ଐତିହ୍ୟ ମହାକୁମ୍ଭ
ପବିତ୍ର ମକର ସଂକ୍ରାନ୍ତି ଠାରୁ ଦୀର୍ଘ ୪୫ଦିନ ଧରି ପ୍ରୟାଗରାଜରେ ଗଙ୍ଗା, ଯମୁନା ଏବଂ ପୁରାଣ ବର୍ଣ୍ଣିତ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳ ‘ତ୍ରିବେଣୀ ସଙ୍ଗମ’ରେ ଚାଲିଥିବା ମହାକୁମ୍ଭ ମେଳା ଶେଷରେ ମହାଶିବରାତ୍ରିରେ ଶେଷ ହୋଇଛି । ମହାକୁମ୍ଭମେଳାରେ ୪୫କୋଟି ଶ୍ରଦ୍ଧାଳୁ ସମାଗମ ନେଇ ଉତରପ୍ରଦେଶ ସରକାର ଆକଳନ କରିଥିବାବେଳେ ଏହାଠାରୁ ୨୨କୋଟିରୁ ଅଧିକ ଅର୍ଥାତ ୬୭କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ତ୍ରିବେଣୀ ସଙ୍ଗମ ସ୍ଥଳରେ ବୁଡ ପକାଇଥିବାବେଳେ ରାଜ୍ୟ ସରକାର ଏଥିରୁ ପ୍ରାୟ ୩ଲକ୍ଷ କୋଟି ରାଜସ୍ୱ ଆୟ କରିଛନ୍ତି । ମହାକୁମ୍ଭମେଳାର ଅନ୍ତିମ ଦିବସ ମହାଶିବରାତ୍ରୀରେ କେବଳ ୩କୋଟି ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିଛନ୍ତି । ସପ୍ତାହ ସପ୍ତାହ ଧରି ଅନୁଷ୍ଠିତ ଭାରତର ଏହି ଆଧ୍ୟାତ୍ମିକ ବିସ୍ମୟକୁ ସମଗ୍ର ବିଶ୍ୱ ଅତ୍ୟନ୍ତ ଉତ୍ସୁକତାର ସହ ନିରୀକ୍ଷଣ କରିଛି । କେବଳ ଏତିକି ନୁହେଁ, ଦୀର୍ଘ ୧୪୪ବର୍ଷର ବ୍ୟବଧାନରେ ଅନୁଷ୍ଠିତ ୪୫ଦିନିଆ ମହାକୁମ୍ଭମେଳାରେ ବିଶ୍ୱ ବହୁ ବିସ୍ମୟ ଦେଖିଛି । ଆଧ୍ୟାତ୍ମିକ ମହାକୁମ୍ଭମେଳାରେ ବିଶ୍ୱ ଆଧ୍ୟାତ୍ମିକତା ସହ ବୈଷୟିକ କାରିଗରୀ ବିଦ୍ୟାର ସମ୍ମିଶ୍ରଣକୁ ଦେଖିଛି । ସେହିପରି ଏତେ ବିଶାଳ କୁମ୍ଭମେଳାରେ ହଜିଯାଇଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସମ୍ପର୍କ କେନ୍ଦ୍ର ଏବଂ ଡିଜିଟାଲ ସେଂଟରଗୁଡିକ ପରିବାର ସହ ସେମାନଙ୍କର ପୁର୍ନମିଳନ କରାଇବାରେ ସମର୍ଥ ହୋଇଛି । ଆହୁରି ମଧ୍ୟ ଅଳ୍ପ କିଛି ଅଘଟଣକୁ ଛାଡି ଦେଲେ, ଦୀର୍ଘ ଦେଢ ମାସ ଧରି ଚାଲିଥିବା ମେଳା ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହୋଇଛି । ସେହିପରି ମହାକୁମ୍ଭମେଳାରେ ଯୋଗଦେବାକୁ ଅକ୍ଷମ ଥିବା ଶ୍ରଦ୍ଧାଳୁ ଡିଜିଟାଲ ସ୍ନାନ ମଧ୍ୟ ବିଶ୍ୱ ଦେଖିଛି । ମେଳାରେ ଆଦୌ ସାମିଲ ହୋଇ ନଥିବା ଶ୍ରଦ୍ଧାଳୁଙ୍କ ଡିଜିଟାଲ ସ୍ନାନ ନେଇ ଫଟୋ ଦେଖିବାକୁ ମିଳିଥିବାବେଳେ ସ୍ନାନଜନିତ ଫଟୋ, ପେଂଟସ ଏବେ ହ୍ୱାଟସ ଆପ୍ରେ ଘୁରି ବୁଲୁଛି । ଯାହାକୁ ଏକ ବିସ୍ମୟ ବୋଲି କୁହାଯାଇପାରେ । ଭିଡ ନିୟନ୍ତ୍ରଣ ମେଳାରେ ଏକ ଗୁରୁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ବେଳେ କୋଟି କୋଟି ଲୋକଙ୍କ ଭିଡ ନିୟନ୍ତ୍ରଣ ପାଇଁ ପ୍ରଶାସନ ଯେଉଁଭଳି ପଦକ୍ଷେପ ଗ୍ରହଣ କରିଥିଲେ । ତାହା ମଧ୍ୟ ଅଦ୍ଭୂତପୂର୍ବ ଥିଲା । ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥାକୁ ଡିଜିଟାଲ ଯୁଗରେ ଏଆଇ ଏବଂ ସିସିଟିଭି ମଧ୍ୟ ନିରୀକ୍ଷଣ କରିଥିଲା । ଖଲିସ୍ଥାନୀ ଆତଙ୍କବାଦୀଙ୍କ ଧମକ ସତ୍ୱେ କୌଣସି ଅଘଟଣ ଘଟିନଥିଲା । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଶହ ଶହ ଭିଭିଆଇପି ବୁଡ ପକାଇ ଥିଲେ । କିନ୍ତୁ ମୌନୀ ଅମାବାସ୍ୟାରେ, ଯେଉଁ ତିଥିରେ ସାଢେ ୩କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ବୁଡ ପକାଇଥିଲେ, ସେଠାରେ ଦଳାଚକଟାରେ ୩୦ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଥିବା ସହ ୪୦ରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ, ଯାହାକି ଏକ ଦୁଃଖଦ ଘଟଣା ଥିଲା । ତେବେ ପ୍ରଶାସନର ତତ୍ପରତା ଯୋଗୁଁ ଏଭଳି ଦୁଃଖଦ ଘଟଣାର ପୁନରାବୃତି ଘଟିନଥିଲା । କହିବା ବାହୁଲ୍ୟ ଯେ, ସବୁଠୁ ଉଦ୍ବେଗଜନକ ଘଟଣାଥିଲା, କେନ୍ଦ୍ରୀୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ରିପୋର୍ଟରେ ସତର୍କ କରାଇ ଦିଆଯାଇଥିଲା ଯେ, ସଙ୍ଗମ ଘାଟ ନଦୀ ଜଳରେ ଫୋକାଲ ବ୍ୟାକ୍ଟେରିଆ ସୃଷ୍ଟି ହୋଇଛି । ଯାହାକି ଗାଧୋଇବା ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ । ସ୍ନାନ ପାଇଁ ସ୍ଥିରିକୃତ ଜଳର ମାନ ଠାରୁ ଏହା ଶଢେ ଗୁଣରେ କମ୍ । ଯେକୌଣସି ସମୟରେ ଏହି ଜଳ ସଂକ୍ରମଣର ରୂପ ନେଇପାରେ ବୋଲି ଚେତାବନୀ ଦେଇଥିଲେ । ତେବେ ବର୍ତମାନ ସୁଦ୍ଧା ସେଭଳି କୌଣସି ସ୍ଥିତି ଉପୁଜି ନାହିଁ । ଅନ୍ୟପକ୍ଷରେ ଗଙ୍ଗା ଜଳ ପ୍ରଦୁଷିତ ରିପୋର୍ଟକୁ ଉତରପ୍ରଦେଶ ସରକାର ଦୃଢ ଭାବେ ଖଣ୍ଡନ କରିଛନ୍ତି । ଏହା ନିସନ୍ଦେହ ଯେ, ମହାକୁମ୍ଭମେଳାରେ ୬୭କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ଓ ପବିତ୍ର ସଙ୍ଗମ ସ୍ଥଳରେ ବୁଡ ପକାଇବା ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ଅସମ୍ଭବ ଟ୍ରାଫିକ ଜାମ୍ ଓ ୧୦/୧୫ କିମି ଦୂରରୁ ଚାଲି ଚାଲି ସଙ୍ଗମ ସ୍ଥଳକୁ ଯିବା ତଥା ବିଭିନ୍ନ ପ୍ରତିବନ୍ଧକ ସତ୍ୱେ ଗଙ୍ଗାମାତାଙ୍କ ପ୍ରତି କାହିଁ କେଉଁ ପୁରାକଳାରୁ ରହି ଆସିଥିବା ଆସ୍ଥା ଓ ବିଶ୍ୱାସ ଏବେ ବି ଅତୁଟ ରହିଛି । ତେଣୁ ନଦୀ ଜଳର ଗୁଣବତା ନେଇ କୌଣସି ସାଲିସ୍ କରାଯିବା ଅନୁଚିତ । ଗଙ୍ଗାମାତା ଜଳ ଯେପରି ଯୁଗ ଯୁଗ ଧରି ପବିତ୍ର ଜଳ ଭାବେ ହିନ୍ଦୁମାନେ ଗ୍ରହଣ କରି ଆସିଛନ୍ତି, ଏହାର ମାନ, ପବିତ୍ରତା ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ଅଭିଯାନ ହେଉ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ