ପର୍ଯ୍ୟଟକଙ୍କ ଭିଡ ହେବ। ବାଲେଶ୍ଵର ଜିଲ୍ଲାରେ ଚାନ୍ଦିପୁର, ତାଳସାରି ପରି ଅନେକ ଆକର୍ଷଣୀୟ ବେଳାଭୂମି ରହିଛି। ପଶ୍ଚିମବଙ୍ଗର ଦିଘା ଏକ ମୁଖ୍ୟ ବେଳାଭୂମି ପର୍ଯ୍ୟଟନ କେନ୍ଦ୍ର। ଏହି ବିମାନବନ୍ଦର ସ୍ଥାପନ ହେଲେ ଏ ଅଞ୍ଚଳରେ ଶିଳ୍ପାୟନର ସମ୍ଭାବନା ତିଆରି ହେବ। ଆର୍ଥିକ ବିକାଶରେ ଏହା ସହାୟକ ହେବ।ଏବେ ମୁଖ୍ୟ ସମସ୍ୟା ହେଉଛି ଓଡିଶାର ରାଜନୈତିକ କନ୍ଦଳ। କେଉଁ ଦଳ ଓ କେଉଁ ନେତା ଏହାର ଶ୍ରେୟ ନେଇପାରିବ ତାଉପରେ ଛକାପଞ୍ଜ ଚାଲିଛି। ଏହାକୁ ନେଇଁ ହୋର୍ଡି ଓ ବେନର ମଧ୍ୟ ମରାହୋଇଛି। ଫଳରେ ରାଜନୈତିକ ଉଷ୍ମତା ଦେଖା ଦେଇଛି। କିଛିଦିନ ପୂର୍ବେ ଜମି ହସ୍ତାନ୍ତର ପାଇଁ ତାରିଖ ଧାର୍ଯ୍ଯ ହୋଇଥିଲା, କିନ୍ତୁ ଏହା ହୋଇପାରିଲା ନାହିଁ। ଯେହେତୁ ଜିଲ୍ଲାପାଳ କୌଣସି କାରଣ ବଶତଃ ଅନୁପସ୍ଥିତ ରହିଲେ। ରାଜନୈତିକ ଚାପ ଯୋଗୁଁ ସେ ଗଲେ ନାହିଁ ବୋଲି ଆଲୋଚନା ହେଉଛି। ଜନସାଧାରଣ କିନ୍ତୁ ଚାହାଁନ୍ତି ଯୋଜନା ଶୀଘ୍ର କାର୍ଯ୍ୟକାରୀ ହେଉ। ରାଜନୈତିକ ଝଗଡ଼ା ଯୋଗୁଁ ଜିଲ୍ଲାର ସ୍ୱାର୍ଥକୁ ଜଳାଞ୍ଜଳି ଦିଆନଯାଉ। ଜିଲ୍ଲା ତଥା ଅଞ୍ଚଳର ସ୍ୱାର୍ଥକୁ ଏପରି ଧର୍ଷଣ କରାନଯାଉ। ଏହା କର୍ଯ୍ୟକାରୀ ହେଲେ ଏହି ଅଞ୍ଚଳର ଆର୍ଥିକ ବିକାଶ ହେବ। ଏପରି ଏକ ଜନସ୍ଵାର୍ଥ ଓ ଗୌରବମୟ ବିଷୟକୁ ରାଜନୈତିକ ବିବାଦର ଉର୍ଦ୍ଧରେ ରଖାଯାଉ। ଜିଲ୍ଳାର ଏ ଐତିହ୍ଯ ତାର ନାର୍ଯ୍ୟ ଗୌରବ ପ୍ରାପ୍ତ ହେଉ।
ବାରିପଦା, ମୟୂରଭଞ୍ଜ, ମୋ. ୭୦୦୮୯୭୬୧୮୦

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ