ଓଏଏସରେ ଗଜପତିର ଗୁପ୍ତେଶ୍ୱର କୃତକାର୍ଯ୍ୟ

ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) – ୨୦୧୯ ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ନିକଟରେ ପ୍ରକାଶିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଆଉ ଜଣେ ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବାର ଜଣାପଡିଛି । ସେ ହେଉଛନ୍ତି ସହରର କୃଷ୍ଣ୍ରନଗରର ବାସୀନ୍ଦା କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଭାଗ୍ୟବତୀଙ୍କ ଏକମାତ୍ର ସୁପୁତ୍ର ଗୁପ୍ତେଶ୍ୱର ମହାପାତ୍ର । ଗୁପ୍ତେଶ୍ୱର ୩ଭଉଣୀଙ୍କ ମଧ୍ୟରେ ଜଣେ ମାତ୍ର ଭାଇ ଅଟନ୍ତି । ଗୁପ୍ତେଶ୍ୱର ପିଲା ଦିନରୁ ଜଣେ ମେଧାବୀ ଛାତ୍ରଭାବେ ଖ୍ୟାତି ଅର୍ଜନ କରିଛନ୍ତି । ସେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ ଶିକ୍ଷା ଆରମ୍ଭ କରି ଦଶମ ଶ୍ରେଣୀରେ ୮୯ପ୍ରତିଶତ ମାର୍କ ରଖି ଜିଲ୍ଲାରେ ତୃତୀୟ ଟପ୍ପର ଭାବେ ଖ୍ୟାତି ଅର୍ଜନ କରିଥିଲେ । ଏହାପରେ ସେ +୨ବିଜ୍ଞାନରେ ୭୮ପ୍ରତିଶତ ରଖି ଉତ୍ତୀର୍ଣ୍ଣ ହୋଇ ଜେଆଇଟିଏମ୍ ତଥା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ବିଟେକ୍ ସମାପନ କରି ହାଇଦ୍ରାବାଦ ଠାରେ ସଫଟୱେର ଇଂଜିନିୟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସମୟରେ ସେ ୟୁପିଏସ୍‌ସି ପାଇଁ କୋଚିଂ ନେବା ଆରମ୍ଭ କରିଥିଲେ । ଏହି ୟୁପିଏସ୍‌ସି ପରୀକ୍ଷା ପ୍ରସ୍ତୁତି ହିଁ ତାଙ୍କୁ ଆଜି ଏହି ସଫଳତା ଦେଇଛି ବୋଲି କହିଛନ୍ତି । ସଫଟୱେର ଇଂଜିନିୟର କାର୍ଯ୍ୟ ତୁଲାଇବା ସହ ସେ ଓଏସ୍‌ଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏସିଟିଓ ନିଯୁକ୍ତ ପାଇଥିଲେ । ସେ ବର୍ତ୍ତମାନ ବ୍ରହ୍ମପୁର ଠାରେ ଏସିଟିଓ ଭାବେ ଅବସ୍ଥାପିତ ଅଛନ୍ତି । ଏହି ସମୟ ମଧ୍ୟରେ ସେ ଓଡିଶା ପ୍ରଶାସନିକ ସେବା ପାଇଁ ମଧ୍ୟ ପ୍ରସ୍ତୁତି ଜାରି ରଖିଥିଲେ । ସେ ଏଥିରେ ସଫଳତା ପାଇ ୧୦୫ ରଖି କୃତକାର୍ଯ୍ୟ ହୋଇଛନ୍ତି । ଗୁପ୍ତେଶ୍ୱର ତାଙ୍କ ସଫଳତାର ଶ୍ରେୟ ତାଙ୍କ ବାପା ମାଆ, ଗୁରୁଜନଙ୍କୁ ଦେଇଛନ୍ତି । ତେବେ ଏପରି ପାଠପଢା ଆଗକୁ ମଧ୍ୟ ଜାରି ରଖି ଆହୁରି ଆଗକୁ ବଢିବାର ଲକ୍ଷ୍ୟ ମଧ୍ୟ ରଖିଛନ୍ତି ଗୁପ୍ତେଶ୍ୱର । ତାଙ୍କ ଏହି ସଫଳତା ପାଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ସରୋଜ ପଣ୍ଡାଙ୍କ ସମେତ ସହରର ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି । ସୂଚନା ଯୋଗ୍ୟ ଯେ, ପାରଳାଖେମୁଣ୍ଡି ଠାରେ ଥିବା ଗଜପତି କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତଥା ରାୟଗଡ ଜିଲ୍ଲାର ପୁରଂଜନ ଘଣ୍ଟା ମଧ୍ୟ ସଫଳତାର ସହ ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ