ଓଆରଏସ ପାଇବାରେ ଜାଲିଆତି ଅଭିଯୋଗ :ଦୁଇ ଶିକ୍ଷକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଅମଲା ସଂଘ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟ ସରକାର ଓଡିଶା ରାଜସ୍ବ ସେବା (ଓଆର୍‌ଏସ୍‌)ରେ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ଏଥିରେ କନ୍ଧମାଳ ଜିଲାର ଦୁଇ ଶିକ୍ଷକ ଅଛନ୍ତି। ତେବେ ସେମାନେ ଜାଲିଆତି କରି ଏହି ପଦବୀ ହାସଲ କରିଥିବା ଅଭିଯୋଗ ହୋଇଛି। ଜିଲା ଶିକ୍ଷା ବିଭାଗ ଏହାକୁ ସ୍ବୀକାର କରିଛି । ଜିଲା ରାଜସ୍ବ ଅମଲା ସଂଘ ଜିଲାପାଳଙ୍କୁ ଭେଟି ଏ ସଂକ୍ରାନ୍ତରେ ଅଭିଯୋଗପତ୍ର ଦାଖଲ କରିଛନ୍ତି। ସମସ୍ତ ନୀତି ନିୟମ ଉଲ୍ଲଂଘନ କରିଥିବା ଏହି ୨ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।ସୂଚନା ଅନୁଯାୟୀ, ପଦୋନ୍ନତି ପାଇଁ କର୍ମଚାରୀଙ୍କ ସିସିଆର ଅନୁମୋଦନ କରି ବିଭାଗୀୟ ମୁଖ୍ୟ ସରକାରଙ୍କୁ ପଠାଇବା ନିୟମ ରହିଛି। ଜିଲାରେ ଯେଉଁ ୨ ଶିକ୍ଷକ ଓଆରଏସ ପାଇଛନ୍ତି, ସେମାନେ ଜିଲା ଶିକ୍ଷାଧିକାରୀଙ୍କ ଅନୁମୋଦନ ପାଇଥିବା ଚିଠି ସରକାରଙ୍କ ନିକଟରେ ଦାଖଲ କରିଛନ୍ତି। ୨୦୧୯ ଜାନୁୟାରୀରେ ଏହି ଅନୁମୋଦନ ଚିଠି ଜିଲା ଶିକ୍ଷାଧିକାରୀ ଲେଖିଥିବା ଉଲ୍ଲେଖ ରହିଛି । ମାତ୍ର ଜିଲା ଶିକ୍ଷାଧିକାରୀ ଏପରି କୌଣସି ଅନୁମୋଦନ କରି ନ ଥିବା ଜଣାପଡିଛି । ଚିଠିରେ ଯେଉଁ ନମ୍ବର ପଡିଛି ତାହା ଅନ୍ୟ ଏକ ବିଭାଗୀୟ ଚିଠିର ନମ୍ବର l ତେଣୁ ଶିକ୍ଷକଦ୍ୱୟ ଜିଲା ଶିକ୍ଷାଧିକାରୀଙ୍କ ନାମରେ ଜାଲ୍‌ ଅନୁମୋଦନ ସରକାରଙ୍କ ଠାରେ ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକ ଗତ ୪ ବର୍ଷ ହେଲା ଛୁଟିରେ ରହିଛନ୍ତି। ତାଙ୍କୁ କିଛି ମାସ ତଳେ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଥିବା ଜଣାପଡିଛି l ଜିଲା ଶିକ୍ଷାଧିକାରୀ ବିକାଶ ପ୍ରଧାନଙ୍କୁ ପଚାରିବାରୁ ଅଭିଯୋଗକୁ ସେ ସ୍ବୀକାର କରିଛନ୍ତି। ଅଭିଯୋଗ ଆସିବା ପରେ ଶିକ୍ଷା ନିର୍ଦ୍ଦେଶାଳୟ ଏହା ଉପରେ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି। ସେହିପରି ଅନ୍ୟ ଶିକ୍ଷକ ଜଣଙ୍କ ନାମରେ ଥାନାରେ ଆପରାଧିକ ମାମଲା ରହିଥିଲେ ମଧ୍ୟ ସେ ପଦୋନ୍ନତୀ ହାସଲ କରିଛନ୍ତି। ଜିଲା ରାଜସ୍ବ ଅମଲା ସଂଘ ସଭାପତି ଭଞ୍ଜ କିଶୋର ନାୟକ, ସମ୍ପାଦକ ସୁବ୍ରତ କୁମାର ମହାନ୍ତି ଜିଲାପାଳଙ୍କୁ ଭେଟି ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ